ଲୋୟର ସୁକତେଲ ସ୍ଥିତି ସମୀକ୍ଷା କଲେ ନରସିଂହ : ଏକକାଳୀନ କ୍ଷତି ପୂରଣ, ଥଇଥାନ ସହ ପ୍ରକଳ୍ପ ଶୀଘ୍ର ସାରିବା ଉପରେ ଗୁରୁତ୍ୱ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲୋୟର ସୁକତେଲ ପ୍ରକଳ୍ପ କାମ ଗତ ବର୍ଷ ନଭେମ୍ବରରେ ପୁନଃ ଆରମ୍ଭ ହେବାର ଥିଲା । ଦୁଇ ମାସ ବିଳମ୍ବରେ ପ୍ରକଳ୍ପ କାମ ଆରମ୍ଭ ହୋଇଛି । ଏହା ଭିତରେ ପ୍ରକଳ୍ପ ସମ୍ବନ୍ଧିତ ଯନ୍ତ୍ରୀ, ଅଧିକାରୀ ତଥା ଅନ୍ୟାନ୍ୟ କର୍ମଚାରୀଙ୍କର ପୋଷ୍ଟିଂ ହୋଇ ସେମାନେ ତାଙ୍କର କାମ ଆରମ୍ଭ କରିଛନ୍ତି । ଏହି ଅଧିକାରୀମାନେ ଯତ୍ନବାନ ହୋଇ ଦାବୀ ମୁତାବକ ବିସ୍ଥାପିତ ଲୋକଙ୍କୁ ଏକକାଳୀନ କ୍ଷତିପୂରଣ ପାଇବା ବ୍ୟବସ୍ଥା କରି ପ୍ରକଳ୍ପ କାମ ଯେପରି ନିର୍ଦ୍ଧାରିତ ସମୟରେ ଶେଷ ହୋଇ ପାରିବ ସେ ଉପରେ ସମସ୍ତେ କାମ କରନ୍ତୁ ବୋଲି ଆଜି ସ୍ଥାନୀୟ ସର୍କିଟ ହାଉସ ଠାରେ ଲୋୟର ସୁକତେଲ ଜଳ ସେଚନ ପ୍ରକଳ୍ପ ସମ୍ବନ୍ଧୀୟ ଅଧିକାରୀମାନଙ୍କୁ ନେଇ ଏହାର ସ୍ଥିତି ସଂପର୍କରେ ସମୀକ୍ଷା କରିବା ବେଳେ ସ୍ଥାନୀୟ ବିଧାୟକ ନରସିଂହ ମିଶ୍ର କହିଛନ୍ତି ।

