ନାବାଳିକାଙ୍କ ଅନିଚ୍ଛା ସତ୍ୱେ ବିବାହ : ପୁଣି ୮ ମାସ ପରେ ଯୌତୁକ ନିର୍ଯ୍ୟାତନା ଦେଇ ଘରକୁ ତଡ଼ି ଦେଲେ : ନ୍ୟାୟ ପାଇଁ ପୀଡ଼ିତାଙ୍କ ପରିବାର ଥାନାର ଦ୍ୱାରସ୍ଥ, ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୩ ଗିରଫ, ଜଣେ ଫେରାର
ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ପ୍ରଥମେ ନାବାଳିକାଙ୍କୁ ଏକ ତରଫା ପ୍ରେମ ନିବେଦନ । ନାବାଳିକା ଜଣକ ପ୍ରତ୍ୟାଖ୍ୟାନ କରିବା ପରେ ନାବାଳିକାଙ୍କୁ ଧମକ ଚମକ ଦେଇ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲା । ନଚେତ ନାବାଳିକା ଜଣକୁ ଜୀବନରେ ମାରି ଦେବି ବୋଲି ଧମକ ଦେଇଥିଲା ମୁଖ୍ୟ ଅଭିଯୁକ୍ତ ଗଜେନ୍ଦ୍ର ସିଂ ପାତ୍ର । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଘଟଣାଟି ହେଉଛି ଦାରିଙ୍ଗବାଡ଼ି ଥାନା ଅର୍ନ୍ତଗତ କିରିକୁଟୀ ଗ୍ରାମର । ଅଭିଯୋଗ ଅନୁସାରେ ଗ୍ରାମର ଜୈନେକା ନାବାଳିକାକୁ ଗ୍ରାମର ଗଜେନ୍ଦ୍ର ସିଂ ପାତ୍ର ଏକ ତରଫା ପ୍ରେମ କରି ବିଫଳ ହେବା ପରେ ଧମକଚମକ ଦେଉଥିଲା । ତେବେ ଗତ ୨୦୧୯ ମସିହା ସେପ୍ଟେମ୍ବର ୬ ତାରିଖ ରାତି ପ୍ରାୟ ୨ଟା ସମୟରେ ଗଜେନ୍ଦ୍ର ନାବାଳିକାଙ୍କ ଘର କବାଟ ଗେଟ୍ ଭାଙ୍ଗି ଭିତରକୁ ପଶି ଦୁଷ୍କର୍ମ କରିବାକୁ ଉଦ୍ୟମ କରିବା ବେଳେ ନାବାଳିକା ଜଣକ ଚିତ୍କାର କରିବାରୁ ପରିବାର ଲୋକେ ଗଜେନ୍ଦ୍ରକୁ ଧରିବାରେ ସକ୍ଷମ ହୋଇଥିଲେ । ତେବେ ଏହାପରେ ଗଜେନ୍ଦ୍ରଙ୍କ ପରିବାର ଲୋକେ ନାବାଳିକାକୁ ନିଜ ଘରକୁ ନେଇ ୧୮ ବର୍ଷ ହେବା ପରେ ଗଜେନ୍ଦ୍ର ସହିତ ବିବାହ କରିବୁ ବୋଲି କହି ନାବାଳିକାଙ୍କ ପରିବାର ଲୋକଙ୍କ ଅନିଚ୍ଛା ସତ୍ୱେ ନିଜ ଘରକୁ ନେଇ ଯାଇଥିଲେ । ସ୍ତ୍ରୀର ଅଧିକାର ସାବ୍ୟସ୍ତ କରି ମୁଖ୍ୟ ଅଭିଯୁକ୍ତ ନାବାଳିକାକୁ ଘରକୁ ନେବା ପରେ ନାବାଳିକାର ଅନିଚ୍ଛା ସତ୍ୱେ ବିଭିନ୍ନ ସମୟରେ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏଥି ସହିତ ଦୀର୍ଘ ୮ ମାସ ପାଖରେ ରଖିବା ପରେ ଯଦି ବିବାହ କରିବାକୁ ଚାହୁଁଛୁ, ତେବେ ତୋ ବାପା ପାଖରୁ ୫ ଲକ୍ଷ ଟଙ୍କା ଧରି ଆସେ, ତା ପରେ ବିବାହ କଥା ଦେଖିବା କହି ପିଡ଼ୀତାଙ୍କୁ ତାଙ୍କ ବାପ ଘରକୁ ତଡ଼ି ଦେଇଥିବା ଅଭିଯୋଗ ହୋଇଥିବା ଜଣାପଡିଛି । ସୂଚନା ପ୍ରକାରେ ଏହି ଘଟଣା ଘଟିବା ପରେ ପିଡ଼ୀତାଙ୍କ ପରିବାର ତରଫରୁ ଏନେଇ ଦାରିଙ୍ଗବାଡ଼ି ଥାନାରେ ଗତ ଫେବୃଆରୀ ୫ ତାରିଖରେ ଲିଖିତ ଅଭିଯୋଗ କରା ଯାଇଥିଲା । ଅଭିଯୋଗ ଆଧାରରେ ଦାରିଙ୍ଗବାଡ଼ି ଥାନା କେସ ନଂ ୧୯/୨୦୨୧ରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା । ଗତ ଫେବୃଆରୀ ୯ ତାରିଖରେ ମୁଖ୍ୟ ଅଭିଯୁକ୍ତ ଗଜେନ୍ଦ୍ର ସିଂ ପାତ୍ରକୁ ବୌଦ୍ଧ-ସୋନପୁର ସୀମାବର୍ତୀ ଉମାଗାଁ ଅଚଳରୁ ଗିରଫ କରିଥିବା ବେଳେ ଅନ୍ୟ ୩ ଜଣ ସହଯୋଗୀ ଫେରାର ଥିଲେ । ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ଦାରିଙ୍ଗବାଡ଼ି ପୁଲିସ ତରଫରୁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା । ଫେରାର ଅଭିଯୁ୍କ୍ତଙ୍କ ସନ୍ଧାନ ପାଇ ଲୁଚିଥିବା ସ୍ଥାନରେ ଚଢାଉ କରି ମୁଖ୍ୟ ଅଭିଯୁକ୍ତଙ୍କ ଭଉଣୀ ପୁଷ୍ପାଂଜଳି ପାତ୍ରଙ୍କୁ କୋରାପୁଟ ଟାଉନର ପି.ଏଚ୍.ଡି କଲୋନୀରୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ତଥା ମୁଖ୍ୟ ଅଭିଯୁକ୍ତର ଭାଇ କାମାକ୍ଷା ସିଂ ପାତ୍ରଙ୍କୁ ବାଲିଗୁଡ଼ା ଥାନା ମିଡିଆକିଆ ଅଂଚଳରୁ ପୁଲିସ ଗିରଫ କରିଥିଲା । ଅନ୍ୟତମ ଅଭିଯୁକ୍ତ ଉମାଦେବୀ ପାତ୍ର ତୁମୁଡିବନ୍ଧ ଥାନା ବେନାରବାହାଲ ଅଂଚଳର ପରମାନନ୍ଦ ବେହେର ଦଳେଇଙ୍କ ଘରେ ଲୁଚିଥିବା ଖବର ପାଇ ପୁଲିସ ସେଠାରେ ପହଁଚିଥିଲା । କିନ୍ତୁ ପରମାନନ୍ଦ ବେହେର ଦଳେଇ ପୁଲିସକୁ ତଦନ୍ତରେ ସହଯୋଗ ନକରିବା ସହିତ ଘର ଭିତରୁ କବାଟ ବନ୍ଦ କରି ପୁଲିସକୁ ଗାଳି ଗୁଲଜ କରିବା ସହ ପୁଲିସକୁ ଧମକ ଦେଇଥିବା ପୁଲିସ ସୁତ୍ରରୁ ଜଣାପଡିଛି । ସେପଟେ ବହୁତ ସମୟ ଧରି ସେଠାରେ ଅପେକ୍ଷା କରିବା ପରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ସେଠାରୁ ପୁଲିସ ଘଟଣା ସ୍ଥଳରୁ ଫେରି ଆସିଥିବା ଜଣାପଡିଛି ଏବଂ ବର୍ତମାନ ସୁଦ୍ଧା ଅନ୍ୟତମ ଅଭିଯୁକ୍ତ ଉମାଦେବୀ ପାତ୍ର ଗିରଫ ହୋଇ ପାରିନଥିବା ଜଣାପଡିଛି । ଗୋଟିଏ ପଟେ ପୁଲିସ ପୀଡିତାଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ଚେଷ୍ଟା ଜାରି ରଖିଥିବା ବେଳେ ଅଭିଯୁକ୍ତଙ୍କୁ ଆଶ୍ରୟ ଦେଇଥିବା ପରମାନନ୍ଦ ବେହେର ଦଳେଇ ଏବଂ ତାଙ୍କର ଜଣେ ସର୍ମ୍ପକୀୟ ମହିଳା ମିଥ୍ୟା ଅଭିଯୋଗ ନେଇ କନ୍ଧମାଳ ଏସ.ପି ଙ୍କ ନିକଟରେ ପୁଲିସ ବିରୋଧରେ ଅଭିଯୋଗ କରିଥିବା ଜଣାପଡିଛି । ସେପଟେ ଦାରିଙ୍ଗବାଡ଼ି ପୁଲିସ ଏହି ଅଭିଯୋଗକୁ ଖଣ୍ଡନ କରିଥିବା ବେଳେ ଦୋଷୀକୁ ଉପଯୁକ୍ତ ଦଣ୍ଡ ଦେବା ସହିତ ପୀଡ଼ିତାଙ୍କୁ ନ୍ୟାୟ ମିଳୁ ବୋଲି ପୀଡ଼ିତାଙ୍କ ପରିବାର ଲୋକେ ଦାବୀ କରିଛନ୍ତି ।