କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ଦିନକୁ ଦିନ ଜଙ୍ଗଲ ଧ୍ୱଂସ ହେବାରେ ଲାଗିଛି, ଯାହା ଫଳରେ ଜୀବଜନ୍ତୁ ମାନେ ଗାଁ ମୁଁହା ହେଉଛନ୍ତି । କିଛିଦିନ ହେଲା ଗୋଟିଏ ଦଳ ମାଙ୍କଡ଼ ବ୍ରାହ୍ମଣୀ, ରଜାମରା ଓ ଜାମୁଟଝୁଲା ଗ୍ରାମକୁ ପଶି ଆସି ପନିପରିବା, ଆମ୍ବ ଆଦି ଗଛ ଗୁଡିକୁ ନଷ୍ଟ କରିବାରେ ଲାଗିଛନ୍ତି । ଅଚାନକ ବ୍ରାହ୍ମଣୀ ଗାଁରେ ଗୋଟିଏ ଛୋଟ ମାଙ୍କଡ଼ ଛୁଆକୁ ମାଙ୍କଡ଼ ମାନେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ, ଯାହାଫଳରେ ଛୁଆଟି ଗୁରୁତର ଭାବେ ରାସ୍ତାରେ ପଡି ରହିଥିଲା । ଠିକ ସେତିକି ବେଳେ ଜାମୁଟଝୁଲା ଗ୍ରାମର ବିନୋଦ ପୁଟେଲ ଆସିବା ବେଳେ ତାଙ୍କ ଦୃଷ୍ଟି ଗୋଚର ହୋଇଥିଲା । କାଳ ବିଳମ୍ବ ନ କରି ଜୁନିୟର ରେଡକ୍ରସ ପରାମର୍ଶଦାତା ବିରଞ୍ଚି ନାରାୟଣ ଦାଶଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲେ । ତା’ପରେ କଣ୍ଟାବାଞ୍ଜି ପ୍ରାଣୀ ଚିକିତ୍ସାଳୟକୁ ମାଂକଡ଼ ଛୁଆକୁ ଅଣାଯାଇଥିଲା । ପ୍ରାଣୀ ଚିକିତ୍ସା ଅଧିକାରୀ ଡା.ସେଠ ମାଙ୍କଡର କ୍ଷତ ଜାଗା ମାନଙ୍କରେ ୨୫ ଗୋଟି ଷ୍ଟିଚ ଦେଇ ସିଲେଇ କରି ଔଷଧପତ୍ର ଦେଇଥିଲେ । ଚିକିତ୍ସା ପରେ ବିନୋଦ ପୁଟେଲ ମାଙ୍କଡ଼ ଛୁଆକୁ ନିଜ ଘରକୁ ନେଇ ସେବା ସୁଶ୍ରୂଷା କରୁଛନ୍ତି, ଯାହା ଫଳରେ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିଥିବା ଜଣାପଡ଼ିଛି ।