ଜଙ୍ଗଲରୁ ଉଦ୍ଧାର ହେଲା ଝୁଲନ୍ତା ଗଳିତ ଶବ

ଟିଟିଲାଗଡ, (ଗୌରବ ଦର୍ଜୀ) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ଥାନା ଅନ୍ତର୍ଗତ ଭାଲେଗାଁ ପଞ୍ଚାୟତର କାନିଝୁରି ଗାଁ ନିକଟ ଫୁଲମତି ଜଙ୍ଗଲରୁ ଏକ ଝୁଲନ୍ତା ଶବ ଗଳିତ ଅବସ୍ଥାରେ ଉଦ୍ଧାର କରିଛି ଟିଟିଲାଗଡ ପୋଲିସ । ଗତକାଲି କିଛି ଛେଳି ଚରାଳି ଜଙ୍ଗଲକୁ ଛେଳି ଚରାଇବା ପାଇଁ ଯାଇଥିବା ବେଳେ ଏକ ବୃଦ୍ଧ ବ୍ୟକ୍ତିର ଝୁଲନ୍ତା ଶବକୁ ଦେଖିବାକୁ ପାଇଥିଲେ । ସେମାନେ ଟିଟିଲାଗଡ ପୋଲିସକୁ ଖବର ଦେବା ପରେ ଥାନା ଅଧିକାରୀ ରଞ୍ଜନ ବରିହା ଉକ୍ତ ସ୍ଥାନକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । କିନ୍ତୁ ସନ୍ଧ୍ୟା ସମୟ ହେବାରୁ ସେଠାରେ ଗାଁ ଲୋକଙ୍କ ସହ କିଛି ପୋଲିସ କର୍ମଚାରୀଙ୍କୁ ଘଟଣା ସ୍ଥଳରେ ରାତିରେ ରହିବ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଜି ସକାଳୁ ଟିଟିଲାଗଡ ଥାନା ଅଧିକାରୀ ରଞ୍ଜନ ବରିହାଙ୍କ ସହ ଏକ ପୋଲିସ ଟିମ୍ ଓ ମେଡିକାଲ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି । କିନ୍ତୁ ଶବଟି ଗଳିତ ଅବସ୍ଥାରେ ମିଳିଥିବାରୁ ପରିଚୟ କିଛି ମିଳି ପରିନାହିଁ । ପୋଲିସ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.