jayashree

ଡ.ସଦାନନ୍ଦ ଅଗ୍ରୱାଲଙ୍କ ୪ର୍ଥ ଶ୍ରାଦ୍ଧ ଦିବସରେ ‘ଶ୍ରୀ ଖାରବେଳ’ ପୁସ୍ତକ ଉନ୍ମୋଚିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଓଡିଶାର ବିଶିଷ୍ଠ ଐତିହାସିକ, ଗବେଷକ, ଲିପିତତ୍ତ୍ୱବିଦ, ନାଟ୍ୟକାର, ସଂଗୀତ ନିର୍ଦ୍ଦେଶକ ସ୍ୱର୍ଗତ ଡ.ସଦାନନ୍ଦ ଅଗ୍ରୱାଲଙ୍କ ୪ର୍ର୍ଥ ଶ୍ରାଦ୍ଧ ଦିବସ ଆଜି ତାଙ୍କ ପୈତୃକ ଗ୍ରାମ ମେଣ୍ଡାଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଡ.ସଦାନନ୍ଦ ଅଗ୍ରୱାଲ ସ୍ମୃତିକମିଟି ଓ ମହର୍ଷି ବୁଦ୍ଧରାମ ଡିଗ୍ରୀ କଲେଜର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଶ୍ରାଦ୍ଧ ଦିବସ ଉପଲକ୍ଷେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଓ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଡିଗ୍ରୀ କଲେଜର ପରିଚାଳନା କମିଟିର ସଭାପତି ବାଳଗୋପାଳ ପଣ୍ଡାଙ୍କ ସଭାପତିତ୍ୱ ଓ ସ୍ମୃତି କମିଟିର ସଭ୍ୟ ରାଜେଶ ଝାଙ୍କରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ପୂର୍ବତନ ଶିକ୍ଷା ପରାମର୍ଶଦାତା ପ୍ରଫେସର ଡ.ପ୍ରଫୁଲ୍ଲ କୁମାର ରଥ, ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ବିଜେଡି ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ସରୋଜ କୁମାର କମ୍ପ, ଜିଲ୍ଲା କଂଗ୍ରେସ କମିଟିର ସଭାପତି ଗୌରୀଶ୍ୟାମ ପଣ୍ଡା, ବଲାଙ୍ଗିର ରେଡକ୍ରସ୍‌ର ପୃଷ୍ଠପୋଷକ ବିଷ୍ଣୁପ୍ରସାଦ କେଡିଆ, କଲେଜର ସଂପାଦକ ନାରାୟଣ ଝାଙ୍କର ଓ ମୁଖ୍ୟବକ୍ତା ଭାବରେ ଜିଲ୍ଲା ଯୁବ ରେଡକ୍ରସର ସଂଯୋଜକ ଉମାକାନ୍ତ ନାଗ ଯୋଗ ଦେଇଥିଲେ । ଡ.ଅଗ୍ରୱାଲଙ୍କ ଲିଖିତ ‘ଶ୍ରୀ ଖାରବେଳ’ ପୁସ୍ତକର ଦ୍ୱିତୀୟ ସଂସ୍କରଣକୁ ଅତିଥିଗଣ ଉନ୍ମୋଚନ କରିଥିଲେ । ସ୍ୱର୍ଗତ ଡ.ଅଗ୍ରୱାଲ ମେଣ୍ଡା ଓ ତରଭା ଭଳି ଅଞ୍ଚଳରୁ ନିଜର କ୍ୟାରିୟର ଆରମ୍ଭ କରି ମାତ୍ର ମାଟ୍ରିକ ପାଠ ପଢି ଭାରତର ଜଣେ ସ୍ୱନାମଧନ୍ୟ ଐତିହାସିକ ଓ ଗବେଷକ ତଥା ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ ହୋଇ ପାରିଥିଲେ ବୋଲି ବକ୍ତାଗଣ ମତବ୍ୟକ୍ତ କରିଥିଲେ । ଜଣେ କମ୍‌ ପାଠ ପଢି ମଧ୍ୟ ଭାରତ ବର୍ଷର ଶାନ୍ତିନିକେତନ ଭଳି ବିଶ୍ୱବିଦ୍ୟାଳୟକୁ ଭିଜିଟିଙ୍ଗ ପ୍ରଫେସର ଭାବରେ ଯାଇ ଶିକ୍ଷାଦାନ କରିବାର ଗୌରବ ଅର୍ଜନ କରିଥିଲେ ସଦାନନ୍ଦ ଅଗ୍ରୱାଲ । ତାଙ୍କ ଆଦର୍ଶରେ ଛାତ୍ରଛାତ୍ରୀ ଓ ଯୁବବର୍ଗ ଅନୁପ୍ରାଣିତ ହେଲେ ଏହି ଅଞ୍ଚଳ ଅନେକ ସୁନାମ ଅର୍ଜନ କରିବ ବୋଲି ଅତିଥି ଓ ବକ୍ତାଗଣ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଆମ ଓଡିଶା ଓ ସ୍ମୃତିକମିଟି ପକ୍ଷରୁ ଏକ ସ୍ୱେଚ୍ଚାକୃତ ରକ୍ତଦାନ ଶିବିର କରାଯାଇଥିଲା ଓ ଏଥିରେ ୧୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ସୋନପୁର ରକ୍ତ ଭଣ୍ଡାରର କର୍ମଚାରୀମାନେ ଓ ଏମବିଆର ଡିଗ୍ରୀ କଲେଜର ଅଧ୍ୟାପକ, କର୍ମଚାରୀ ରକ୍ତଦାନରେ ସହଯୋଗ କରିଥିଲେ । ଶେଷରେ ସିଦ୍ଧାର୍ଥ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମେଣ୍ଡା, ତରଭା, ସୋନପୁର ଇତ୍ୟାଦି ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ଓ ସାମ୍ବାଦିକଗଣ ଯୋଗଦାନ କରିଥିଲେ ।

Leave A Reply

Your email address will not be published.