csstore

ଖରିଫ୍‌ ଫସଲ ବୀମା କରୁଛନ୍ତି ନକଲି ଚାଷୀ : ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଅସଲି ଚାଷୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଖରିଫ୍‌ ଫସଲ ବୀମା କରି ନକଲି ଚାଷୀ ଅର୍ଥ ରୋଜଗାରର ପନ୍ଥା ଅବଲମ୍ବନ କରୁଥିବା ବେଳେ ବୀମାରୁ ବଂଚିତ ହେଉଛନ୍ତି ଅସଲି ଚାଷୀ । ନ୍ୟାୟ ପାଇବା ପାଇଁ ବଲାଙ୍ଗିର ଜିଲ୍ଲାର ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଦେଦର୍ହ ଗାଁର ଅସଲି ଚାଷୀମାନେ ବଲାଙ୍ଗିର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସଂପୃକ୍ତ ଚାଷୀମାନେ ଅଭିଯୋଗ କରିଛନ୍ତି ଯେ, ସେମାନଙ୍କ ଚାଷ ଜମି ଗୁଡ଼ିକ ଦେଖାଇ ନୂଆପଡ଼ା ଜିଲ୍ଲାର ଖରିଆର ଥାନା ଅନ୍ତର୍ଗତ ବଙ୍କାପୁର ଗାଁର ଗୁଣବନ୍ତ ବେହେରା ଓ ଶ୍ରୀମତୀ ଆଭା ବେହେରା ବେଆଇନ ଭାବରେ ଖରିଫ୍‌ ଫସଲ ବୀମା କରିନେଇଛନ୍ତି ଓ ଚାଷୀଙ୍କ ହକ୍‌କୁ ଛଡ଼ାଇ ନେଇଛନ୍ତି । ଚାଷୀମାନଙ୍କ କହିବାନୁସାରେ ସେମାନେ ଯେତେବେଳେ ବୀମା କରିବା ପାଇଁ ଏକ ସେବା ସମବାୟ ସମିତିକୁ ଗଲେ, ସେତେବେଳେ ଜାଣିବାକୁ ପାଇଲେ ଯେ ସେମାନଙ୍କ ଚାଷ ଜମି ଉପରେ ବୀମା ହୋଇସାରିଛି । ତେବେ ଚାଷୀମାନେ ଖପ୍ରାଖୋଲ କୃଷି ଅଧିକାରୀଙ୍କ ପାଖରୁ ଜାଣିବାକୁ ପାଇଲେ ଯେ, ସେମାନଙ୍କ ଜମିରେ ଉପରୋକ୍ତ ନକଲି ଚାଷୀମାନେ ନିଜ ଆକାଉଣ୍ଟ ନମ୍ବର ଦେଇ ବୀମା କରେଇ ନେଇଛନ୍ତି । ଏହି ବିଷୟରେ ନିଶ୍ଚିତ ହେବାପରେ ଗ୍ରାମର ଚାଷୀମାନେ ଦଳବଦ୍ଧ ଭାବରେ ଗତ ୨୩ ତାରିଖ ସଂପୃକ୍ତ ନକଲି ଚାଷୀଙ୍କ ନାମରେ ଖପ୍ରାଖୋଲ ଥାନାରେ ଏଫଆଇଆର୍‌ ଦେବା ସହ ଆଜି ବଲାଙ୍ଗିର ଜିଲ୍ଲାପାଳଙ୍କୁ ଭେଟି ତୁରନ୍ତ ନ୍ୟାୟ ପାଇବାକୁ ଅନୁରୋଧ କରିଛନ୍ତି । ଚାଷୀମାନେ କହିଛନ୍ତି ଯେ, ଆସନ୍ତା ୩୧ ତାରିଖ ବୀମା ପାଇଁ ଶେଷ ତାରିଖ ଧାର୍ୟ୍ୟ ହୋଇଥିବା ବେଳେ ସଂପୃକ୍ତ ନକଲି ଚାଷୀଙ୍କ ବେଆଇନ ବୀମା ଖାରଜ ନ ହେଲେ ଅସଲି ଚାଷୀ ନିଜ ନାମରେ ବୀମା କରାଇ ପାରିବନାହିଁ । ଏଣୁ ଜିଲ୍ଲାପାଳ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ସେମାନେ ଅନୁରୋଧ କରିଛନ୍ତି । ଦେଦର୍ହ ଗ୍ରାମର ଚାଷୀ ସୁବାସ ଚନ୍ଦ୍ର ମେହେର, ଗଂଗାଧର ବେହେରା, ଦେବରାଜ ପଧାନ, ରୂପବନ୍ତ ପଧାନ, ନିତ୍ୟାନନ୍ଦ ଗଡ଼ତିଆ, କିଶୋର ମେହେର, ମହାଦେବ ମେହେର, ଭକ୍ତଚରଣ ପଧାନ, କୃଷ୍ଣ ପଧାନ ପ୍ରମୁଖ ଜିଲ୍ଲାପାଳଙ୍କ ଭେଟି ନିଜ ସମସ୍ୟା ସଂପର୍କରେ ଅବଗତ କରାଇଥିବା ପ୍ରକାଶ କରିଛନ୍ତି ।

jayashree
Leave A Reply

Your email address will not be published.