jayashree

ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭ ଲେଖକ ବସନ୍ତ ଦାସଙ୍କ ପରଲୋକ : ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭ ଲେଖକ ବସନ୍ତ ଦାସ(୮୧)ଙ୍କ ଦେହାନ୍ତ ହୋଇଯାଇଛି । କୋଭିଡ଼ ଦ୍ୱାରା ଆକ୍ରାନ୍ତ ହେବା ପରେ ସେ ଭୁବନେଶ୍ୱର କିମ୍‌ସ୍‌ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଥିଲେ । ଜଣେ ବରିଷ୍ଠ ସାମ୍ବାଦିକ ତଥା ସୁଲେଖକ ଭାବରେ ସେ ବିଶେଷ ସୁନାମ ଅର୍ଜନ କରିଥିଲେ । ନିକଟରେ ପ୍ରକାଶିତ ତାଙ୍କ ପୁସ୍ତକ ‘ପୋଲିଟିକାଲ୍‌ ହିସ୍‌ଟ୍ରି ଅଫ୍‌ ମୋଡର୍ଣ୍ଣ ଓଡ଼ିଶା’ ବେଶ୍‌ ଜନାଦୃତ ହୋଇଥିଲା । ୧୬ ଖଣ୍ଡ ଅମୂଲ୍ୟ ପୁସ୍ତକ ରଚନା କରି ସ୍ୱର୍ଗତ ଦାସ ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଛନ୍ତି । ତାଙ୍କ ଦ୍ୱାରା ଲିଖିତ ‘ଯେ ଦେଶ ଯାଇ, ସେ ଫଳ ଖାଇ’ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ପୁରସ୍କାର ପ୍ରାପ୍ତ ହୋଇଥିଲା ।

ବରିଷ୍ଠ ସାମ୍ବାଦିକ ବସନ୍ତ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ତାଙ୍କ ଶୋକବାର୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ଵର୍ଗତ ଦାସ ଜଣେ ସ୍ତମ୍ଭକାର ତଥା ରାଜନୈତିକ ବିଶ୍ଳେଷକ ଭାବରେ ସୁନାମ ଅର୍ଜନ କରିଥିଲେ । ଅର୍ଦ୍ଧ ଶତାବ୍ଦୀରୁ ଅଧିକ ସମୟ ଧରି ସେ ସାମ୍ବାଦିକତା ବୃତ୍ତିରେ ସକ୍ରିୟ ରହିଥିଲେ । ସାହିତ୍ୟ ଓ ସାମ୍ବାଦିକତା ଷେତ୍ରରେ ତାଙ୍କର ଅବଦାନ ପାଇଁ ସେ ସ୍ମରଣୀୟ ରହିବେ । ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ପରଲୋକାଗତ ଆତ୍ମାର ସଦ୍‌ଗତି କାମନା କରିଛନ୍ତି ।

Leave A Reply

Your email address will not be published.