କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ସମ୍ପାଦକ ଓ ପ୍ରକାଶକଙ୍କୁ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ସାମିଲ ପାଇଁ ଦାବୀ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ରାଜ୍ୟର ବିଭିନ୍ନ ସ୍ଥାନରୁ ଧାରାବାହିକ ଭାବେ ପ୍ରକାଶ ପାଉଥିବା ଆରଏନଆଇ ରେଜିଷ୍ଟ୍ରିଭୁକ୍ତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରର ପ୍ରକାଶକ ଓ ସମ୍ପାଦକମାନଙ୍କୁ ରାଜ୍ୟ ସରକାରଙ୍କ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରାଯିବାକୁ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ସଭାପତି ରବି ରଥ ମୁଖ୍ୟମନ୍ତ୍ରୀଙ୍କୁ ଏକ ପତ୍ର ଜରିଆରେ ଅନୁରୋଧ କରିଛନ୍ତି । ଶ୍ରୀ ରଥ ଏଥିରେ ଉଲ୍ଲେଖ କରିଛନ୍ତି ଯେ ରାଜ୍ୟ ସରକାର ବୃତ୍ତିଗତ ସାମ୍ବାଦିକମାନଙ୍କ ସୁରକ୍ଷା ସହିତ ମୃତ୍ୟୁବରଣ କରିଥିବା ସାମ୍ବାଦିକମାନଙ୍କୁ ଆର୍ଥିକ ସହାୟତା ଘୋଷଣା କରିଥିବା ସ୍ୱାଗତଯୋଗ୍ୟ ପଦକ୍ଷେପ । କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ ଯେଉଁ ସମ୍ପାଦକ ଓ ପ୍ରକାଶକମାନେ ବର୍ଷ ବର୍ଷ ଧରି ରାଜ୍ୟର ବିିଭିନ୍ନ ଅଞ୍ଚଳରୁ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ପ୍ରକାଶନ କରି ଆସୁଛନ୍ତି ସେମାନଙ୍କ ପାଇଁ କୌଣସି ବ୍ୟବସ୍ଥା ଲାଗୁ ହୋଇନାହିଁ । ଇତିମଧ୍ୟରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ୯ ଜଣ ସମ୍ପାଦକଙ୍କ ପରଲୋକ ହୋଇଥିବା ବେଳେ ୩୮ ଜଣ ସାମ୍ବାଦିକଙ୍କ ମୃତ୍ୟୁ ଘଟିଛି । ବର୍ତ୍ତମାନ ସେମାନଙ୍କ ପରିବାର ଘୋର ଆର୍ଥିକ ଅନାଟନ ଦେଇ ଗତି କରୁଛନ୍ତି । ତେଣୁ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରାଯାଇଛି । ଓଡ଼ିଶାର ପଡେ଼ାଶୀ ରାଜ୍ୟମାନେ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ସମ୍ପାଦକମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେଇଥିବା ବେଳେ ଓଡ଼ିଶା ସରକାର କିନ୍ତୁ ଏଥିପ୍ରତି ଦୃଷ୍ଟି ନ ଦେବା ପରିତାପର ବିଷୟ । ଓଡ଼ିଶାର ବିଭିନ୍ନ ସ୍ଥାନରୁ ବହୁ ସଂଖ୍ୟାରେ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ପ୍ରକାଶ ପାଉଥିବା ବେଳେ ଓଡ଼ିଶା ସରକାର କେତେକ ନିର୍ଦ୍ଦିଷ୍ଟ ସମ୍ବାଦପତ୍ରକୁ ଅନୁମୋଦନ କରିଛନ୍ତି । ଇତିମଧ୍ୟରେ ସରକାରୀ ଅନୁମୋଦନ ପାଇଁ ବହୁ ସମ୍ବାଦପତ୍ର ଆବେଦନ କରିଥିବା ବେଳେ ସେଥିପ୍ରତି ସରକାର ଆଦୌ ଦୃଷ୍ଟି ଦେଉନାହାନ୍ତି । ନିୟମିତ ଭାବେ ସରକାରୀ ନିର୍ଦ୍ଦେଶନାମା ଅନୁପାଳନ ପୂର୍ବକ ଓଡ଼ିଶାରେ ପ୍ରକାଶ ପାଉଥବା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରଗୁଡ଼ିକର ସମ୍ପାଦକ ଓ ପ୍ରକାଶକମାନଙ୍କର ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନାରେ ଅନ୍ତର୍ଭୁକ୍ତ ପାଇଁ ଶ୍ରୀ ରଥ ଦାବି କରିଛନ୍ତି ।

Leave A Reply

Your email address will not be published.