କମୁଛି ସଂକ୍ରମଣ, ସୁଧୁରୁଛି ଅବସ୍ଥା : ସମସ୍ତଙ୍କ ସହଯୋଗ ଦ୍ୱାରା ଖୁବ କମ୍ ସମୟରେ ସୁଧୁରିଛି ଜିଲ୍ଲାର କୋଭିଡ ବ୍ୟବସ୍ଥା : ଜିଲ୍ଲାପାଳ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲାରେ ଗତ ଦୁଇ ମାସ ଧରି ମାହାମାରୀ ତାଣ୍ଡବ ରଚିଥିଲା । କିନ୍ତୁ ଦୁଇ ସପ୍ତାହ ହେବ ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି । ଦିନକୁ ୫୫୦ ଜଣ ସଂକ୍ରମିତ ସଂଖ୍ୟା ଏବେ ଖସି ଦିନକୁ ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟାରେ ପହଞ୍ଚିଛି । ଆଜି ରପୋର୍ଟ ଅନୁସାରେ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୪୯ ରହିଛି । ସଂକ୍ରମିତ ସଂଖ୍ୟା ସାରା ଜିଲ୍ଲାରେ କମିଥିବା ବେଳେ ଜନସାଧାରଣଙ୍କ ମଧ୍ୟରେ ଅଶ୍ୱସ୍ତି ପ୍ରକାଶ ପାଇଛି । ତେବେ କରୋନା ବିପକ୍ଷରେ ଲଢେଇରେ ସମସ୍ତଙ୍କ ସହଯୋଗ ଦ୍ୱାରା ରେକର୍ଡ ସମୟ ଭିତରେ ଜିଲ୍ଲାର କୋଭିଡ ବ୍ୟବସ୍ଥା ସୁଧୁରି ପାରିଛି । ଏହା ଜିଲ୍ଲା ପ୍ରଶାସନ, ପୋଲିସ ବିଭାଗ, ସ୍ୱାସ୍ଥବିଭାଗ, ସରକାର, ନିର୍ବାଚିତ ନେତୃବୃନ୍ଦ, ସମାଜିକ ସଂଗଠନ ସମସ୍ତଙ୍କ ସହଯୋଗ ଦ୍ୱାରା ସମ୍ଭବ ହୋଇପାରିଛି ବୋଲି ବଲାଙ୍ଗିର ଜିଲ୍ଲାପାଳ ନିଜ ପ୍ରତିକ୍ରିୟାରେ କହିଛନ୍ତି । ବିଗତ ଦୁଇ ମାସ ହେବ ଜିଲ୍ଲାରେ କରୋନାର ଦ୍ୱିତୀୟ ଲହର ତାର କରାଳ ରୂପ ଦେଖାଇଥିଲା । ଦିନକୁ ଶହ ଶହ ଆକ୍ରାନ୍ତ ହୋଇ ଭୀମ ଭୋଇ ମେଡିକାଲକୁ ଯାଉଥିବା ବେଳେ ଜିଲ୍ଲାର ଅବ୍ୟସ୍ଥିତ ସ୍ୱାସ୍ଥ୍ୟବ୍ୟବସ୍ଥା ଉପରେ ପ୍ରବଳ ଚାପ ପଡିଥିଲା । ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା, ଅକ୍ସିଜେନ ଅଭାବ, ରୋଗୀଶଯ୍ୟା ଓ ଅପ୍ରସ୍ତୁତ ବ୍ୟବସ୍ଥା ଗଣମାଧ୍ୟମରେ ଖବର ପାଲଟିଥିଲା । ଭୀମ ଭୋଇ ମେଡିକାଲ ଉପରେ ବଲାଙ୍ଗିର ସମେତ ଆଖପାଖର ପ୍ରାୟ ପାଞ୍ଚ ଛଅଟି ଜିଲ୍ଲା ନିର୍ଭର କରୁଥିବା ବେଳେ ମେଡିକାଲର ବ୍ୟବସ୍ଥା କିପରି ସୁଧୁରିବ ସେ ଉପରେ ସବୁ ଦିଗରୁ ବିଶେଷ ଉଦ୍ୟମ କରାଗଲା । ପ୍ରଥମେ ଦିର୍ଘ ଦିନ ଧରି ପଡିରହି ଥିବା ଅମ୍ଳଜାନ ବିତରଣ କେନ୍ଦ୍ରକୁ କାର୍ଯ୍ୟକ୍ଷମ କରି ରୋଗୀଙ୍କ ଶଯ୍ୟାକୁ ଅମ୍ଳଜାନ ପହଞ୍ଚାଇ ଅମ୍ଳଜାନ ଅଭାବକୁ ଦୂର କରାଗଲା । ମେଡିକାଲରେ ମହଯୁଦ ୪୦୦ ଜମ୍ବୋ, ୬୦୦ ବି ଟାଇପ୍ ଓ ୪୦୦ ଡି ଟାଇପ୍ ସିଲିଣ୍ଡରକୁ ସାଧାରଣ କରୋନା ଶଯ୍ୟାରେ ଆବଶ୍ୟକ ଅନୁସାରେ ନିୟୋଜିତ କରାଯାଇ ଅମ୍ଳଜାନ ଅଭାବକୁ ଦୂର କରାଗଲା । ରେକର୍ଡ ସମୟ ମଧ୍ୟରେ ଭୀମ ଭୋଇ ମେଡିକାଲାରେ ୨୦ ଆଇସିୟୁ ଏଚଡିୟୁକୁ ଦୁଇ ଗୁଣା କରି ୪୦ରେ ପରିଣତ କରିବା ସହ ସ୍ଥାନୀୟ କିସ୍ କ୍ୟାମ୍ପସରେ ୪୦ଟି ଆଇସିୟୁ ଏଚଡିୟୁର ବ୍ୟବସ୍ଥା ତଥା କରୋନା ଶଯ୍ୟା ସଂଖ୍ୟା ବୃଦ୍ଧି କରିବା ପାଇଁ ସବୁ ଦିଗରୁ ଉଦ୍ୟମ ହେଲା । ଫଳରେ ଆଜି ଭୀମ ଭୋଇ ମେଡିକାଲରେ ୪୦ ଆଇସିୟୁ ୧୦ ଏଚଡିୟୁ, ୪୦ ସାଧାରଣ ଶଯ୍ୟା, କିସ୍ ଠାରେ ୪୦ ଆଇସିୟୁ ଏଚଡିୟୁ, ୬୦ ସାଧାରଣ ଶଯ୍ୟା, କରୋନା କେଆର ସେଣ୍ଟର ନଂ୧ରେ ୧୧୨ ଶଯ୍ୟା ଓ ନଂ ୨ରେ ୧୦୦ ଶଯ୍ୟାର ବ୍ୟବସ୍ଥା ହୋଇପାରିଛି । ସେହିପରି ଜିଲ୍ଲା ପ୍ରଶାସନର ଅନୁରୋଧ କ୍ରମେ ସରକାରଙ୍କଠାରୁ ଦ୍ୱିତୀୟ ଆରଟିପିସିଆର ମେସିନ ମିଳିବା ପରେ ଜିଲ୍ଲାରେ ଦିନକୁ ପ୍ରାୟ ୨୧୦୦ କରୋନା ପରୀକ୍ଷା କରାଯାଇ ସଂକ୍ରମିତଙ୍କ ଟ୍ରାକିଂ ଓ ଟ୍ରେସିଂ କରାଯାଉଛି । ରେଟ୍ ଟିମ୍ ଗଠନ କରାଯାଇ ଘରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ଘରେ ଔଷଧ ବିତରଣ କରିବା ସହିତ ଫୋନ ଯୋଗେ ଡାକ୍ତରୀ ସାହାଯ୍ୟ ଯୋଗଇ ଦେବା ବ୍ୟବସ୍ଥା ହୋଇଛି । ସେହିପରି ମେଡିକାଲରେ ମଧ୍ୟ ରେମ୍‌ଡେସିଭିର୍‌, ଏନୋକ୍ସାପାଇନ, ଡକ୍ସିସାଇକ୍ଲିନ୍ ଓ ଆଇଭରମେକ୍ଟିନ୍ ଭଳି ଔଷଧ ପର୍ଯ୍ୟାପ୍ତ ମାତ୍ରା ମହଯୁଦ କରିବା ସହ ରୋଗୀଙ୍କୁ ବିନା ମୂଲ୍ୟରେ ପ୍ରଦାନ କରାଯାଉଛି । ଆହୁରି ଡା.ଗିରିଜା ଉଦଗାତା, ଡା.ଦେଶବନ୍ଧୁ ବେହେରା ଓ ଡା.ଗୋପବନ୍ଧୁ ପାତ୍ରଙ୍କ ଭଳି ଅଭୀଜ୍ଞ ଡାକ୍ତରଙ୍କୁ କୋଭିଡ ଆଇସିୟୁର ଦାୟିତ୍ୱ ଦିଆଯାଇଛି । ଜିଲ୍ଲା ପୋଲିସ ବିଭାଗ ଦିନ ରାତି ଏକ କରି କରୋନା ନିୟନ୍ତ୍ରଣ ତଥା ସାମାଜିକ ଦୂରତା ଓ କଟକଣା ପାଳନ ଦିଗରେ ନିଜର ଅଭୂତ ପୂର୍ବ ପ୍ରଚେଷ୍ଟା ଜାରି ରଖିଆସିଛି । କରୋନା ନିୟନ୍ତ୍ରଣ ପାଇଁ ବିଭିନ୍ନ ବେସରକାରୀ ଅନୁଷ୍ଠାନମାନଙ୍କ ମଧ୍ୟ ସାହାଯ୍ୟ ସହେଯାଗ ଲୋଡା ଯାଉଛି । ଏସବୁ ଫଳରେ ଏବେ ଜିଲ୍ଲାରେ କରୋନା ନିୟନ୍ତ୍ରଣକୁ ଆସିଥିବା ଜଣାପଡୁଛି । ତେବେ କରୋନା ସହ ଲଢେଇ ଏବେ ସରି ନାହିଁ । ଆଗକୁ ଆହୁରି ଅନେକ ପରୀକ୍ଷାର ସମୟ ରହିଛି । ଏଭଳି ସମସ୍ତଙ୍କ ସହେଯାଗ ଜାରି ରହିଲେ ଆମେ କରୋନା ସହ ଲଢେଇରେ ନିଶ୍ଚିତ ବିଜୟୀ ହେବା ବୋଲି ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା ତାଙ୍କ ପ୍ରତିକ୍ରୀୟାରେ କହିଛନ୍ତି । ଅନ୍ୟ ପଟେ ଭୀମ ଭୋଇ ମେଡିକାଲ ଓ କିସ୍ ଆଇସିୟୁ ଉପରେ ଲୋକେ ଏବେ ଭରସା ଦେଖାଉଥିବାବେଳେ ସ୍ୱାସ୍ଥ୍ୟ ସେବା ପ୍ରତି ସନ୍ତୋଷ ପ୍ରକଟ କରୁଥିବା ଦେଖିବାକୁ ମିଳୁଛି ।

