jayashree

ପୁରୁଣା ମାଛବଜାର ସ୍ୱଭାବିକ ହେବ ବୋଲି ପ୍ରତିଶୃତି ଦେଲେ କର୍ତ୍ତୃପକ୍ଷ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗତ ଏକ ସପ୍ତାହ ଧରି ଛତ୍ରପୁର ମାଛ ବଜାରକୁ ନେଇ ଦେଖା ଦେଇଥିବା ବିବାଦ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ହସ୍ତକ୍ଷେପ ପରେ ତୁଟିଛି । ଘଟଣାରୁ ପ୍ରକାଶ ଯେ, ଛତ୍ରପୁର ସହରରେ ଥିବା ପୂରାତନ ମାଛ ବଜାରରେ ପୁରୁଷାନୁକ୍ରମେ ଛତ୍ରପୁର ଉପକଣ୍ଠ ସ୍ଥିତ ତରେଇପାଟପୁର ଗ୍ରାମର ବହୁ ମହିଳାଙ୍କ ସମେତ ରିକାପଲ୍ଲୀ ସାହି, ହୁମର ଓ ଆର୍ଯ୍ୟପଲ୍ଲୀ ଗ୍ରାମର ମହିଳାମାନେ ମାଛ ବିକି ପରିବାର ପ୍ରତିପୋଷଣ କରନ୍ତି । ଗତ କରୋନା ମହାମାରୀ ଆରମ୍ଭରୁ ଏହି ମହିଳାମାନଙ୍କୁ ସେହି ସ୍ଥାନରେ ବ୍ୟବସାୟ କରିବାକୁ ସୁଯୋଗ ମିଳୁନି । ତେବେ ଏକ ସପ୍ତାହ ତଳେ କୌଣସି ପୂର୍ବ ସୂଚନା ନ ଦେଇ ଏନ୍‌ଏସି ପକ୍ଷରୁ ମାଛ ବିକ୍ରେତା ମାନଙ୍କୁ ମାଛ ବଜାରରୁ ଉଚ୍ଛେଦ କରି ଷ୍ଟେସନ ରାସ୍ତା କଡରେ ଥିବା ପଶୁଧନ ଚିକିତ୍ସାଳୟ ହତା ମଧ୍ୟରେ ସ୍ଥାନ ଚିହ୍ନଟ କରି ବିକ୍ରୟ କରିବା ପାଇଁ କୁହାଯାଇଥିଲା । ତେବେ ଉକ୍ତ ସ୍ଥାନରେ ପାର୍କି ସୁବିଧା ନଥିବା ହେତୁ ଗ୍ରାହକମାନେ ନ ଯିବାରୁ ମାଛ ବିକ୍ରି ହୋଇନପାରି ପଚି ନଷ୍ଟ ହୋଇ ଯିବାରୁ ବିକ୍ରି କରୁଥିବା ମହିଳା ମାନେ ଆର୍ଥିକ କ୍ଷତି ସହିଥିଲେ । ଗତ ଦୁଇ ବର୍ଷ ହେଲା କରୋନା କାରଣରୁ ସ୍ୱାଭାବିକ ବ୍ୟବସାୟ କରି ପାରିନଥିବା ଏହି ମହିଳା ମାନେ ଏହି କ୍ଷତି ସହି ନପାରି ଶେଷରେ ମାଛ ବିକ୍ରୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ । ଫଳରେ ଦୁଇଦିନ ହେଲା ଛତ୍ରପୁର ସହରରେ କୈାଣସି ପ୍ରକାର ମାଛ ବିକ୍ରୟ ହୋଇପାରୁ ନାହିଁ । ବୁଧବାର ପୂର୍ବାହ୍ନରେ ଶତାଧିକ ମହିଳା ମାଛ ବ୍ୟବସାୟୀ ଛତ୍ରପୁର ଜାତୀୟ ରାଜପଥର କଲେଜ ଛକ ଠାରେ ଏକତ୍ରିତ ହୋଇ ଜିଲ୍ଲାପାଳଙ୍କୁ ସାକ୍ଷାତ କରିବା ନିମନ୍ତେ ବାହାରି ଥିଲେ । ତେବେ ଜିଲ୍ଲାପାଳ କାର୍ଯ୍ୟାଳୟରେ ଅନୁପସ୍ଥିତ ଥିବାରୁ ସ୍ଥାନୀୟ ବିଜେଡି ନେତାମାନଙ୍କ ଜରିଆରେ ବିଧାୟକଙ୍କ ସହ ଯୋଗାଯୋଗ କରିଥିଲେ । ଏହାପରେ ଯୁବ ବିଜେଡିର ଛତ୍ରପୁର ଏନ୍‌ଏସି ସଭାପତି ଟି.ଚନ୍ଦ୍ରଶେଖର ରାଓ, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ. ଧନଞ୍ଜୟ ରେଡ୍ଡୀ, ପୂର୍ବତନ କାଉନସିଲର ବି.