ଘରୋଇ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ପାଇଁ ପ୍ରୟାସ ଆରମ୍ଭ : ଜିଲ୍ଲାପାଳଙ୍କ ଅଚାନକ ପରିଦର୍ଶନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବହୁ ବାଦବିବାଦ ହୋଇ ଦୀର୍ଘଦିନ ଧରି ପୌରପରିଷଦ ଦ୍ୱାରା ନିର୍ମିତ ଘରୋଇ ବସଷ୍ଟାଣ୍ଡ ପଡ଼ି ରହିଥିଲା । କିଛି ଦିନ ପୂର୍ବେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଆଜି ନୂତନ ଜିଲ୍ଲାପାଳ ତଥା ପୌର ପ୍ରଶାସିକା ମନୀଷା ବାନାର୍ଜୀ ବନ୍ଦ୍ ହୋଇ ପଡି ରହିଥିବା ଘରୋଇ ବସଷ୍ଟାଣ୍ଡକୁ ଅଚାନକ ପରିଦର୍ଶନ କରିଥିଲେ । ସେଠାରେ ଅସମ୍ପୂର୍ଣ୍ଣ ହୋଇ ପଡି ରହିଥିବା କାମକୁ ଶୀଘ୍ର କରିବାକୁ ପୌର ଅଧିକାରୀ ଓ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ବସଷ୍ଟାଣ୍ଡ ଯାତ୍ରୀବାହୀ ବସ୍‌ ରହଣୀ ଏବଂ ଯାତ୍ରୀଙ୍କ ସୁବିଧା ଦୃଷ୍ଟିରୁ ବରଗଡ଼-ଭେଡ଼େନ କେନାଲ ରାସ୍ତା ପାର୍ଶ୍ୱରେ ନୂତନ ଘରୋଇ ବସ୍‌ଷ୍ଟାଣ୍ଡ ନିର୍ମିତ ହୋଇଛି । ଏହା ୨୦୧୮ ନଭେମ୍ବର ୨୫ରେ ଉଦଘାଟିତ ହୋଇଥିଲା । ଇତିମଧ୍ୟରେ ଅଢ଼େଇ ବର୍ଷ ବିତିଯାଇଥିଲେ ସୁଦ୍ଧା ଉକ୍ତ ବସଷ୍ଟାଣ୍ଡକୁ ବ୍ୟବହାର ହୋଇପାରିନାହିଁ । ନିର୍ମାଣରେ ତ୍ରୁଟି ରହିଥିବା ଅଭିଯୋଗ କରି ଘରୋଇ ବସ୍‌ ମାଲିକ ସଂଘ ନୂତନ ବସ୍‌ଷ୍ଟାଣ୍ଡକୁ ବିରୋଧ କରି ପୁରୁଣା ବସ୍‌ଷ୍ଟାଣ୍ଡକୁ ବ୍ୟବହାର କରି ଆସୁଛନ୍ତି । ବରଗଡ଼ ଘରୋଇ ବସ୍‌ଷ୍ଟାଣ୍ଡରୁ ପ୍ରତିଦିନ ପ୍ରାୟ ୩ଶହ ଯାତ୍ରୀବାହୀ ବସ୍‌ ଯାତାୟାତ କରୁଛି । ଏହାକୁ ଦୃଷ୍ଟିରେ ରଖି ପୌର ପ୍ରଶାସନ ପକ୍ଷରୁ ସାଢ଼େ ୫କୋଟି ଟଙ୍କା ବ୍ୟୟ ଅଟକଳରେ ନୂତନ ଘରୋଇ ବସ୍‌ଷ୍ଟାଣ୍ଡ ନିର୍ମାଣ କରାଯାଇଛି । କିନ୍ତୁ ଏପର୍ଯ୍ୟନ୍ତ ବସ୍‌ଷ୍ଟାଣ୍ଡ ପରିସରରେ ବସ୍‌ ରହଣୀ ହୋଇନାହିଁ । ଅପରପକ୍ଷେ ବସ୍‌ଷ୍ଟାଣ୍ଡରେ ଗୋରୁ, ଛେଳିମେଣ୍ଢା ବୁଲାବୁଲି କରୁଥିବା ଦେଖିବାକୁ ମିଳୁଛି । ଦୀର୍ଘ ଅଢ଼େଇ ବର୍ଷ ଧରି ନୂଆ ଘରୋଇ ବସ୍‌ଷ୍ଟାଣ୍ଡ କାର୍ଯ୍ୟକ୍ଷମ ହୋଇ ନ ପାରିବା ଦୁର୍ଭାଗ୍ୟଜନକ ବୋଲି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନ୍ୟପଟେ ଯାତ୍ରୀଙ୍କ ସୁବିଧା ପାଇଁ ନିର୍ମିତ ନୂଆ ବସ୍‌ଷ୍ଟାଣ୍ଡ ସେଭଳି ପଡ଼ି ରହିଛି ଏବଂ ଅସାମାଜିକ ତତ୍ୱଙ୍କ ଆଡ୍ଡାସ୍ଥଳ ପାଲଟିଛି । ଏହାକୁ ତୁରନ୍ତ କାର୍ଯ୍ୟକ୍ଷମ କରାଗଲେ ଯାତ୍ରୀମାନେ ଉପକୃତ ହୋଇପାରିବେ ବୋଲି ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.