
ଭୁବନେଶ୍ୱର : ପୋଲିସକୁ ଚକ୍ମା ଦେଇ ଫୋରର୍ ହେବାକୁ ଉଦ୍ୟମ କରୁଥିଲା ହାଇଦର୍ । ପୋଲିସ ଏନ୍କାଉଣ୍ଟର୍ରେ ଶେଷରେ ପ୍ରାଣ ହରାଇଲା । ସୂଚନା ଅନୁସାରେ କଡ଼ା ପୋଲିସ ବଳୟରେ କଟକରୁ ବାରିପଦାକୁ କର୍ଡନ କରି ହାଇଦର୍କୁ ସିଫ୍ଟ କରାଯାଉଥିଲା । କିନ୍ତୁ ଅଧା ବାଟରେ ଖସି ପଳାଇବାର ପ୍ଲାନ କରି ପରିସ୍ରା ଯିବାକୁ କହିଥିଲା ସେ । ପୋଲିସ ସିମୁଳିଆ ନିକଟରେ ଅପରାହ୍ନ ୩ଟା ୨୦ରେ ଭ୍ୟାନ ଅଟକାଇ ହାଇଦରକୁ ପରିସ୍ରା କରିବାକୁ ଅନୁମତି ଦେଇଥିଲା । ବାସ୍ତବରେ ପରିସ୍ରା ବାହାନାରେ ହାଇଦର କରିଥିଲା ଚଂପଟ ମାରିବାକୁ ଯୋଜନା ଏବଂ ପରିଣତି ସ୍ୱରୂପ ପୋଲିସ ଏନକାଉଣ୍ଟରରେ ପ୍ରାଣ ହରାଇଛି ଗ୍ୟାଙ୍ଗଷ୍ଟାର୍ ହାଇଦର୍ । ଖବର ଅନୁଯାୟୀ ପରିସ୍ରା କରିବା ସମୟରେ ଦୌଡ଼ିବାକୁ ଆରମ୍ଭ କରିଥିଲା ସେକ୍ ହାଇଦର । ପୋଲିସ ବାଧ୍ୟ ହୋଇ ହାଇଦର୍କୁ କାବୁ କରିବା ପାଇଁ ସିମୁଳିଆ ନିକଟରେ ଏନକାଉଣ୍ଚଟର କରିଥିଲା । ଗୁଳି ମାଡରେ ଗୁରୁତର ଆହତ ହୋଇଥିବା ହାଇଦରକୁ କାବୁ କରି ପୋଲିସ ବାଲେଶ୍ୱର ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ହାଇଦର୍ର ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।