ଅବସରପ୍ରାପ୍ତ ସେନା ଅଧିକାରୀ ମନୋଜ କୁମାର ଦାଶଙ୍କ ଅକାଳ ବିୟୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଚିମନିଭାଟିପଡାର ଅବସରପ୍ରାପ୍ତ ସେନା ଅଧିକାରୀ ମନୋଜ କୁମାର ଦାଶଙ୍କ ୪୩ ବର୍ଷ ବୟସରେ ଅକାଳ ବିୟୋଗ ଘଟିଛି । ପୁଇଁତଲା ବ୍ଲକ ଅନ୍ତର୍ଗତ ଖମାରମୁଣ୍ଡା ଗାଁରେ ଜନ୍ମିତ ମନୋଜ କୁମାର ଦାଶ ଭାରତୀୟ ସେନାରେ ଜଣେ ସେନା ଅଧିକାରୀ ଭାବେ ୨୪ ବର୍ଷ ଧରି ଦେଶ ମାତୃକାର ସେବା କରିବାପରେ ଗତ ୨୦୨୦ରେ ଜୁନିଅର୍ କମିଶନ୍‌ଡ୍ ଅଫିସର୍ ଭାବେ ସେନାବାହିନୀରୁ ଅବସର ନେଇଥିଲେ । ଅବସର ପରେ ବଲାଙ୍ଗିର ସହର ଚିମନିଭାଟି ପଡାରେ ନିଜ ପରିବାର ସହ ରହୁଥିଲେ । ଗତ ୧୨ ତାରିଖ ଦିନ ସେ ଅସୁସ୍ଥ ହେବାରୁ ତାଙ୍କୁ ପ୍ରଥମେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଆଣ୍ଟିଜେନ ପରୀକ୍ଷାରୁ ସେ କରୋନା ସଂକ୍ରମଣର ଶିକାର ହୋଇଥିବା ଜଣାପଡିଥିଲା । ତାଙ୍କୁ ପ୍ରଥମେ ବିବିଏମସିଏଚ୍‌ କୋଭିଡ୍ ଆଇସିୟୁରେ ଭର୍ତ୍ତି କରାଯିବା ପରେ ଶରୀରରେ ଅକ୍ସିଜେନ୍ ମାତ୍ରା କମି ଯାଉଥିବାରୁ ବୁର୍ଲା କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ବୁର୍ଲାରୁ ୧୨ ତାରିଖ ସଂଧ୍ୟାରେ ସମ୍ବଲପୁରର ଏକ ଘରୋଇ ନର୍ସିଂହୋମ୍‌ରେ ତାଙ୍କୁ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲା । ୧୪ ତାରିଖ ରାତି ୧୦ଟା ୪୫ ମିନିଟ୍ ସମୟରେ ଡାକ୍ତର ମନୋଜଙ୍କୁ ମୃତ ଘୋଷଣା କରିଥିଲେ । କୋଭିଡ ନିୟମ ଅନୁସାରେ ତାଙ୍କ ୍ୱୃତଦେହକୁ ଆଜି ସକାଳେ ସମ୍ବଲପୁର ଶ୍ମଶାନଘାଟ ଠାରେ ଦାହ ସଂସ୍କାର କରାଯାଇଥିଲା । ତାଙ୍କ ବିଧବା ପତ୍ନୀ ସହ ୨ ଛୋଟ ପୁଅ, ବାପା, ମା’ ଓ ଭାଇ ଭଉଣୀ ରହିଛନ୍ତି । ବଡଭାଇ ବିଜୟ ମୁଖାଗ୍ନି ଦେଇଥିଲେ । ସ୍ବର୍ଗତ ମନୋଜ ଜଣେ ମିଷ୍ଟଭାଷୀ, ପରୋପକାରୀ ତଥା ମେଳାପୀ ଯୁବକ ଭାବେ ସ୍ଥାନୀୟ ଅଞ୍ଚଳରେ ବେଶ ଜଣାଶୁଣା ଥିଲେ । ତାଙ୍କ ଅକାଳ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରାଯାଇଛି । ବଲାଙ୍ଗିର ଜିଲ୍ଲା ଅବସରପ୍ରାପ୍ତ ସୈନିକ ସଂଘର ସାଧାରଣ ସଂପାଦକ ପ୍ରତାପ ଚଂଦ୍ର ରଥ ତଥା ସଦସ୍ୟମାନ‌ଙ୍କ ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି ।

Leave A Reply

Your email address will not be published.