ଏବେ ବି ବଞ୍ଚିଛି ମାନବିକତା

କଂଟାବାଂଜି , (କୈଳାଶ ସଗ୍ରିଆ) : ବର୍ତ୍ତମାନ ସାରା ବିଶ୍ୱକୁ କରୋନାର ଦ୍ୱିତୀୟ ଲହରୀ ଗ୍ରାସ କରିଥିବା ବେଳେ ପରିସ୍ଥିତି ଅସମ୍ଭାଳ ହେଲାଣି । ଏହି ଭଳି ପରିସ୍ଥିତିରେ ରକ୍ତର ମଧ୍ୟ ମହା ସଙ୍କଟ ଦେଖାଦେଇଛି ।ଇତିମଧ୍ୟରେ ତୁରେକେଲା ଗ୍ରାମର ୧୪ବର୍ଷର ବାଳକ ସୁମିତ ପୁଟେଲ ସିକ୍‌ଲିଙ୍ଗ ରୋଗୀ ହୋଇଥିବାରୁ ତାଙ୍କୁ ନିୟମିତ ମାସେ ଦୁଇ ମାସରେ ରକ୍ତ ଦରକାର ହୋଇଥାଏ । ତେଣୁ ରକ୍ତ ପାଇଁ କଣ୍ଟାବାଞ୍ଜି ସ୍ଥିତ ରକ୍ତ ଭଣ୍ଡାରକୁ ଆସି ଯୋଗାଯୋଗ କରିଥିଲେ, ହେଲେ ଏ+ ରକ୍ତ ମିଳିନଥିଲା । ଏହି ଖବର ପାଇବା ପରେ ଜୁନିଅର ରେଡକ୍ରସର ପରାମର୍ଶଦାତା ପ୍ରକୃତିବନ୍ଧୁ ବିରଞ୍ଚି ନାରାୟଣ ଦାଶ ସୋସିଆଲ ମିଡିଆରେ ରକ୍ତ ଦେବା ପାଇଁ ରକ୍ତଦାତା ମାନଙ୍କୁ ଅନୁରୋଧ କରିଥିଲେ । ଖବର ପାଇ ଜାମୁଟ୍‌ଝୁଲାର ବିନୋଦ ପୁଟେଲ ଓ ତୁରେକେଲା ଗ୍ରାମର ସଞ୍ଜୀବ ପୁଟେଲ ସ୍ୱଇଚ୍‌ଚ୍ଛାରେ ଡାକ୍ତରଖାନାରେ ପହଞ୍ଚି ରକ୍ତ ଦାନ କରିଥିଲେ । ଦୁଇ ବୋତଲ ରକ୍ତ ମିଳିବା ପରେ ପିଲାଟିକୁ ରକ୍ତ ଦିଆଯାଇଥିଲା । ପରେ ସ୍ୱାସ୍ଥ୍ୟରେ ସୁଧାର ଆସିଥିବାରୁ ସୁମିତର ବାପା ହେମସାଗର ପୁଟେଲ ରକ୍ତଦାତା ମାନଙ୍କୁ ଧନ୍ୟବାଦ ଦେଇଥିଲେ । ପ୍ରକାଶ ଥାଉକି ରକ୍ତ ଭଣ୍ଡାରରେ କାର୍ୟ୍ୟରତ କର୍ମଚାରୀ ଶିବ ସାହୁ ଓ କୁନାଲ ଦାସ ଗୋଟିଏ ଦିନ ପୂର୍ବରୁ ନିଜେ ରକ୍ତ ଦେଇ ଦୁଇ ଜଣ ରୋଗୀଙ୍କ ଜୀବନ ବଞ୍ଚାଇ ମହାନତାର ପରିଚୟ ଦେଇଥିଲେ ।ସେମାନଙ୍କର ଏଭଳି କାମକୁ ସମସ୍ତେ ପ୍ରଶଂସା କରିଥିବା ବେଳେ ଶ୍ରୀ ଦାଶ ରକ୍ତଦାତା ମାନଙ୍କୁ ମାସ୍କ ଓ କିଛି ପୁସ୍ତକ ପ୍ରଦାନ କରି ତାଙ୍କୁ ଉତ୍ସାହିତ କରିଥିଲେ । ଆଜି ବି ମାନବିକତା ବଞ୍ଚିଛି, କେବଳ ଜନ ସଚେତନତାର ଅଭାବ ରହିଛି । ଯଦି ଏଥି ପ୍ରତି ଦୃଷ୍ଟି ଦେଲେ ରକ୍ତର ଅଭାବ ରହିବ ନାହିଁ ବୋଲି ଶ୍ରୀ ଦାଶ ଆମ ସାମ୍ବାଦିକଙ୍କ ମାଧ୍ୟମରେ ଜନ ସାଧାରଣକୁ ଅବଗତ କରାଇଥିଲେ ଏବଂ ଆଗାମୀ ଦିନରେ ରକ୍ତ ଦାନ ଶିବିରର ଆୟୋଜନ ମଇ ୮ତାରିଖ ବିଶ୍ୱ ରେଡକ୍ରସ ଦିବସରେ ଆୟୋଜନ କରି ରକ୍ତର ଅଭାବକୁ ଦୂର କରାଯିବ ବୋଲି କହିଛନ୍ତି ।

Leave A Reply

Your email address will not be published.