କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ସରକାରୀ ଅବହେଳାର ଶିକାର : ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କଲେ ସଭାପତି ରବି ରଥ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କାର୍ୟ୍ୟରତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଆଗଧାଡ଼ିର କରୋନା ଯୋଦ୍ଧା ଭାବେ ଘୋଷଣା କରିବା ସହ କର୍ପୋରେଟ ହାଉସମାନଙ୍କ ଦ୍ୱାରା ପରିଚାଳିତ ବିଭିନ୍ନ ବୃହତ ସମ୍ବାଦପତ୍ରଗୁଡ଼ିକୁ ଡିଏଭିପିର ନିର୍ଦ୍ଧାରିତ ଦର ଅନୁଯାୟୀ ବିଜ୍ଞାପନ ଦେଉଥିବା ବେଳେ ଅଦ୍ୟାବଧି କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରଗୁଡ଼ିକ ପ୍ରତି ଡିଏଭିପି ଦର ଲାଗୁ ନ କରିବା ଅତ୍ୟନ୍ତ ପରିତାପର ବିଷୟ ବୋଲି କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ଓଡ଼ିଶା ଶାଖା ସଭାପତି ରବି ରଥ କ୍ଷୋଭ ପ୍ରକାଶ କରିଛନ୍ତି ।
ବିଶେଷକରି କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରଗୁଡ଼ିକ ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନା ସମ୍ପର୍କରେ ସାଧାରଣ ଜନତାଙ୍କୁ ସଚେତନ କରାଇ ଆସୁଛନ୍ତି । କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରଗୁଡ଼ିକର ବିଭିନ୍ନ ଜାତୀୟ ଦିବସ ଗୁଡ଼ିକରେ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ବିଜ୍ଞାପନକୁ ଇତିମଧ୍ୟରେ ବନ୍ଦ କରି ଦିଆଯାଇଛି । ୨୦୨୦ ମସିହାରୁ ଏ ପର୍ୟ୍ୟନ୍ତ କରୋନା କାଳରେ ବଡ଼ ବଡ଼ ସମ୍ବାଦପତ୍ରଗୁଡ଼ିକୁ ସରକାର କୋଟି କୋଟି ଟଙ୍କାର ବିଜ୍ଞାପନ ଦେଇ ସେମାନଙ୍କ ସ୍ୱଚ୍ଛଳ କରିଥିବା ବେଳେ ଝିଣ୍ଟିକା ମାରି ବଣି ପୋଷିବା ନ୍ୟାୟରେ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରଗୁଡ଼ିକ ପ୍ରତି କ୍ରମାଗତ ଅବହେଳା ପ୍ରଦର୍ଶନ କରି ଆସୁଛନ୍ତି । ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରକାଶ ପାଇ ଆସୁଥିବା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରମାନେ ନିଜ ଅର୍ଥରେ ବହୁ କଷ୍ଟରେ ସମ୍ବାଦ ପ୍ରକାଶ କରି ଘୋର ଆର୍ଥିକ ଅନାଟନ ଦେଇ ଗତି କରୁଛନ୍ତି । ବୃହତ ସମ୍ବାଦପତ୍ରଗୁଡ଼ିକୁ ସରକାର ଯେଉଁଭଳି ଭାବେ ବିଜ୍ଞାପନ ଦେଇ ଆସୁଛନ୍ତି । କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରଗୁଡ଼ିକୁ ସେହିଭଳି ବିଜ୍ଞାପନ ଦେଇ କରୋନା କାଳରେ ଏହି ସମ୍ବାଦପତ୍ରଗୁଡ଼ିକର ଆର୍ଥିକ ମେରୁଦଣ୍ଡକୁ ସୁଦୃଢ଼ କରିବାକୁ ଶ୍ରୀ ରଥ ଦାବୀ କରିଛନ୍ତି । କରୋନା ବେଳେ ପୂର୍ବରୁ ପ୍ରକାଶ ପାଉଥିବା ଅନେକ କ୍ଷୁଦ୍ର ସମ୍ବାଦପତ୍ର ବନ୍ଦ ହୋଇଗଲାଣି । ସେମାନଙ୍କୁ ସରକାରୀ ଆର୍ଥିକ ସହାୟତା ନ ମିଳିଲେ ଆଗାମୀ ଦିନ ରାଜ୍ୟର ବହୁ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ବନ୍ଦ ହୋଇଯିବ ବୋଲି ସଭାପତି ଶ୍ରୀ ରଥ ଆଶଙ୍କା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.