ରାଜିବାବୁ, ଯୁବ ଆଇନଜୀବୀ ଏଲ.ଗୋପୀ, ଛାତ୍ର ବିଜେଡିର ଜିଲ୍ଲା ସମ୍ପାଦକ ନାଗେଶ୍ୱର ରାଓ, ଏ.ଭେଙ୍କଟ ଦୋରା ଓ ଶ୍ରୀକାନ୍ତ ମହାନ୍ତିଙ୍କ ସମେତ ଏକ ପ୍ରତିନିଧୀ ଦଳ ମହିଳାମାନଙ୍କ ସହ ଛତ୍ରପୁର ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏନ.ଗଣେଶବାବୁଙ୍କ ସହ ଏନ୍‌ଏସି କାର୍ଯ୍ୟାଳୟରେ ଏନେଇ ଆଲୋଚନା କରିଥିଲେ । ବାରମ୍ବାର ସ୍ଥାନ ପରିବର୍ତ୍ତନ ଦ୍ୱାରା ମହିଳା ବ୍ୟବସାୟୀ ମାନଙ୍କ ଜୀବନ ଜୀବିକା ଉପରେ ପ୍ରଭାବ ପଡୁଛି ଏଣୁ ସେମାନଙ୍କୁ ସେମାନଙ୍କ ପୂରାତନ ସ୍ଥାନରେ ବ୍ୟବସାୟ କରିବା ନିମନ୍ତେ ଅନୁମତି ପ୍ରଦାନ କରାଯାଉ ବୋଲି ପୂର୍ବତନ କାଉନସିଲର ତଥା ଯୁବ ବିଜେଡିର ଛତ୍ରପୁର ଏନ୍‌ଏସି ସଭାପତି ଟି.ଚନ୍ଦ୍ରଶେଖର ରାଓ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଅନୁରୋଧ କରିଥିଲେ । କାର୍ଯ୍ୟନିର୍ବାହୀ ଅଧିକାରୀ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ମହିଳା ମାନେ ପୂର୍ବରୁ ଯେଉଁ ଭଳି ଭାବେ ଯେଉଁ ସ୍ଥାନରେ ବସି ମାଛ ବିକ୍ରୟ କରୁଥିଲେ । ସେହି ସ୍ଥାନରେ ପୂର୍ବ ଭଳି ବିକ୍ରି କରିବାକୁ ଅନୁମତି ପ୍ରଦାନ କରିଥିଲେ । ଏହାପରେ ବିଧାୟକ ସୁବାସ ଚନ୍ଦ୍ର ବେହେରା ମାଛ ବିକ୍ରେତା ମାନଙ୍କ ସହ କଲେଜ ଛକ ନିକଟରେ ଆଲୋଚନା କରିବା ସହ କରୋନା ମହାମାରୀ ଦୃଷ୍ଟିରୁ କୌଣସି ବିକ୍ରେତା ରାସ୍ତାରେ ନ ବସିବାକୁ ପରାମର୍ଶ ଦେଇଥିଲେ । ଆଗାମୀ ଦିନରେ ମାଛ ବଜାରରେ ଉପୁଜୁଥିବା ସମସ୍ତ ସମସ୍ୟା ଗୁଡିକର ସମାଧାନ କରାଯିବ ବୋଲି ସେ ପ୍ରତିଶୃତି ଦେଇଥିଲେ । ମାଛ ବିକ୍ରେତା ମାନେ ରାସ୍ତାକଡରେ ନ ବସିବା ସହ ପରିବେଶ ଅପରିଷ୍କାର ନ କରିବା ନେଇ ଏକ ଲିଖିତ ପତ୍ର ଏନ୍‌.ଏ.ସି. କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିଥିଲେ । ଗୁରୁବାର ଠାରୁ ଛତ୍ରପୁର ସହରର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖ ମାଛ ବଜାର, ଅପରବସଷ୍ଟାଣ୍ଡ ମାଛ ବଜାର, କୋର୍ଟ ଷ୍ଟେସନ ନିକଟ ଗଳାଶଙ୍ଖ ଓ ରିକାପଲ୍ଲୀ ହାଟରେ ବସି ମହିଳା ମାନେ ମାଛ ବିକ୍ରି କରିବେ ବୋଲି ଛତ୍ରପୁର ପୌର ନିର୍ବାହୀ ଅଧିକାରୀ ମତ୍ସ୍ୟ ବ୍ୟବସାୟୀଙ୍କୁ ପ୍ରତିଶୃତି ଦେଇଛନ୍ତି ।

Leave A Reply

Your email address will not be published.