oom

କରୋନାରେ ଘରେ ସୁସ୍ଥ ହେଇଥିବା ଜଣେ କରୋନା ବିଜୟୀଙ୍କ କଥା

jsmm

କଳାହାଣ୍ଡି, (ହେମନ୍ତ ସାହୁ) : ଏବେ ସାରା ବିଶ୍ୱ କରୋନାର କବଳରେ । ଭାରତରେ ଦିନକୁ ଲକ୍ଷାଧିକ କରୋନା ସଂକ୍ରମିତଙ୍କ ସଂଖ୍ୟା ନଜରକୁ ଆସୁଥିବାବେଳେ ଓଡ଼ିଶାରେ ପାଖାପାଖି ଆଠହଜାର ସଂକ୍ରମିତ ପ୍ରତିଦିନ । କରୋନା ଆକ୍ରାନ୍ତଙ୍କ ଅବସ୍ଥାକୁ ଦେଖି ଘରେ ପୃଥକବାସରେ ରହି ଚିକିତ୍ସା ପାଇଁ ପରାମର୍ଶ ଦେଉଛନ୍ତି ଡ଼ାକ୍ତର । ତେବେ ସୋସିଆଲ ମିଡ଼ିଆରେ କେବଳ କରୋନାରେ ମୃତ୍ୟୁ ବରଣ କରିଥିବା ଫଟୋ ଓ ଖବର ଦେଖି ଦେଖି ମନ ଭାରାକ୍ରାନ୍ତ ହେଉଥିବାବେଳେ ଏବେ କରୋନାକୁ ଏକା ଏକା ଘରେ ସଂଗରୋଧରେ ରହି ସୁସ୍ଥ ହେଉଥିବା କିଛି କରୋନା ବିଜୟୀଙ୍କ କଥା ଆମେ ଆମ ସାମ୍ନାରେ ଥୋଇବୁ, ଯାହାକୁ ନେଇ ଜନସାଧାରଣ ତଥା କରୋନା ଆକ୍ରାନ୍ତଙ୍କ ମନୋବଳ ଦୃଢ ହେବ ଏବଂ ସେମାନେ ବି କରୋନାକୁ ଜିତିବେ । ଆତ୍ମପ୍ରତ୍ୟୟ କାଏମ୍ ରହିବ । କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ତଳସାଗରପଡ଼ାର ପ୍ରଭାସ ମହାଖୁଡ଼(୪୫) । ଏକ ଘରୋଇ ମହାବିଦ୍ୟାଳୟରେ କାମ କରୁଥିବା ପ୍ରଭାସଙ୍କ ପାଖରେ କରୋନା ଲକ୍ଷଣ ଦେଖାଗଲା । ଗତ ଅପ୍ରେଲ ୧୯ ତାରିଖ ଦିନ ସେ ମ.ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କରୋନା ଟେଷ୍ଟ କରେଇଥିଲେ । କରୋନା ପଜିଟିଭ ରିପୋର୍ଟ ଆସିଲା । ଡ଼ାକ୍ତରଙ୍କ ପରାମର୍ଶ ମାନିଲେ ଏବଂ ଘରେ ଗୃହ ପୃଥକ ବାସରେ ରହିଲେ । ମେଡ଼ିକାଲ ତରଫରୁ ଦିଆଯାଇଥିବା ଔଷଧ ସହିତ ଘରେ ପ୍ରସ୍ତୁତ ଖାଦ୍ୟ ଖାଉଥିଲେ । ଘରେ ଏକ ସ୍ୱତନ୍ତ୍ର କୋଠରୀରେ ରହି ସେ ସମୟାନୁଯାୟୀ ଔଷଧ ଖାଇଲେ । ତେବେ ପ୍ରଥମ ଗୋଟିଏ ଦିନ ପରେ ଆର ଦୁଇଦିନ ଛାତି, ଅଣ୍ଟା, ପିଠି, ପଞ୍ଜରାରେ ପୀଡ଼ା ଅନୁଭବ କଲେ । ଦୁଇ ଦିନ କାଳ ଭୀଷଣ ଜ୍ୱର ହେଇଥିଲା । ତଥାପି ସେ ମନୋବଳ ହାରିନଥିଲେ । ଧୀରେଧୀରେ ଜ୍ୱର କମିଲା, ପୀଡ଼ା ଦୂର ହେଲା । ପୃଥକବାସରେ ରହିବା ଭିତରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ସମୟାନ୍ତରରେ ପଚାରିବୁଝୁଲେ ସ୍ୱାସ୍ଥ୍ୟ ବିଭାଗରେ କର୍ମରତ ଡ଼ାକ୍ତର ଏବଂ କର୍ମଚାରୀ । ପରାମର୍ଶ ବି ଦେଉଥିଲେ । ପ୍ରଶାସନ ତରଫରୁ ବି ତାଙ୍କ ସ୍ୱାସ୍ଥ୍ୟାବସ୍ଥାର ଖବର ନିଆଯାଉଥିଲା ଯାହା ତାଙ୍କୁ ଖୁବ୍ ପ୍ରଭାବିତ କରୁଥିଲା । ନିଜ ଭିତରେ ନିଜକୁ ବୁଝାଉଥିଲେ । କରୋନାକୁ ଜିତିବାକୁ ସେ ଲାଗିପଡ଼ିଥିଲେ । ଦୀର୍ଘ ସତର ଦିନ ଘରେ ପୃଥକବାସ ପରେ ସେ ଘରୋଇ ପରୀକ୍ଷଣ କରିଥିଲେ ଏବଂ ରିପୋର୍ଟ ନେଗେଟିଭ ଆସିଥିଲା । ପୃଥକ ବାସରୁ ବାହାରିବା ପରେ ଆମ ପତିନିଧି ତାଙ୍କୁ ଭେଟି ସମସ୍ତ କଥା ପଚାରିବୁଝିଥିଲେ । ନିଜ ଅନୁଭୂତି କହିବାକୁ ଯାଇ ସେ କହିଥିଲେ, ପ୍ରଥମ କିଛି ଦିନ ତ ଜ୍ୱର ଏବଂ ବିଭିନ୍ନ ଯନ୍ତ୍ରଣା ହେଇଥିଲା କିନ୍ତୁ ପରେ ପରେ ସେସବୁ କମିବାରେ ଲାଗିଲା, ତେଣୁ କରୋନାକୁ ଘରେ ପୃଥକବାସରେ ରହି ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ ଅନୁଯାୟୀ କାମକଲେ ନିଶ୍ଚିତ ସୁସ୍ଥ ହେଇପାରିବେ ବୋଲି କହିବା ସହିତ ସମସ୍ତେ ମାସ୍କ ଏବଂ ସାମାଜିକ ଦୂରତା ନିଶ୍ଚିତ ବଜାୟ ରଖନ୍ତୁ ବୋଲି ନିବେଦନ କରିଛନ୍ତି ।

jittmm
Leave A Reply

Your email address will not be published.