ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଏକ ଦାଦନ ପ୍ରବଣ ଅଞ୍ଚଳ । ନିଜ ପେଟପାଟଣା ପାଇଁ ପ୍ରତ୍ୟେକ ବର୍ଷ ହଜାର ହଜାର ଶ୍ରମିକ ଦାଦନ ଶ୍ରମିକ ଭାବେ ଅନ୍ୟ ରାଜ୍ୟକୁ କାମ କରିବା ପାଇଁ ଯାଆନ୍ତି । ବଲାଙ୍ଗିର ଜିଲ୍ଲାରେ ଶ୍ରମିକ ମାନଙ୍କୁ କାମ ଯୋଗଇବାରେ ପ୍ରଶାସନର ଅବହେଳା ଯୋଗୁଁ ଏଭଳି ଅଭାବନୀୟ ଘଟଣା ପ୍ରତ୍ୟେକ ବର୍ଷ ଦେଖିବାକୁ ମିଳିଥାଏ । ତେବେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କରମତଲା ପଞ୍ଚାୟତରେ ଶ୍ରମିକ ବଦଳେ ମେସିନ ସାଜିଛି ଠିକାଦାରଙ୍କ ପାଇଁ ସାହା ଭରସା । ରାଜ୍ୟ ସରକାର ଶ୍ରମିକ ମାନଙ୍କୁ ମନରେଗା ଯୋଜନା କାମ ଯୋଗାଉ ଥିବା ଡିମଡିମ ପିଟୁଛନ୍ତି, ହେଲେ ଏଠି ସବୁ ଚାଲିଛି ଓଲଟା ଖେଳ । ଉକ୍ତ ପଞ୍ଚାୟତର ବିଭିନ୍ନ ସ୍ଥାନରେ ମେସିନ ଭରସାରେ କାମ କରାଯାଉ ଥିବା ଅଭିଯୋଗ ହୋଇଆସିଛି । ଠିକାଦାର ବାବୁ ମାନେ ମାଲେମାଲ ହେଉଥିବା ବେଳେ ଶ୍ରମିକ କାଙ୍ଗାଳ ହେଉଥିବା ପରିଲକ୍ଷିତ ହେଉଛି । ଅନ୍ୟପଟେ ବ୍ଳକରେ ୨୦୧୯-୨୦ ମସିହାରେ ମନରେଗା ଯୋଜନାରେ ସଫଳତା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରସ୍କୃତ ହୋଇଛି । ହେଲେ ଏହି ପୁରସ୍କୃତ ବ୍ଲକରେ ଦୁର୍ନୀତି ମାଳ ମାଳ । ସବୁ ଘଟଣା ତଦନ୍ତ ବଦଳେ ଘଟଣାକୁ ଚପାଇ ଦିଆଯାଇଥାଏ ବୋଲି ସାଧାରଣରେ ଅଭିଯୋଗ ହୁଏ । ଦୁଃଖର ବିଷୟ, ରାଜ୍ୟ ସରକାର ମନରେଗା ଯୋଜନା ମାଧ୍ୟମରେ କାମ ଯୋଗାଉଛନ୍ତି, ହେଲେ ଏଠି ତାହା ଫେଲ ମାରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଲୋକ ମନରେଗା ଯୋଜନା କାମ କରିଥିବା ଟଙ୍କା ମଧ୍ୟ ପାଇ ନଥିବା ଭଳି ସଙ୍ଗୀନ ଅଭିଯୋଗ ହେଉଛି । ଅନ୍ୟପଟେ କେତେ ଟଙ୍କାର କାମ ହୋଉଛି, କିଏ କାମ କରୁଛି ତାହା ମଧ୍ୟ ସୂଚନା ଫଳକ ନ ଥିବା ଜଣାପଡିଛି । ସୂଚନା ଅନୁସାରେ ବ୍ଳକର ଝାଙ୍କରମୁଣ୍ଡା ଗ୍ରାମରେ ୧୦ ଲକ୍ଷ ଟଙ୍କା ବ୍ୟୟରେ ପୋଖରୀ ଉନ୍ନତିକରଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ତେବେ ଏଥିରେ ମଧ୍ୟ ଶ୍ରମିକଙ୍କୁ ନିୟୋଜିତ କରାଯାଇ ନଥିଲା । କେବଳ ଏହି ପଞ୍ଚାୟତରେ ନୁହେଁ ବ୍ଳକର ୨୨ଟି ପଞ୍ଚାୟତରେ ମେସିନ ଭରସାରେ ମନରେଗା ଯୋଜନା ଚାଲିଥିବା କୁହାଯାଉଛି । ଏନେଇ ସଇଁନ୍ତଲା ବିଡିଓ ଦେବାଶିଷ ସାମଲଙ୍କୁ ପଚାରିବାରୁ ମୁଁ ଘଟଣା ସମ୍ପର୍କରେ କିଛି ଜାଣି ନାହିଁ ବୋଲି ସିଧାସଳଖ ଉତ୍ତର ଦେଇଥିଲେ । ଏଠାରେ ପ୍ରଶ୍ନ ଉଠେ ଯେ, ଜଣେ ବ୍ଳକ ପ୍ରଶାସକଙ୍କ ପାଖରେ ଘଟଣା ସମ୍ପର୍କରେ ଯଦି ତଥ୍ୟ ନାହିଁ, ତେବେ ଆଉ କାହା ପାଖରେ ଥିବ ? ଭିଜିଲାନ୍ସ ତଦନ୍ତ ପାଇଁ ଦାବୀ ହେଉଛି ।