ମ.ରାମପୁର, (ହେମନ୍ତ ସାହୁ) : ପୌରାଣିକ ଆଖ୍ୟାନ ଅନୁଯାୟୀ ଉତ୍କଳୀୟ ସଂସ୍କୃତିରେ ସାବିତ୍ରୀ ବ୍ରତ ପତି-ପତ୍ନୀର ଏକ ଅନାବିଳ ଭଲପାଇବାର ଦିନ । ଏହି ଦିନ ସାବିତ୍ରୀମାନେ ନିଜ ନିଜ ସତ୍ୟବାନଙ୍କ ଦୀର୍ଘାୟୁ କାମନା କରି ଓଷା ବ୍ରତ ପାଳନ କରିଥାନ୍ତି । ଯୋଉଠି ରହିଥାଏ ଏକ ପବିତ୍ର ଭଲପାଇବା ଓ ସମର୍ପଣ । କିନ୍ତୁ ଏହିଭଳି ଏକ ପବିତ୍ର ଦିବସରେ ପ୍ରେମ କରି ବିବାହ କରିଥିବା ପତି ନିଜ ପତ୍ନୀକୁ ସାବିତ୍ରୀ ବ୍ରତ ଦିନ ବିଷ ପିଆଇ ମାରିଦେବା ଭଳି ଚାଞ୍ଚଲ୍ୟକର ଏକ ଘଟଣା ସାମ୍ନାକୁ ଆସିଛି । କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନାର ଆଭ୍ୟନ୍ତରୀଣ ତଥା ଉଚ୍ଚପାହାଡ଼ ଘେରା ଅଂଚଳ ସିର୍କିହେଜୁ ଗ୍ରାମର ଯୁବକ ନୀଳାମ୍ବର ବୈଠାରୁ(୨୯)ଗତ ପ୍ରାୟ ପାଂଚବର୍ଷ ତଳେ ନିଜ ଗାଁର ପୁଷ୍ପାଂଜଳି ବୈଠାରୁ(୨୨)ଙ୍କୁ ପ୍ରେମ ବିବାହ କରିଥିଲେ । ବିବାହର ଦୁଇ ବର୍ଷ ପ୍ରାୟ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିଥିଲା । କିନ୍ତୁ ଧୀରେ ଧୀରେ ଏହି ସଂପର୍କରେ ଫାଟ ସୃଷ୍ଟି ହେଲା । ସ୍ୱାମୀ ଜଣକ ପ୍ରାୟ ପ୍ରତିଦିନ ମଦ୍ୟପାନ କରୁଥିଲେ, ଯାହାକୁ ଦେଇ ଘରେ ଅଶାନ୍ତି ଲାଗି ରହୁଥିଲା । ତେବେ ସାବିତ୍ରୀ ପୂଜା ଦିନ ଜୋର ଜବରଦସ୍ତ ପୁଷ୍ପାଂଜଳିକୁ ବିଷ ପିଆଇ ଦେଇଥିଲେ । ଗୁରୁତର ପୁଷ୍ପାଞ୍ଜଳିଙ୍କୁ ପ୍ରଥମେ ମ.ରାମପୁର ଡ଼ାକ୍ତରଖାନା ଓ ପରେ ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା ମୃତଦେହ । ତେବେ ଏନେଇ ମ.ରାମପୁର ଥାନାରେ ମୃତ ମହିଳାଙ୍କ ପିତା ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ମ.ରାମପୁର ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି ।
Prev Post