ବୌଦ୍ଧ ପାଇଁ ଗୌରବ ଆଣିଲେ ଡା. କରୁଣାକର ନନ୍ଦ : ପଦାର୍ଥ ବିଜ୍ଞାନ ଅନୁଷ୍ଠାନର ନୂତନ ନିର୍ଦ୍ଦେଶକ ହେଲେ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଖଟଖଟିଆ ଗାଁର ଯୁବ ବୈଜ୍ଞାନିକ ଡା. କରୁଣାକର ନନ୍ଦ ଭୁବନେଶ୍ୱର ସ୍ଥିତ ଇଷ୍ଟିଚ୍ୟୁଟ ଅଫ ଫିଜିକ୍ସ(ପଦାର୍ଥ ବିଜ୍ଞାନ ଅନୁଷ୍ଠାନ)ର ନୂତନ ନିର୍ଦ୍ଦେଶକ ଭାବେ ଗୁରୁବାର ନିଯୁକ୍ତ ହୋଇଛନ୍ତି । ଏହା ପୂର୍ବରୁ ୨୦୦୫ ମସିହାରୁ ମେଟେରିଆଲ ରିସର୍ଚ୍ଚ ସେଣ୍ଟର, ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ, ବେଙ୍ଗାଳୁରୁର ଏଚଓଡ଼ି (ବିଭାଗୀୟ) ମୁଖ୍ୟ ରହିଥିଲେ । ଗତବର୍ଷ ନଭେମ୍ବର ମାସରେ ଆମେରିକା ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟର ପ୍ରକାଶିତ ରିପୋର୍ଟ ମୁତାବକ ଆପ୍ଲାଏଡ଼ ଫିଜିକ୍ସ କ୍ଷେତ୍ରରେ ସେ ବିଶ୍ୱର ଶ୍ରେଷ୍ଟ ଦୁଇ ପ୍ରତିଶତ ବୈଜ୍ଞାନିକ ମଧ୍ୟରେ ସ୍ଥାନ ପାଇଥିଲେ । ଏହି କ୍ଷେତ୍ରରେ ତାଙ୍କର ବିଶ୍ଵବ୍ୟାପୀ ମାନ୍ୟତା ୧୩୭୨, ସି ସ୍କୋର ୩.୭୧୯ ଓ ୦.୬୧୦ ପ୍ରତିଶତ ଶୀର୍ଷରେ ଥିଲେ ମୋଟ ୨୧୨ ରିସର୍ଚ୍ଚ ଥିଲା ବେଳେ ତାଙ୍କର ପ୍ରଥମ ପ୍ରକାଶନ ୧୯୯୪ ଓ ଶେଷ ପ୍ରକାଶନ ୨୦୨୦ ରହିଥିଲା । ଡକ୍ଟରେଟ ପରବର୍ତ୍ତୀ ଅଧିକ ଜ୍ଞାନ ଆହରଣ ଓ ରିସର୍ଚ୍ଚ ପାଇଁ ଜର୍ମାନୀ ଓ ଆୟରଲଣ୍ଡରେ ମଧ୍ୟ ଅଧ୍ୟୟନ କରିଛନ୍ତି । ସେ ସାମନ୍ତ ଚନ୍ଦ୍ରଶେଖର ଆୱାର୍ଡ, ଏମ୍‌ଆଇଏସ୍‌ଆଇ ଲେକଚରର ମେଡାଲ, ଜାପାନ ରଇନଭାଇଟେସନ ଫେଲୋସିପ ସହ ଆହୁରି ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଡା. ଶ୍ରୀ ନନ୍ଦ ଖଟଖଟିଆର ଜଣେ ସାଧାରଣ ଚାଷୀ ପରିବାରର ଦାମୋଦର ନନ୍ଦଙ୍କ ଏକ ମାତ୍ର ପୁତ୍ର ପିଲାଟି ଦିନରୁ ସେ ଖୁବ ମେଧାବୀ ଥିଲେ । ଖଟଖଟିଆ ନୋଡାଲ ସ୍କୁଲରେ ସେ ପ୍ରାଥମିକ ଶିକ୍ଷା ସମାପନ କରିଥିବା ବେଳେ, ମିଳିତ ପଂଚାୟତ ହାଇସ୍କୁଲରେ ଦଶମ, ସୋନପୁର ମହାବିଦ୍ୟାଳୟରେ ସ୍ନାତକ, ସମ୍ବଲପୁର ବିଶ୍ୱବିଦ୍ୟାଳୟ (ବୁର୍ଲା)ରେ ସ୍ନାତକୋତ୍ତର ଏବଂ ଏହି ଅନୁଷ୍ଠାନରୁ ପିଏଚଡ଼ି କରି ଏବେ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଥିବାରୁ ନିଜ ଗାଁ ଖଟଖଟିଆ ତଥା ବୌଦ୍ଧ ଜିଲାରେ ଖୁସିର ମାହୋଲ ଖେଳିଯାଇଛି । ଶ୍ରୀ ନନ୍ଦ ପିଲାଟି ଦିନରୁ ଖୁବ ଶାନ୍ତ, ସରଳ ସ୍ୱଭାବର ଥିଲେ ଏବଂ ସେ ବେଶ ଖେଳ ପ୍ରିୟ ମଧ୍ୟ ଥିଲେ । ତାଙ୍କର ଖେଳ ସାଥି ସଂକୀର୍ତନ ଦେହୁରୀ, ଭୁବନେଶ୍ୱର ବସ୍ତିଆ, ପଞ୍ଚାନନ ପ୍ରଧାନ, କମ୍ଭୁ ମାଝୀ ପ୍ରମୁଖଙ୍କ ଭିତରେ ଖୁସି ହୋଇ ଆମ ପାଇଁ ଗୌରବ ବୋଲି କହିଛନ୍ତି ।

jittmm
Leave A Reply

Your email address will not be published.