ଛତ୍ରପୁର ଅନସ୍ଲୋ ସରକାରୀ ହାଇସ୍କୁଲରେ ସ୍ମାର୍ଟ-କ୍ଲାସ ପ୍ରବର୍ତ୍ତନ କାର୍ଯ୍ୟକ୍ରମ ଆରମ୍ଭ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁରରେ ବ୍ରିଟୀଶ ରାଜତନ୍ତ୍ର ପ୍ରତିଷ୍ଠା ହୋଇଥିବା ସମୟରେ ଭାରତର ସର୍ବପ୍ରଥମ ଜିଲ୍ଲା ହେଡକ୍ୱାଟର ଭାବେ ପରିଗଣିତ ହୋଇଥିଲା ।

ତତ୍କାଳୀନ ଇଂରେଜ ସରକାରଙ୍କ ଅମଳର ମାଡ୍ରାସ ପ୍ରେସିଡେନ୍ସିଙ୍କ ପ୍ରତିନିଧି ଶାସକ ସାର ଆର୍ଥର ପୁଲି ଅନସ୍ଲୋଙ୍କ ସହଧର୍ମିଣୀଙ୍କ ଅକାଳ ବିୟୋଗରେ ତାହାଙ୍କ ସ୍ମୃତିରେ ୧୮୫୫ ମସିହାରେ ଛତ୍ରପୁର ସଦର ଦପ୍ତରାଞ୍ଚଳରେ ଅନସ୍ଲୋ ଇନଷ୍ଟିଚ୍ୟୁଟ ନାମରେ ଓଡ଼ିଶାର ଏକମାତ୍ର ପ୍ରତିଷ୍ଠିତ ଆଦର୍ଶ ବିଦ୍ୟାଳୟ ସ୍ଥାପିତ ହୋଇଥିଲା ।

ଅନସ୍ଲୋ ସାହେବାଙ୍କ ସ୍ମୃତିରେ ପ୍ରାରମ୍ଭିକ ପ୍ରଚେଷ୍ଟା ଓ ଆର୍ଥିକ ସହାୟତାରେ ଛତ୍ରପୁରରେ ଆରମ୍ଭ ହୋଇଥିବା ଅନସ୍ଲୋ ଶିକ୍ଷାନୁଷ୍ଠାନ ଏବେ ୧୬୬ ବର୍ଷରେ ପଦାର୍ପଣ କରି ଅପୂର୍ବ ଗୌରବ ଗାଥା ବହନ କରେ । ଏହି ଐତିହ୍ୟ ସମ୍ପନ୍ନ ବିଦ୍ୟାଳୟକୁ ଏବେ ସ୍ମାର୍ଟ ବିଦ୍ୟାଳୟରେ ପରିଣତ କରି ଶିକ୍ଷାଦାନ ପ୍ରକ୍ରିୟାକୁ ଆହୁରି କ୍ରିୟାଶୀଳ କରିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଉଦ୍ୟମ ଆରମ୍ଭ ହୋଇଛି । ଏବେ ଜିଲ୍ଲାର କିଛି ବିଦ୍ୟାଳୟକୁ ଚିହ୍ନଟ କରି ସେଗୁଡିକୁ ସ୍ମାର୍ଟ ବିଦ୍ୟାଳୟ ରୂପେ ପ୍ରବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଖୋଦ ଗଞ୍ଜାମ ଜିଲ୍ଲାପାଳ । ସ୍ମାର୍ଟ କ୍ଲାସ ପ୍ରବର୍ତ୍ତନ ବିଦ୍ୟାଳୟ ନାମରେ ଏହି କାର୍ଯ୍ୟକ୍ରମରେ ଚିହ୍ନଟ ବିଦ୍ୟାଳୟ ପରିସରରେ ପ୍ରାଥମିକ ପର୍ଯ୍ୟାୟରେ ୨ ବା ୩ଟି ସ୍ମାର୍ଟ ଶ୍ରେଣୀ ସହ ଏକ ଉନ୍ନତମାନର ବିଜ୍ଞାନାଗାର, ଇ-ଲାଇବ୍ରେରୀ, ଉନ୍ନତ ମାନର ଅତ୍ୟାଧୁନିକ ଶୌଚାଳୟ ଓ କ୍ରୀଡାକ୍ଷେତ୍ର ସୁବିଧା ଏକ ପରିସର ମଧ୍ୟରେ ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ୪୫ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଛତ୍ରପୁର ପଞ୍ଚାୟତ ସମିତି ଆନୁକୂଲ୍ୟରେ ପ୍ରସ୍ତୁତ ଏହି ଯୋଜନାର ସଫଳ ରୂପାୟନ ପାଇଁ କାର୍ଯ୍ୟକାରୀ ହେଉଥିବା ବିଦ୍ୟାଳୟର ପ୍ରଧାନଶିକ୍ଷକ / ପ୍ରଧାନ- ଶିକ୍ଷୟତ୍ରୀ, କିରାଣୀ, ଶିକ୍ଷକ/ଶିକ୍ଷୟତ୍ରୀ, ପୁରାତନ ଛାତ୍ର ସଂଗଠନ ଅଥବା ଆଲୁମିନି, ଅବିଭାବକଙ୍କୁ ସାମିଲ କରାଯାଇଛି । ମଙ୍ଗଳବାର ଦିନ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅନସ୍ଲୋ ଶିକ୍ଷାନୁଷ୍ଠାନ ପରିସରରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମର ପରିଦର୍ଶନରେ ଆସି ସମୀକ୍ଷା କରିବା ସହ ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ଶିକ୍ଷାଧିକାରୀ ଅମୂଲ୍ୟ ପ୍ରଧାନ, ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ନିର୍ଦ୍ଦେଶିକା ବିନିତା ସେନାପତି, ବିଇଓ ଅବିନାଶ ଶତପଥୀ, ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାସ, ତହସିଲଦାର ନୀଳ ମାଧବ ଭୋଇ, ବ୍ଳକ ଅଧ୍ୟକ୍ଷ ଏମ୍. ଧନଞ୍ଜୟ ରେଡ୍ଡୀ, କାର୍ଯ୍ୟକାରୀ ପ୍ରଧାନ ଶିକ୍ଷୟତ୍ରୀ ଅମୃତା ପାଣିଗ୍ରାହୀ, ଆଲୁମନି ସମ୍ପାଦକ ଶ୍ରୀକାନ୍ତ ମହାନ୍ତି, ପୁରାତନ ଛାତ୍ର ସର୍ବଶ୍ରୀ ଅରୁଣ ଶତପଥୀ, ସୟେଦ ମୁକ୍ତାର, ରାଜେନ୍ଦ୍ର ସାହୁ, କ୍ଷୀରୋଦ ସାହୁ, ରବିନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.