ଆଜି ଦିବା ଘ.୧୦.୩୦ମି. ସମୟରେ ଆରମ୍ଭ ହୋଇଥିବା ଏହି ସମୀକ୍ଷା ବୈଠକରେ ପ୍ରକଳ୍ପର ମୁଖ୍ୟଯନ୍ତ୍ରୀ ମହେନ୍ଦ୍ର ମହାପାତ୍ର ପ୍ରକଳ୍ପ ଅଧିକାରୀ, କୁମାର ନାଗଭୂଷଣ ସ୍ୱତନ୍ତ୍ର ଭୂମି ଅଧିଗ୍ରହଣ ଅଧିକାରୀ, ନିର୍ବିଘ୍ନ ଭୋଇ ନିର୍ବାହୀ ଯନ୍ତ୍ରୀ, ସଂଜିବ ତ୍ରିପାଠି ନିର୍ବାହୀଯନ୍ତ୍ରୀ କେନାଲ ବିଭାଗ ପ୍ରମୁଖ ଉପସ୍ଥିତ ରହି ପ୍ରକଳ୍ପର ସ୍ଥିତି ସମ୍ପର୍କରେ ବିଧାୟକ ଶ୍ରୀ ମିଶ୍ରଙ୍କୁ ସବିଶେଷ ସୂଚନା ଦେଇଥିଲେ । ଦୀର୍ଘ ୨୦ ବର୍ଷରୁ ଉଦ୍ଧ୍ୱର୍ ହେବ ପ୍ରକଳ୍ପ ସମ୍ପୁର୍ଣ୍ଣ ହେଉ ନ ଥିବାରୁ ଧିରେ ଧିରେ ଲୋକଙ୍କ ମନରେ ଅସନ୍ତୋଷ ବୃଦ୍ଧି ପାଉଛି । ତେଣୁ କ୍ଷତିଗ୍ରସ୍ତ ତଥା ବିସ୍ଥାପିତ ଲୋକଙ୍କୁ ଏକକାଳୀନ ତାଙ୍କର କ୍ଷତିପୂରଣ ରାଶି ପ୍ରଦାନ କରି ଶୀଘ୍ର ସେମାନଙ୍କୁ ବିସ୍ଥାପନ କରିବାର ବ୍ୟବସ୍ଥା କରନ୍ତୁ ବୋଲି ଉପସ୍ଥିତ ଅଧିକାରୀମାନଙ୍କୁ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ବିସ୍ଥାପିତ ଲୋକଙ୍କ ପାଇଁ ଉର୍ଦ୍ଦିଷ୍ଟ ଜମି ତଥା ସେ ଅଂଚଳରେ ଦରକାର ହେଉଥିବାର ରାସ୍ତା ଘାଟ, ଶିକ୍ଷା ପାଇଁ ସ୍କୁଲ, ବିଜୁଳି, ପିଇବା ପାଣିର ବ୍ୟବସ୍ଥା ହୋଇ ନାହିଁ । କିନ୍ତୁ ବିଗତ ଦିନ ମାନଙ୍କରେ ପ୍ରକଳ୍ପ ଅଧିକାରୀମାନଙ୍କ ଠାରୁ ଦିଆଯାଇଥିବା ରିପୋର୍ଟ ମାନଙ୍କରେ ସମସ୍ତ ବ୍ୟବସ୍ଥା ସୁଚାରୁ ରୂପେ ହୋଇଥିବା ଦର୍ଶାଯାଇଥିଲା । କ୍ଷେତ୍ର ପରିଦର୍ଶନ ସମୟରେ ସେ ରିପୋର୍ଟ ମିଥ୍ୟା ପ୍ରମାଣିତ ହେବାରୁ ଶ୍ରୀ ମିଶ୍ର ସେ ସବୁ ମୌଳିକ ସମସ୍ୟା ଶୀଘ୍ର ସମାଧାନ କରନ୍ତୁ ବୋଲି ନିର୍ଦ୍ଦେଶ ଦେଇଥିଲେ । ଆଲୋଚନା ବେଳେ ପରିବାର ପିଛା କ୍ଷତିପୂରଣ, ଫଳ ପ୍ରଦାନକାରୀ ବୃକ୍ଷର କ୍ଷତିପୂରଣ, ଆଂଶିକ ବୁଡିଯାଉଥିବା ଗାଁର ଲୋକଙ୍କ ସମସ୍ୟା ଓ କ୍ଷତିପୂରଣ ତଥା ଜମି ସମ୍ବନ୍ଧୀୟ ସିଲିଂ ଜମି ଓ ଝାଙ୍କିରି ଜମିର କ୍ଷତିପୂରଣ ସମୟରେ ଅଧିକାରୀମାନେ ବିଶେଷ ଯତ୍ନବାନ ହୋଇ ଲୋକଙ୍କୁ କ୍ଷତିପୂରଣ ପ୍ରଦାନ କରନ୍ତୁ ବୋଲି ଆଲୋକ ସମୟରେ ଶ୍ରୀ ମିଶ୍ର କହିଥିଲେ । କାରଣ ଝାଙ୍କିରି ଜମିର କ୍ଷତିପୂରଣ ପ୍ରଦାନକୁ ନେଇ ଆଇନକୁ ତର୍ଜମା କଲେ ତାର ବିଭିନ୍ନ ଦିଗ ବାହାରିପାରେ । ସେଥିରୁ ଝାଙ୍କିରି ଜମି ଦଖଲରେ ଥିବା ଲୋକ ଯେପରି ତାର କ୍ଷତିପୂରଣ ରାଶି ପାଇ ପାରିବ ସେ ଦିଗରେ ଅଧିକାରୀମାନେ କାମ କରିବା ଉଚିତ ବୋଲି ଶ୍ରୀ ମିଶ୍ର ନିଜ ନିଷ୍ପତ୍ତି ଶୁଣାଇଥିଲେ । ପ୍ରକଳ୍ପ ଦ୍ୱାରା ଆଂଶିକ କ୍ଷତିଗ୍ରସ୍ତ ହେଉଥିବା ଚୁଡାପାଲି, ଢୁଲୁସର, ବାରପୁଡୁଗିଆ ଓ ବରପିଟା ଗ୍ରାମର ଲୋକେ ଯେପରି ପ୍ରକଳ୍ପ ଦ୍ୱାରା ଦିଆଯାଉଥିବା କ୍ଷତିପୂରଣ ଠିକ ହିସାବରେ ପାଇ ପାରିବେ ସେ ଉପରେ ଆଲୋଚନା ହୋଇଥିଲା । ଠିକ୍‌ ସେହିପରି ସାନତେଲନପାଲି, ବଡ ତେଲେନପାଲି, ଗର୍ଜନ, କୋଟମୁଣ୍ଡ, କଏଣ୍ଡାପାଲି, ଖୁଣ୍ଟପାଲି ଗ୍ରାମ ବାବଦରେ ମଧ୍ୟ ସମୀକ୍ଷା ହୋଇଥିଲା । ବର୍ତ୍ତମାନ ପ୍ରକଳ୍ପ କାମ ର ଗତି କିଭଳି ଚାଲିଛି, ତା’ ଉପରେ ମୁଖ୍ୟଯନ୍ତ୍ରୀ ସ୍ପଷ୍ଟୀକରଣ ଦେଇଥିଲେ । ଡେମ କାମ ସହ ସମାନ୍ତରଣ ଭାବେ ଭୂତଳ ପାଇପ ବିଛାଯିବାର ବ୍ୟବସ୍ଥା ଥିବାରୁ କାମ ନିର୍ଦ୍ଧାରିତ ସମୟ ୨୦୨୪ ମସିହାରେ ସରିବ ବୋଲି ମୁଖ୍ୟଯନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ କହିଥିଲେ । ବହୁ ଶୀଘ୍ର ପ୍ରକଳ୍ପ କ୍ଷେତ୍ରକୁ ଶ୍ରୀ ମିଶ୍ର ପରିଦର୍ଶନରେ ଯାଇ ପ୍ରକଳ୍ପ କାମର ଅନ୍ୟ ସମସ୍ୟାଗୁଡ଼ିକୁ ନେଇ ଆଲୋଚନା କରିବେ ବୋଲି ଜଣାଇଥିଲେ ।

Leave A Reply

Your email address will not be published.