ଭିଡିଓ କନଫରେନ୍ସିଂ ଜରିଆରେ ଅନଲାଇନ ପାଇଲଟ୍ ବ୍ୟବସ୍ଥାର ଶୁଭାରମ୍ଭ କଲେ ମୁଖ୍ୟ ଶାସନ ସଚିବ

ରାଉରକେଲା : ରାଉରକେଲା ପୌର ସଂସ୍ଥାରୁ ଲିଜ୍ ପାଇଥିବା ଜମିର ମାଲିକାନା ସ୍ୱତ୍ତ୍ୱ ନିଜ ନାମରେ ପରିବର୍ତ୍ତନ କରିବା ବା ଲିଜ୍ ହୋଲ୍ଡରୁ ଫ୍ରି ହୋଲ୍ଡ କରିବା ପାଇଁ ରାଉରକେଲା ମହାନଗର ନିଗମ ବାସିନ୍ଦାଙ୍କୁ ଏଣିକି ସରକାରୀ କାର୍ଯ୍ୟାଳୟକୁ ଯିବାକୁ ପଡ଼ିବ ନାହିଁ । ସେମାନେ ଅନଲାଇନ ମାଧ୍ୟମରେ ଏଥିପାଇଁ ଆବେଦନ କରିପାରିବେ । ଗତକାଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଭିଡିଓ କନଫରେନ୍ସିଂ ଜରିଆରେ ଏହି ଅନଲାଇନ ପାଇଲଟ୍ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି । ତେବେ ନୂଆ ବ୍ୟବସ୍ଥାର ଶୁଭାରମ୍ଭ କରି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଏହାକୁ ଲୋକମାନଙ୍କ ପାଇଁ ଅଧିକ ସରଳ ଏବଂ ସୁବିଧାଜନକ କରିବା ନିମେନ୍ତ ନିର୍ଦ୍ଦେଶ ଦେଇଥିଲେ । ଦରଖାସ୍ତ ପାଇଁ ଦରକାର ପଡ଼ୁଥିବା ସତ୍ୟପାଠ ଓ ଦସ୍ତାବିଜ ଆଦିର ସଂଖ୍ୟା କମାଇବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ସତ୍ୟପାଠ ଓ ଅନ୍ୟାନ୍ୟ ପ୍ରମାଣପତ୍ର ଜାଗାରେ ସ୍ୱ-ଘୋଷଣାକୁ ଗ୍ରହଣ କରିବାର ସମ୍ଭାବନା ପରୀକ୍ଷା କରିବା ନିମନ୍ତେ ସେ କହିଥିଲେ । ନୂଆ ବ୍ୟବସ୍ଥାକୁ ଜନସେବା କେନ୍ଦ୍ର ଏବଂ କମନ ସର୍ଭିସ୍ ସେଣ୍ଟର ସହ ସଂଯୋଜିତ କରିବା ସହ ନିଜ ନିଜ କମ୍ପ୍ୟୁଟରରୁ ଦରଖାସ୍ତ ଦାଖଲ କରିବାର ବ୍ୟବସ୍ଥା କରିବାକୁ ଶ୍ରୀ ମହାପାତ୍ର କହିଥିବା ବେଳେ ଅନଲାଇନ ଦରଖାସ୍ତ ସହ ସରକାରୀ ଦେୟର ଅନଲାଇନ ପୈଠ ବ୍ୟବସ୍ଥା କରିବାକୁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ଏହି ଅବସରରେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ କହିଥିଲେ ଯେ, ଅଫଲାଇନ୍ ବ୍ୟବସ୍ଥାରେ ଦରଖାସ୍ତକାରୀଙ୍କୁ ଅନ୍ୟୂନ ୫ରୁ ୬ ଥର ବିଭିନ୍ନ କାର୍ୟ୍ୟାଳୟକୁ ଆସିବାକୁ ପଡ଼ୁଥିଲା । ସେ ସୁବିଧାରେ ନିଜର ଦରଖାସ୍ତର ସ୍ଥିତି ମଧ୍ୟ ଜାଣିପାରୁ ନଥିଲେ । ସମୁଦାୟ ପ୍ରକ୍ରିୟାଟି ଦୀର୍ଘ ଏବଂ ବିଳମ୍ବିତ ହେଉଥିବାରୁ ତାହା ଲୋକମାନଙ୍କ ମନରେ ଅସନ୍ତୋଷ ଭାବ ସୃଷ୍ଟି କରୁଥିଲା । ନୂଆ ବ୍ୟବସ୍ଥାରେ ସମୁଦାୟ କାର୍ଯ୍ୟ ସ୍ୱୟଂକ୍ରିୟ ସଫ୍ଟୱେୟାର ମାଧ୍ୟମରେ ତ୍ୱରିତ ଗତିରେ ହେବ । ଅନଲାଇନରେ ଦରଖାସ୍ତ ଦାଖଲ ପରେ ତା’ର ତନଖି, ତହସିଲ ଏବଂ ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ୱାରା ଯାଞ୍ଚ, ଅଭିଯୋଗ ନିମନ୍ତେ ସାଧାରଣ ବିଜ୍ଞପ୍ତି ପ୍ରକାଶନ, ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟଙ୍କର ସୁପାରିଶ, ଜିଲ୍ଲାପାଳଙ୍କ ଅନୁମୋଦନ ଏବଂ ଆବଶ୍ୟକ ଦେୟର ପୈଠ ଆଦି ସମସ୍ତ କାମ ଅନଲାଇନରେ ହେବ । ଶେଷରେ ଜମିର ଫ୍ରି ହୋଲ୍ଡ ଚୁକ୍ତି ସମ୍ପାଦନ ଏବଂ ତହସିଲ କାର୍ୟ୍ୟାଳୟକୁ ଫର୍ମ ନମ୍ବର ୬ରେ ଏହାର ସୂଚନା ପ୍ରଦାନ ଆଦି କାର୍ଯ୍ୟ ମଧ୍ୟ ଏହି ନୂଆ ଅନଲାଇନ ବ୍ୟବସ୍ଥା ମାଧ୍ୟମରେ ହେବ । ଏହି ନୂଆ ବ୍ୟବସ୍ଥାର ସୁବିଧା ନେବା ପାଇଁ ରାଉରକେଲାବାସୀ www.econversionrkl.com ପୋର୍ଟାଲରେ ଲଗ୍ ଇନ୍ କରି ଆବେଦନ କରିପାରିବେ । ଆବେଦନ କରିବା ସହିତ ଆବଶ୍ୟକ ଦେୟ ପୈଠ ଏବଂ କୌଣସି ସମୟରେ ଆବେଦନର ସ୍ଥିତି ସମ୍ପର୍କରେ ମଧ୍ୟ ଏହି ପୋର୍ଟାଲରୁ ଜାଣିପାରିବେ ।

Leave A Reply

Your email address will not be published.