ସ୍ୱାବଲମ୍ବୀ ହେବା ନିମନ୍ତେ ଦିବ୍ୟାଙ୍ଗଙ୍କ ବ୍ୟାଟେରୀ ଚାଳିତ ଟ୍ରାଇସାଇକେଲ ଦାବୀ

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ଭିନ୍ନକ୍ଷମମାନଙ୍କ ସଶକ୍ତିକରଣ ନିମନ୍ତେ ଅନେକ ଯୋଜନା ପ୍ରଣୟନ କରିଛନ୍ତି । ତାଙ୍କୁ ସ୍ୱାବଲମ୍ବୀ ହେବା ନିମନ୍ତେ ବିଭିନ୍ନ ଋଣ ମଧ୍ୟ ଯୋଗେଇବା ନିମନ୍ତେ ସରକାର ବ୍ୟବସ୍ଥା କରିଛନ୍ତି । କିନ୍ତୁ ବ୍ଲକ ସ୍ତରୀୟ ସରକାରୀ କର୍ମଚାରୀଙ୍କ ଆନ୍ତରିକତା ଅଭାବ ଯୋଗୁଁ ଅନେକ ଲୋକେ ସରକାରଙ୍କ ମହତ୍ୱକାଂକ୍ଷୀ ଯୋଜନାଗୁଡିକର ଫାଇଦା ପାଇବାରୁ ବଞ୍ଚିତ ହେଉଛନ୍ତି ।


ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଲ ବ୍ଲକ ଅଧୀନସ୍ଥ ସାପଲହର ଗ୍ରାମରେ । ଗାଁରେ ବାସ କରନ୍ତି ରାମ ବାରିକ । ବୟସ ୪୦ । ଜନ୍ମରୁ ସେ ଦିବ୍ୟାଙ୍ଗ, ହେଲେ କେବେ ମଧ୍ୟ ନିଜର ଅକ୍ଷମତାକୁ ଦୁର୍ବଳତା ନ ଭାବି ବରଂ ନିଜେ ସ୍ୱାବଲମ୍ବୀ ହେବା ପାଇଁ ସେ ନିଜର କୌଳିକ ବୃତ୍ତିକୁ ଆପଣେଇଛନ୍ତି । ଏବେ ମଧ୍ୟ ସେ କ୍ଷୁର କରିବାକୁ ବାହାରି ପଡନ୍ତି ତାଙ୍କ ଭଙ୍ଗା ଟ୍ରାଇସାଇକେଲ ଯୋଗେ । ଉଦ୍ଦେଶ୍ୟ କିଭଳି ଦୁଇ ପାଇସା ରୋଜଗାର ହେଲେ ନିଜର ପରିବାର ପ୍ରତିପୋଷଣ କରିବେ । କିନ୍ତୁ ଭଙ୍ଗା ଟ୍ରାଇସାଇକେଲ ବର୍ତ୍ତମାନ ତାଙ୍କର ଏହି ଉଦ୍ଦେଶ୍ୟ ସଫଳ କରିବା ପାଇଁ ବାଧକ ସାଜିଛି । ବର୍ତ୍ତମାନ ସ୍ତରରେ ତାଙ୍କୁ ଯଦି କୌଣସି ସରକାରୀ ସୁବିଧା ଅନୁଯାୟୀ ଏକ ବ୍ୟାଟେରୀ ଚାଳିତ ଟ୍ରାଇସାଇକେଲ ପ୍ରଦାନ କରାଯାଆନ୍ତା, ତେବେ ଖୁସିରେ ଚଳପ୍ରଚଳ କରି ତାଙ୍କର ବୃତ୍ତି କରିବା ସହ ଦୁଇ ପାଇସା ରୋଜଗାର କରିପାରନ୍ତେ । ଏନେଇ ପାଇକମାଲ ବ୍ଲକ ପ୍ରଶାସନ ତରଫରୁ ଗତ ୬ ମାସ ତଳେ ତାଙ୍କ ଘରକୁ ଯାଇ ଟ୍ରାଇସାଇକେଲ ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ହେଲେ ତାହା ପାଣିର ଗାର ସାଜିଛି । କଥାରେ ଅଛି – ଚାତକ ପକ୍ଷୀ ମୋର ଗୁରୁ, ଉଦ୍ଧବ କେତେ ତୁ ପଚାରୁ… । ବର୍ତ୍ତମାନ ଓଡ଼ିଶାର ୫ଟି ଶାସନ ଚାଲୁଥିବା ଯୋଗୁଁ ରାମ ଓଡ଼ିଶା ସରକାର ତଥା ଭାରତ ସରକାରଙ୍କ ତରଫରୁ ସହାୟତା ପାଇବା ପାଇଁ ଆଶା ବାନ୍ଧିଛନ୍ତି । ଏବେ ଦେଖିବାକୁ ବାକି ରହିଲା କିଭଳି ରାମଙ୍କୁ ସହାୟତା ମିଳୁଛି ।

Leave A Reply

Your email address will not be published.