ସେମାନେ ଯାହା କୁହନ୍ତି :
ଟେଙ୍ଗନ ବାଗ, ତରଭା

ମୋ ବାପାଙ୍କୁ ଗତ ଚାରି ଦିନ ହେଲା ଆସିୟୁ ୨ରେ ଭର୍ତ୍ତୀ କରା ହୋଇଛି । ଧିରେ ଧିରେ ତାଙ୍କର ଅବସ୍ଥା ସୁଧୁରୁଛି । ଦିନକୁ ଦୁଇ ଥର ଡାକ୍ତର ନିଜେ ଦେଖୁଛନ୍ତି । ସମସ୍ତ ଔଷଧ ମାଗଣାରେ ମିଳୁଛି । ସ୍ୱାସ୍ଥ୍ୟସେବା ଠିକ୍‌ ଅଛି । ଆଶା ବାପା ଖୁବ ଶିଘ୍ର ଠିକ୍‌ ହୋଇଯିବେ ।

ଭୁବନ ବାରିକ, ମୁଡଘାଟ, ଭଇଁସା –

ବାପା ୯ ଦିନ ତଳେ ଚିହ୍ନଟ ହୋଇଥିଲେ । ଅବସ୍ଥା ଗୁରୁତର ହେବାରୁ ଭୀମ ଭୋଇ ଆସିୟୁ ୨ରେ ଭର୍ତ୍ତୀ କଲୁ । ଅମ୍ଳଜାନ ସ୍ତର ୬୦ରେ ଥିଲା ଗତ ୯ ଦିନ ହେଲା ତାଙ୍କର ଚିକିତ୍ସା ଚାଲିଛି । ଏବେ ଅମ୍ଳଜାନ ସ୍ଥର ୯୦ଉପରକୁ ରହିଛି । ଡାକ୍ତର ନର୍ସ ସମସ୍ତେ ଦେଖୁଛନ୍ତି । ମାଗଣାରେ ଔଷଧ ମିଳୁଛି ।

ରାଜେଶ ଭୋଇ, ସାଲେପାଲି, ଦେଓଗାଁ –

ଗତ ୧୨ ଦିନ ହେଲା ବାପା ଏଠି ଚିକିତ୍ସିତ ହେଉଛନ୍ତି । ଏବେ ଅବସ୍ଥା ଭଲ ଅଛି । ବାପାଙ୍କ ଖାଇବା ପିଇବା ଓ ଶୌଚ ମୁଁ ନିଜେ କରାଉଛି । ସଫେଇ ଉପରେ ଧ୍ୟାନ ଦେବା ଆବଶ୍ୟକ । ବାକି ସବୁ ଡାକ୍ତର ନର୍ସ ବୁଝୁଛନ୍ତି । ଖୁବ ଶିଘ୍ର ଘରକୁ ଯିବ ବୋଲି ଡାକ୍ତର କହିଛନ୍ତି ।

ସୁଜିତ ମହାନ୍ତି, କଂସାରି ପଡା, ବଲାଙ୍ଗିର –

ମୋ ବାପା ଏଠି ଗତ ମାସିଏ ହେବ ଭର୍ତ୍ତି ହୋଇଛନ୍ତି । ଚିକିତ୍ସା ଚାଲିଛି । ୩ ହଜାର ଟଙ୍କାର ରେମ୍‌ଡେସିଭିର ଇଞ୍ଜେକ୍ସନ ମାଗଣା ଦେଉଛନ୍ତି । ଡାକ୍ତର ନର୍ସ ବରାବର ନଜର ରଖିଛନ୍ତି । ବାପାଙ୍କ ଅବସ୍ଥା ଏବେ ଭଲ ଜଣା ପଡୁଛି ।

Leave A Reply

Your email address will not be published.