ଅସହାୟ ମହିଳା ଚନ୍ଦ୍ରକାନ୍ତୀ ଆଜି ନିରାଶ୍ରୟ

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକର କଟାବାହାଲ ପଂଚାୟତ ଅଧୀନସ୍ଥ ଯୁବାଖୋଲରେ ଚନ୍ଦ୍ରକାନ୍ତୀ ବିବାହ କରିଥିଲେ । ସ୍ୱାମୀ ଚନ୍ଦ୍ରମଣି ସାହୁ ନିଜ ଗାଁରେ ଚାଷବାସ କରି କେତେ ହସଖୁସିରେ ତାଙ୍କ ପରିବାର ଚଳି ଆସୁଥିଲେ, ହେଲେ ଦଇବ ସହିପାରିଲା ନାହିଁ । ମଧୁମେହ ରୋଗରେ ଆକ୍ରାନ୍ତ ହୋଇ ମାତ୍ର ୩୯ ବର୍ଷରେ ହଠାତ ତାଙ୍କର ମୃତ୍ୟୁ ଘଟିଥିଲା । ଅର୍ଥ ଅନର୍ଥର ମୂଳ କାରଣ । ଟଙ୍କା ପଇସା ଅଭାବ ହେତୁ ବଡ ଡାକ୍ତରଖାନାରେ ଚିକିତ୍ସାରୁ ବଂଚିତ ହୋଇ ନିଜ ଅର୍ଦ୍ଧାଙ୍ଗିନୀ ଚନ୍ଦ୍ରକାନ୍ତୀର କୋଳରେ ଦୁଇ ପୁଅ ଏବଂ ଗୋଟିଏ ଝିଅକୁ ଛାଡି ଦେଇ ଚିରଦିନ ପାଇଁ ଏକା କରି ଚାଲିଗଲେ । ତାପର ଠାରୁ ସ୍ତ୍ରୀ ଚନ୍ଦ୍ରକାନ୍ତୀଙ୍କ ମୁଣ୍ଡରେ କଳାବାଦଲ ଟିଏ ଚାଲି ଆସିଲା । ମୂଲ ଲାଗି ତିନିତିନିଟି ସନ୍ତାନର ବୋଝ ବର୍ତ୍ତମାନ ଏକା ସମ୍ଭାଳୁଛନ୍ତି ।

ବଡ ପୁଅ ମୁକ, କୋଳରେ ଥିବା ସବା ସାନପୁଅ ବୟସ ହେଲା ତିନିବର୍ଷ, ହେଲେ ନା କଥାବାର୍ତ୍ତା କରିପାରୁଛି ନା ଚାଲି ପାରୁଛି । ବର୍ତ୍ତମାନ ଚିନ୍ତାରେ ଛଟପଟ ବିଧବା ଚନ୍ଦ୍ରକାନ୍ତୀ । ବଡପୁଅ ମୁକ ହେତୁ ରାଜ୍ୟ ସରକାରଙ୍କ ଠାରୁ ପ୍ରଚଳିତ ଭତ୍ତା ପାଉଛି । ଚନ୍ଦ୍ରକାନ୍ତୀ ମଧ୍ୟ ପ୍ରଚଳିତ ସ୍କିମ ହିସାବରେ ଭତ୍ତା ଟଙ୍କା ପାଇ ଆସୁଛନ୍ତି । କିନ୍ତୁ ମୁଣ୍ଡ ଗୁଂଜିବା ସକାଶେ ପକ୍କା ଘର ଖଣ୍ଡିଏ ନାହିଁ । ଏଣୁ ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଗୃହଟିଏ ମିଳିବା ସହିତ ତିନିବର୍ଷର ଶିଶୁର ଚିକିତ୍ସା ପାଇଁ ବ୍ଲକ ପ୍ରଶାସନ ତଥା ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେଲେ ଚନ୍ଦ୍ରକାନ୍ତୀର ମୁଁହରେ ଚେନାଏ ହସ ଫୁଟିପାରନ୍ତା ବୋଲି ଅନେକ ତାଙ୍କ ପ୍ରତିକ୍ରିୟାରେ ଜଣାଇଛନ୍ତି । ଏଣୁ ତୁରନ୍ତ ଏ ଦିଗରେ ଜିଲ୍ଲା ପ୍ରଶାସନ ତଥା ଗାଇସିଲେଟ ବି.ଡି.ଓ ଦୃଷ୍ଟି ଦେବାକୁ ମା’ ଚନ୍ଦ୍ରକାନ୍ତୀ ସରକାରଙ୍କ ଠାରେ ଦାବୀ ଜଣାଇଛନ୍ତି ।

Leave A Reply

Your email address will not be published.