- ବ୍ୟବସ୍ଥା ଥିଲେ ବି ଶୋଷରେ ଗ୍ରାମବାସୀ
ଦେଓଗାଁ, (ମନୀଷ କୁମାର ସାହୁ) : ବହୁ ବର୍ଷ ହେଲା ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି ଦେଓଗାଁ ବ୍ଳକ ଗାଈବାହାଲ ପଞ୍ଚାୟତର ରାଏପାଲି ଗାଁର ଲୋକମାନେ । ପ୍ରତି ମାସରେ ୩ରୁ ୪ ଦିନ ପାଇପରେ ଯୋଗାଣ ହେଉଥିବା ପାଣି ପାଉଥିବା ବେଳେ ଅବଶିଷ୍ଟ ଦିନରେ ଗାଁ ପୋଖରୀ ଓ କୂପର ପାଣି ପିଉଛନ୍ତି । ଗାଁରେ ଥିବା ନଳକୂପରେ ଶହେଭାଗ ପାଣି ଫ୍ଲୋରାଇଟ ବାହାରୁ ଥିବାରୁ ଏହି ପାଣିକୁ ବ୍ୟବହାର ନ କରିବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦେଶ ଦିଆଯାଇଛି । କିଛି ମାସ ହେଲା ଏହି ଗାଁ ପାଇଁ ସୋନଗଡ଼ ନଦୀରୁ ଟେଙ୍କର ଯୋଗେ ପାଣି ଯୋଗାଇ ଦିଆଯାଇଥିଲା । ହେଲେ ଉଡ଼ାର ପଞ୍ଚାୟତର ବାଞ୍ଜିପାଲି ନିକଟରେ ଏକ ଗଭୀର ନଳକୂପରୁ ପାଣି ଯୋଗାଇବାର ବ୍ୟବସ୍ଥା କରାଯିବାରୁ ଟେଙ୍କର ପାଣିକୁ ବନ୍ଦ କରିଦିଆଗଲା । ବର୍ତ୍ତମାନ ବାଞ୍ଜିପାଲିରୁ ପାଣି ଯୋଗାଣ ବନ୍ଦ ବିଷୟରେ କାରଣ ଖୋଜିବାରୁ ଜଣାପଡ଼ିଛି ଯେ, ବାଞ୍ଜିପାଲିରୁ ରାଏପାଲି ମଧ୍ୟରେ ବ୍ରାହ୍ମଣୀପାଲି ଆଁଟରେ ଓଭର ହେଡ଼ ଟାଙ୍କିର ବ୍ୟବସ୍ଥା କରାଯାଇଛି ସେହିଠାରୁ ରାଏପାଲି ଆସିବା ବାଟରେ ବାରମ୍ବାର ପାଇପ ଫାଟୁଥିବାରୁ ଏପରି ସ୍ଥିତି ହେଉଥିବା ଗାଁର ଲୋକମାନେ କହୁଛନ୍ତି । ଅନ୍ୟପକ୍ଷରେ ବାରମ୍ବାର ପାଇପ ଫାଟିବା ବିଷୟରେ ବିଭାଗୀୟ ଯନ୍ତ୍ରୀମାନେ ତଦନ୍ତ କରି ସ୍ଥାୟୀ ସମାଧାନ କରିବା ବଳରେ କେବଳ ମରାମତି କରି କାମ ଚଳାଉଥିବାରୁ ଏପରି ସ୍ଥିତି ହେଉଛି ବୋଲି ଅଭିଯୋଗ ହେଉଛି । ତେଣୁ ତୁରନ୍ତ ବିକଳ୍ପ ବ୍ୟବସ୍ଥା କରାଯିବାକୁ ରାଏପାଲି ଗାଁର ଲୋକମାନେ ଦାବୀ କରୁଛନ୍ତି ।