ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହରାଞ୍ଚଳ ତଥା ଆଖପାଖ ଅଂଚଳରେ କରୋନା ସଂକ୍ରମିତ ଦିନ କୁ ଦିନ କାୟା ବିସ୍ତାର କରିବାରେ ଲାଗିଛି । ଏହାର ସଠିକ ମୁକାବିଲା କରିବା ପାଇଁ ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଙ୍କ ଅଧ୍ୟକ୍ଷତା ଉପଜିଲ୍ଲାପାଳ ପରିସର ରେ ଥିବା ସଭାଗୃହ ଠାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକ ରେ ବିଭିନ୍ନ ବିଭାଗୀୟ ଅଧିକାରୀ ଙ୍କ ସମେତ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ,ବଣିକ ସଂଘ, ଓକିଲ ସଂଘ, ନାଗରିକ କମିଟିର ସଦସ୍ୟ ମାନେ ଯୋଗଦାନ କରି ନିଜନିଜର ସୁ-ଚିନ୍ତିତ ମତାମତ ମାନ ଉତ୍ଥାପନ କରିଥିଲେ । ସାଂପ୍ରତିକ ପରିସ୍ଥିତି ରେ ସରକାରଙ୍କ ଦ୍ଵାରା ଧାର୍ୟ୍ୟ କରୋନା ସଂକ୍ରାନ୍ତିୟ ନିୟମାବଳୀକୁ କଡାକଡି ଭାବେ ପାଳନ କରିବା ସହିତ ମାକ୍ସ ବ୍ୟବହାର, ସାମାଜିକ ଦୂରତା ରକ୍ଷା, ଦୋକାନ ବଜାରରେ ଜନ ଗହଳି ନିୟନ୍ତ୍ରଣ, ସଚେତନତା କାର୍ୟ୍ୟକ୍ରମ ତଥା ଜନ ଗହଳି ସ୍ଥାନରେ ବ୍ୟାପକ ଭାବରେ ଯାଞ୍ଚ କାର୍ୟ୍ୟକ୍ରମ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଏତତବ୍ୟତିତ ସାମାଜିକ ଓ ଧାର୍ମିକ କାର୍ୟ୍ୟକ୍ରମ ଆୟୋଜନ ସମୟ ରେ ମଧ୍ୟ କରୋନା ସଂପର୍କିତ ନିୟମାବଳୀ ପାଳନ ଉପରେ ଗୁରୁତ୍ବ ଆରୋପ କରାଯାଇଥିଲା । ଜନଗହଳି କୁ ଏଡ଼ାଇବା ପାଇଁ ବିଭିନ୍ନ ସ୍ଥାନରେ ଆୟୋଜନ ହେବାକୁ ଥିବା ନାମ ଯଜ୍ଞ, ସଂକୀର୍ତ୍ତନ ପ୍ରଭୃତି କାର୍ୟ୍ୟକ୍ରମକୁ ବାରଣ କରିବାପାଇଁ ସହ ବିହିତ ପଦକ୍ଷେପ ନେବାପାଇଁ ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ସେ ଭଳି ପଦ୍ମପୁର ସହରାଞ୍ଚଳ ରେ ବସୁଥିବା ସାପ୍ତାହିକ ହାଟ କୁ ଆବଶ୍ୟକୀୟ ସ୍ଥଳେ ସ୍ଥାନାନ୍ତର କରିବା ପାଇଁ ବିଭିନ୍ନ ସଂଗଠନର ସଦସ୍ୟ ମାନେ ଉପଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେସଂକୀର୍ତ୍ତନ ଏହା ବ୍ୟତୀତ ସହରାଞ୍ଚଳରେ ଜନସଚେତନତା କାର୍ୟ୍ୟକ୍ରମକୁ ବ୍ୟାପକ କରିବାପାଇଁ ସମସ୍ତ ସଂଗଠନ,ସଂଘ ର ସଦସ୍ୟ ଗଣ ସମ୍ବିଳିତ ଭାବରେ ଆଗେଇ ଆସାବାପାଇଁ ସହମତି ପ୍ରକାଶ ପାଇଥିଲା । ପଦ୍ମପୁର ଉପଖଣ୍ଡ ଚିକିତ୍ସାଧିକାରୀ ଡାକ୍ତର ତହସିଲ ସାହୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ମୁଖ୍ୟତ ଟୀକାକରଣ ଉପରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିବା ସହିତ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ । ଉପଖଣ୍ଡ ପୋଲିସ ଆରକ୍ଷୀଅଧିକାରୀ ପ୍ରଦୀପ କୁମାର ସାହୁ ପୋଲିସ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ଯାଞ୍ଚ,ଜନ ସଚେତନତା ତଥା ନିଆଯାଇଥିବା ପଦକ୍ଷେପ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଉକ୍ତ ଜରୁରୀ ବୈଠକ ରେ ଅନ୍ୟମାନଙ୍କ ମଧ୍ୟରେ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ର କାର୍ୟ୍ୟ ନିର୍ବାହୀ ଅଧିକାରୀ, ସହକାରୀ ଜିଲ୍ଲାପାଳ ଦିପ୍ତିମୟୀ ଭୁଏ, ଅତିରିକ୍ତ ତହସିଲଦାର ସରୀତା ଗୁପ୍ତା,ବଣିକ ସଂଘ ର ସଭାପତି ପ୍ରତାପ କୁମାର ମିଶ୍ର, ଓକିଲ ସଂଘର ସମ୍ପାଦକ ପ୍ରଶାନ୍ତ କୁମାର ମାଝୀ, ଆଡଭୋକେଟ ଉମେଶ ସାହୁ, ନାଗରିକ କମିଟିର ସଦସ୍ୟ ଗୋବିନ୍ଦ ପ୍ରସାଦ ଅଗ୍ରୱାଲଙ୍କ ସମେତ ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନର ପ୍ରତିନିଧି ତଥା ବିଭାଗୀୟ ଅଧିକାରୀ ଯୋଗଦାନ କରି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ବୈଠକ ଶେଷରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post