ମିଶନ ଚାଟଶାଳୀର ଶୁଭ ଉଦ୍‌ଘାଟନ

  • ଆଦିମ ଅଧିବାସୀ ଏକତା ମଞ୍ଚର ସାମ୍ବାଦିକ ସମ୍ମିଳନୀ

ବୌଦ୍ଧ, (ବଂଶୀଧର ମାଝୀ) : ଆଦିମ ଅଧିବାସୀ ଏକତା ମଞ୍ଚ ବୌଦ୍ଧ ପକ୍ଷରୁ ମିଶନ ଚାଟଶାଳୀର ଶୁଭ ଉଦଘାଟନ ହୋଇଯାଇଛି । ଏହି ଅବସରରେ କଣ୍ଟାମାଳ ବ୍ଲକ ସାମ୍ବାଦିକ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇ ସୂଚନା ପ୍ରଦାନ କରାଯାଇଛି । କରୋନା ପାଇଁ ଦୀର୍ଘ ମାସ ହେବ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟକୁ ପାଠ ପଢିବା ପାଇଁ ଯାଉନାହାନ୍ତି । ବିକଳ୍ପ ଶିକ୍ଷା ଭାବେ ସରକାର ଅନଲାଇନ ଓ ୟୁଟ୍ୟୁବ ମାଧ୍ୟମରେ ଶିକ୍ଷା ପ୍ରଦାନ କରୁଅଛନ୍ତି । କିନ୍ତୁ ବୌଦ୍ଧ ଭଳି ଜିଲ୍ଲାରେ ନେଟୱର୍କ ସମସ୍ୟା ଓ ଛାତ୍ରଛାତ୍ରୀମାନଙ୍କ ନିକଟରେ ମୋବାଇଲ ନଥିବା ଯୋଗୁ ଏହା ଫଳପ୍ରଦ ହୋଇପାରି ନାହଁ । ତେଣୁ ପାଠପଢାରୁ ବଞ୍ଚିତ ହେଉଥିବା ଓ ପାଠପଢାରେ ଦୁର୍ବଳ ଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଶିକ୍ଷାର ବ୍ୟବଧାନକୁ ଦୂର କରିବା ପାଇଁ ଆଦିମ ଅଧିବାସୀ ଏକତା ମଞ୍ଚ, ବୌଦ୍ଧ ପକ୍ଷରୁ ଜିଲ୍ଲାରେ ମୋ ଚାଟଶାଳୀ କେନ୍ଦ୍ର ମାଧ୍ୟମରେ ସ୍ୱେଚ୍ଛାସେବୀ ଭାଇମାନେ ପ୍ରଥମରୁ ପଞ୍ଚମ ଶ୍ରେଣୀର ପ୍ରାୟ ୩ହଜାର ଛାତ୍ରଛାତ୍ରୀଙ୍କୁ ଗତ ଫେବୃୟାରୀ ମାସଠାରୁ କୋଭିଡ ନିୟମାବଳୀ ପାଳନ କରି ଶିକ୍ଷାଦାନ କରିଆସୁଛନ୍ତି । ଏହି କେନ୍ଦ୍ର ଗୁଡିକରେ ପିଲାମାନେ ପ୍ରତ୍ୟେକ ଦିନ ଦୁଇଘଣ୍ଟା ପାଠପଢିବା ସହିତ ପରିବେଶ ସୁରକ୍ଷା, ଖେଳକୁଦ, ନାଚଗୀତ ଓ ଚିତ୍ରାଙ୍କନ ମାଧ୍ୟମରେ ହସଖୁସିରେ ପାଠ ପଢୁଛନ୍ତି । ଗ୍ରାମର ଅଭିଭାବକ ମାନଙ୍କ ଦ୍ବାରା ମନୋନୀତ ସେହି ଗ୍ରାମର ଯୁବକଯୁବତୀ, କଲେଜରେ ପଢୁଥିବା ଛାତ୍ରଛାତ୍ରୀ, ଶିକ୍ଷିତା ମହିଳା ମାନେ ବିନା ପାରିଶ୍ରମିକରେ ଶିକ୍ଷାଦାନ କରିଆସୁଛନ୍ତି । ମଞ୍ଚ ତରଫରୁ ସ୍ୱେଚ୍ଛାସେବୀ ମାନଙ୍କୁ ତାଲିମ ପ୍ରଦାନ କରାଯାଉଛି । ମଞ୍ଚ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୭ଟି ଜିଲ୍ଲାର ୮୬ଟି ବ୍ଲକରେ କାମ ହାତକୁ ନେଇ ଏକ ଲକ୍ଷ ପିଲାଙ୍କୁ ଶିକ୍ଷାଦାନ ଯୋଗାଇଛି । ସରକାରଙ୍କ ଡିଜିଟାଲ ଶିକ୍ଷାଦାନ ବ୍ୟବସ୍ଥାର ବିକଳ୍ପ ଭାବେ ମଞ୍ଚ ପକ୍ଷରୁ ରାଜ୍ୟର ପାଞ୍ଚଲକ୍ଷ ପିଲାଙ୍କୁ ଶିକ୍ଷାଦାନ କରିବା ଯୋଜନାରେ ମିଶନ ଚାଟଶାଳୀର ଶୁଭାରମ୍ଭ କରାଯାଇଛି । ଏଥିରେ ଗ୍ରାମବାସୀ, ସ୍କୁଲ ପରିଚାଳନା କମିଟି ଓ ଲୋକ ପ୍ରତିନିଧିଙ୍କ ସହାୟତାରେ ସ୍ଥାନୀୟ ଶିକ୍ଷିତ ଯୁବକ, ଯୁବତୀଙ୍କୁ ସ୍ୱେଚ୍ଛାସେବୀ ଭାବେ ଶିକ୍ଷାସାଥୀ ଚୟନ କରାଯିବ । ସେମାନଙ୍କୁ ବିଭିନ୍ନ କ୍ଷେତ୍ରରେ ତାଲିମ ମଧ୍ୟ ପ୍ରଦାନ କରାଯିବ । ଏହା କେବଳ ଶିକ୍ଷାଦାନ ନୁହେଁ ବରଂ ସାମାଜିକ, ଅର୍ଥନୈତିକ ଏବଂ ଭୌଗୋଳିକ ବିବିଧତାକୁ ଦୃଷ୍ଟିରେ ରଖି ଏକ ସ୍ଥାୟୀ ଶିକ୍ଷା ମଡେଲ ଭାବେ କାର୍ଯ୍ୟ କରିବ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି । କାର୍ଯ୍ୟକ୍ରମରେ ମଞ୍ଚର କାର୍ଯ୍ୟକର୍ତ୍ତା ମୀନକେତନ ମେହେର, ସମ୍ପତି ବାଗ, ବଳରାମ ବାଘ, ସନ୍ତୋଷ ପ୍ରଧାନ, ଶ୍ରୀକୃଷ୍ଣ ମହାକୁଡ ଏବଂ ଶିକ୍ଷାସାଥୀ ପ୍ରମୋଦ କୁମାର ସାହୁ ଓ ଦେବାର୍ଚ୍ଚନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.