ଆସାମ ସିଏମ୍ ନିବେଦନ କଲେ ମୁସଲମାନମାନଙ୍କୁ : ଦାରିଦ୍ର୍ୟର କାରଣ ଜନସଂଖ୍ୟାରେ ଅନିୟନ୍ତ୍ରିତ ବୃଦ୍ଧି, ଫେମିଲି ପ୍ଲାନିଂ କରନ୍ତୁ

ଗୁଆହାଟୀ : ଆସାମର ତିନିଟି ଜିଲ୍ଲାରୁ ଜବର୍‌ଦଖଲ୍‌ ହୋଇଥିବା ଜମିରୁ ଅନେକ ପରିବାରକୁ ସ୍ଥାନାନ୍ତରିତ ହେବାର କିଛି ଦିନ ପରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍‌ମା ମୁସଲମାନମାନଙ୍କୁ ଦାରିଦ୍ର୍ୟ ହ୍ରାସ କରିବା ଉଦ୍ଦେଶ୍ୟରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଉପଯୁକ୍ତ ପରିବାର ନିୟନ୍ତ୍ରଣ ଯୋଜନା ନୀତି ଆପଣାଇବାକୁ ଅନୁରୋଧ କରିଛନ୍ତି । ତାଙ୍କ ସରକାରର ୩୦ ଦିନ ପୂରଣ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସମସ୍ତ ହିତାଧିକାରୀ ଆଗକୁ ଆସି ସମାଜରେ ଦାରିଦ୍ର୍ୟ ହ୍ରାସ କରିବାରେ ସହାୟତା କରିବା ଉଚିତ୍ । ଦାରିଦ୍ର୍ୟର କାରଣ ହେଉଛି ଜନସଂଖ୍ୟାରେ ଅନିୟନ୍ତ୍ରିତ ଅଭିବୃଦ୍ଧି ।

ଆସାମରେ ୨୦୧୧ ଜନଗଣନା ଅନୁଯାୟୀ, ୩.୧୨ କୋଟି ଜନସଂଖ୍ୟାର ୩୪.୨୨ ପ୍ରତିଶତ ମୁସଲମାନ ଏବଂ ଅନେକ ଜିଲ୍ଲାରେ ଏହି ସମ୍ପ୍ରଦାୟ ସଂଖ୍ୟାଗରିଷ୍ଠତା ହାସଲ କରିଛନ୍ତି । ଖ୍ରୀଷ୍ଟିଆନମାନେ ରାଜ୍ୟର ମୋଟ ଜନସଂଖ୍ୟାର ୩.୭୪ ପ୍ରତିଶତ ଥିବାବେଳେ ଶିଖ, ବୌଦ୍ଧ ଏବଂ ଜୈନ ଜନସଂଖ୍ୟାର ଏକ ପ୍ରତିଶତରୁ କମ୍ ଅଂଶ ଗ୍ରହଣ ରହିଛି । ରାଜ୍ୟର ତିନୋଟି ଜିଲ୍ଲାର ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କର ଜବର୍‌ଦଖଲ୍‌ ହୋଇଥିବା ଜମିରୁ ବହିଷ୍କୃତ ହୋଇଥିବା ଘଟଣା ସମ୍ପର୍କରେ ସେ କହିଛନ୍ତି ଯେ, ମନ୍ଦିର, ବୈଷ୍‌ଷ୍ଣବ ଅନୁଷ୍ଠାନ ଏବଂ ଜଙ୍ଗଲ ଜମିକୁ ଜବର୍‌ଦଖଲ୍‌ କରିବାକୁ ସରକାର ଅନୁମତି ଦେଇ ପାରିବେ ନାହିଁ ଏବଂ ସମ୍ପ୍ରଦାୟର ସଦସ୍ୟମାନେ ମଧ୍ୟ ସରକାରଙ୍କ ନୀତିକୁ ସ୍ୱୀକାର କରିଥିଲେ ।

ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଲୋକମାନଙ୍କୁ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ସମ୍ପ୍ରଦାୟର ନେତାମାନଙ୍କୁ ଅନୁରୋଧ କରିଥିଲେ । ଶର୍‌ମା କହିଛନ୍ତି ଯେ, ଯେତେବେଳେ ଜନସଂଖ୍ୟା ବୃଦ୍ଧି ହେତୁ ବାସସ୍ଥାନ ହ୍ରାସ ପାଇବାରେ ଲାଗେ, ସେତେବେଳେ ଜମି ଜବର୍‌ଦଖଲ୍‌ ଆରମ୍ଭ ହୁଏ । ସେ ସମ୍ପ୍ରଦାୟର ନେତାମାନଙ୍କୁ ଅନୁରୋଧ କରିଛନ୍ତି ଯେ, ଜବର୍‌ଦଖଲ୍‌ ହୋଇଥିବା ଜମି ଖାଲି କରିଥିବାରୁ ସରକାରଙ୍କୁ ସମାଲୋଚନା କରିବା ପରିବର୍ତ୍ତେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଲୋକଙ୍କୁ ଉତ୍ସାହିତ କରନ୍ତୁ ।

Leave A Reply

Your email address will not be published.