ପିପିଲି ଉପନିର୍ବାଚନ କଂଗ୍ରେସର ପ୍ରାର୍ଥୀ ହେଲେ ବିଶ୍ୱକେଶନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ସେବାଦଳ ସଭାପତି ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ପିପିଲି ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ବିଧିବଦ୍ଧ ଭାବେ ବିଶ୍ୱକେଶନଙ୍କ ନାମରେ ମୋହର ଲଗାଇଥିବା ନେଇ ଏଆଇସିସି ସାଧାରଣ ସଂପାଦକ ମୁକୁଲ୍‌ ୱାସ୍‌ନିକ୍‌ ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ପ୍ରକାଶ କରିଛନ୍ତି । ପିପିଲି ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଅଜିତ୍‌ ମଙ୍ଗରାଜଙ୍କ କରୋନାରେ ମୃତ୍ୟୁ ହେବା ଯୋଗୁଁ ପିପିଲି ଉପନିର୍ବାଚନ ସ୍ଥଗିତ ରହିଥିଲା । ଭୋଟ ଗ୍ରହଣର ମାତ୍ର ତିନିଦିନ ପୂର୍ବରୁ ଅଜିତ୍‌ଙ୍କ ଅକାଳ ବିୟୋଗ ହୋଇଥିଲା । ଏଠାରେ କଂଗ୍ରେସର କିଏ ପ୍ରାର୍ଥୀ ହେବ ସେ ନେଇ କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ପ୍ରାର୍ଥୀତ୍ୱ ଦୌଡ଼ରେ ଥିବା ପ୍ରଦେଶ କଂଗ୍ରେସ କମିଟି ମୁଖପାତ୍ର ନିଶିକାନ୍ତ ମିଶ୍ର ଓ ପୂର୍ବତନ ପିପିଲି ବ୍ଲକ୍‌ କଂଗ୍ରେସ କମିଟି ସଭାପତି ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ପ୍ରାର୍ଥୀ ହେବାକୁ ମନା କରି ଦେବାରୁ ଶୁକ୍ରବାର ଦଳ ବିଶ୍ୱକେଶନଙ୍କ ନାମ ଘୋଷଣା କରିଛି । ସେ ଆସନ୍ତା ୨୬ ତାରିଖ ସୋମବାର ଦିନ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ତାଙ୍କ ନିକଟତମ ମହଲରୁ ସୂଚନା ମଳିଛି । ଡେଲାଙ୍ଗ ବ୍ଲକ୍‌ ଅନ୍ତର୍ଗତ ରେଙ୍ଗଳ ପଞ୍ଚାୟତ ଅଧିନ ଯମୁନା ଝାରପଡ଼ା ଗ୍ରାମର ମୂଳତଃ କଂଗ୍ରେସ ପରିବାରର ବିଶ୍ୱକେଶନଙ୍କ ଜନ୍ମ ୧୯୭୮ ମସିହାରେ ହୋଇଥିବା ବେଳେ ବି.ଏ.ଏଲ୍‌.ଏଲ୍‌.ବି. ଶିକ୍ଷା ସମାପ୍ତ ପରେ ସେ ପୁରୀ ଜିଲ୍ଲା କୋର୍ଟରେ ଜଣେ ଆଇନଜୀବୀ ଭାବେ କାର୍ଯ୍ୟ କରୁଥିବା ଜଣାପଡ଼ିଛି । ବିଶ୍ୱକେଶନଙ୍କ ପିତା ଧନଞ୍ଜୟ ହରିଚନ୍ଦନ ମହାପାତ୍ର ୧୯୭୫ରୁ ୧୯୯୩ ମସିହା ପର୍ଯ୍ୟନ୍ତ ରେଙ୍ଗଳ ପଞ୍ଚାୟତରେ ସରପଞ୍ଚ ଭାବେ କାର୍ଯ୍ୟ କରିଥିବା ବେଳେ ତାଙ୍କ ମାଆ ସୁଲୋଚନା ପାଟ୍ଟମହାଦେଈ ମଧ୍ୟ କଂଗ୍ରେସ ସହ ଜଡ଼ିତ ହୋଇ ୨୦୦୭ରୁ ୨୦୧୨ ମସିହା ପର୍ଯ୍ୟନ୍ତ ରେଙ୍ଗଳ ପଞ୍ଚାୟତର ସରପଞ୍ଜ ଭାବେ କାର୍ଯ୍ୟ ନିର୍ବାହ କରିଆସିଛନ୍ତି । ବିଶ୍ୱକେଶନଙ୍କ ପରିବାର ଦୀର୍ଘ ସମୟ ଧରି କଂଗ୍ରେସ ଦଳ ସହ ରହିଥିବାରୁ ଚଳିତ ଉପନିର୍ବାଚନରେ ତାଙ୍କୁ ଉତ୍ତମ ଫଳାଫଳ ମିଳିବା ନେଇ ତାଙ୍କ ଶୁଭେଚ୍ଛୁ ତଥା କର୍ମୀମାନେ ଆଶା ପ୍ରକଟ କରିଛନ୍ତି । ପ୍ରକାଶଯୋଗ୍ୟ ଏପ୍ରିଲ୍‌ ୧୭ରେ ଅନୁଷ୍ଠିତ ହେବାକୁ ଥିବା ପିପିଲି ଉପନିର୍ବାଚନରେ କଂଗ୍ରେସ୍‌ ପ୍ରାର୍ଥୀ ଅଜିତ୍‌ ମଙ୍ଗରାଜଙ୍କ ଦେହାନ୍ତ ପରେ ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ଅନୁଯାୟୀ ମେ’ ୧୩ରେ ଭୋଟ ଗ୍ରହଣ କରିବାକୁ ଦିନ ଧାର୍ଯ୍ୟ କରାଯାଇଥିଲା । ମାତ୍ର ୧୩ ତାରିଖରେ ଇଦ୍‌-ଉଲ୍‌-ଫିତର ପଡ଼ିବାର ସମ୍ଭାବନା ଥିବାରୁ ମେ’ ୧୬ ତାରିଖରେ ଏହି ଉପନିର୍ବାଚନ ହେବା ପାଇଁ ସ୍ଥିର କରାଯାଇଛି । ସେହିଭଳି ମେ’ ୧୯ରେ ଭୋଟ ଗଣତି ହୋଇ ନିର୍ବାଚନ ଫଳାଫଳ ଘୋଷଣା ହେବାକୁ ନିଷ୍ପତ୍ତି ହୋଇଥିବା ବେଳେ ମେ’ ୨୧ ତାରିଖ ସୁଦ୍ଧା ସମସ୍ତ ନିର୍ବାଚନ ପ୍ରକ୍ରିୟା ସମାପ୍ତ କରିବାକୁ ନିର୍ବାଚନ କମିଶନ ବିଜ୍ଞପ୍ତି ଜାରି କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.