ଲୋଇସିଂହା, (କେପିଏନ୍ଏସ୍) : ଗତ ୨୦୧୪-୧୫ ଶିକ୍ଷାବର୍ଷରୁ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ମଧ୍ୟ ବୃତ୍ତି ବାବଦ ଅର୍ଥରାଶି ପାଇବାରୁ ଜନୈକ ଛାତ୍ର ବଂଚିତ ରହିଥିବା ଅଭିଯୋଗ ହୋଇଛି । ଛାତ୍ର ଜଣକ ହେଲେ ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅଧିନ ପୁଇଁନ୍ତଲା ବ୍ଲକ କୁଟେନପାଲି ଗ୍ରାମର ପୁରୁଷୋତ୍ତମ ପଧାନ । ପୁଇଁତଲା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଜରିଆରେ ଦଶପୁର ସରସ୍ୱତୀ ଶିଶୁ ମନ୍ଦିର ତରଫରୁ ଗତ ୨୦୧୪-୧୫ ଶିକ୍ଷାବର୍ଷରେ ପୁରୁଷୋତ୍ତମ ବୃତ୍ତି ପରୀକ୍ଷା ଦେଇଥିଲେ । ପରୀକ୍ଷାରେ ସଫଳତାର ସହିତ କୃତିତ୍ୱ ଅର୍ଜନ କରି ସେ ବୃତ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ସ୍କୁଲ ତରଫରୁ ଆବଶ୍ୟକ କାଗଜପତ୍ର ସେତେବେଳେ ବିଭାଗୀୟ ଅଧିକାରୀଙ୍କ ନିକଟରେ ଦାଖଲ କରାଯାଇଥିଲେ ମଧ୍ୟ ଅଦ୍ୟାବଧି ସେ ବୃତ୍ତି ବାବଦ ଟଙ୍କା ପାଇପାରି ନାହାନ୍ତି । ଏପରିକି ପୁରୁଷୋତ୍ତମ ଅଧ୍ୟୟନ କରୁଥିବା ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଗତ ଫେବୃଆରୀ ମାସରେ ପୁଣିଥରେ କାଗଜପତ୍ର ଦାଖଲ କରି ସାରିଥିଲେ ମଧ୍ୟ ବୃତ୍ତି ଟଙ୍କା ମିଳିବା ଦିଗରେ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ଅଭିଭାବକ ଅମରବିନ୍ଦ ପଧାନ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏନେଇ ବିଇଓ ନେପାଳ ବାଗଙ୍କୁ ପଚାରିବାରେ ସେ ଏ ବାବଦରେ କିଛି ଜାଣି ନଥିବା ପ୍ରକାଶ କରିଥିଲେ । ବଲାଙ୍ଗିର ଜିଲ୍ଲାପାଳ ତଥା ଜିଲ୍ଲା ଶିକ୍ଷାଧିକାରୀ ଏଥିପ୍ରତି ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବୀ ହେଉଛି ।
Next Post