jayashree

ସମ୍ବେଦନହୀନ ବିଜେପୁର ବ୍ଲକ ପ୍ରଶାସନ : ମାସ ମାସ ଧରି ପର ଘରେ ଆଶ୍ରିତ ପରିବାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଜେପୁର ନିର୍ବାଚନ ମଣ୍ଡଳୀ ନାଁ ଶୁଣିଦେଲେ ସମସ୍ତେ ଚକିତ ହୋଇଯାଉଥିଲେ ଲୋକେ । ମୁଖ୍ୟମନ୍ତ୍ରୀ ନିଜେ ଏଠାରୁ ନିର୍ବାଚିତ ହେବା ସମୟରୁ ଲୋକଙ୍କ ମନରେ ଆଶା ଏବଂ ବିଶ୍ୱାସ ବଢିଯାଇଥିଲା । ମୁଖ୍ୟମନ୍ତ୍ରୀ ନିଜେ ବିଜେପୁରର ବିକାଶ ଦେଖିବେ ବୋଲି ସମଗ୍ର ଓଡିଶାରେ ଚର୍ଚ୍ଚା ହେଲା । ବିଜେପୁର ଅଞ୍ଚଳବାସୀ ବିକାଶର ସ୍ୱପ୍ନରେ ବିଭୋର ହୋଇ ଯାଇଥିଲେ । କି‌ନ୍ତୁ ସେମାନ‌ଙ୍କ ‌ସ୍ୱ‌ପ୍ନ ସବୁ ଧୂଳିସାତ୍‌ ହୋଇଯାଇଥିବା ସେମାନେ କୁହ‌ନ୍ତି । ସ୍ୱାର୍ଥ ଥିଲା ବେଳେ ସର୍ବେ ନିଜର, ସ୍ୱାର୍ଥ ସରିଗଲେ କିଏ କାହାର… ନୀତିରେ ଚାଲିଛି ବିଜେପୁର ବ୍ଲକ ବୋଲି ଆଲୋଚନା ହେଉଛି । ଏଠି ଘର ଭାଙ୍ଗିଲେ ମିଳେନି ସହାୟତା, ପର ଘରେ ଆଶ୍ରୟ ନିଅନ୍ତି ପୀଡିତ ପରିବାର.. ଏଭଳି ଏକ ଘଟଣା ନଜରକୁ ଆସିଛି । ବରଗଡ଼ ଜିଲ୍ଲା ଅନ୍ତର୍ଗତ ବିଜେପୁର ବ୍ଲକ ଭଟିଗାଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଭାଟିବାହାଲି ଗାଁ । ଗତବର୍ଷ ଲଗାଣ ବର୍ଷାରେ ବୃନ୍ଦାବନ ବଗର୍ତ୍ତିଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଥିବା ଯୋଗୁଁ ନିଜର କୌଣସି ପକ୍କାଗୃହ ନ ଥିବାରୁ ସେ ଏବେ ବାସହୀନ ହୋଇ ଦୀର୍ଘ ଦିନ ହେଲା ପଡୋଶୀ ଘରେ ଆଶ୍ରୟ ନେଇଛନ୍ତି । କିନ୍ତୁ ବିଜେପୁର ବ୍ଲକ ପ୍ରଶାସନଙ୍କୁ ଏହି ଘଟଣା ଜଣେଇଲା ପରେ ବି କୌଣସି ସମବେଦନା ଦେବା ପାଇଁ ବୋଧହୁଏ ତାଙ୍କ ପାଖରେ ସମୟ ନାହିଁ ବୋଲି ଲୋକ ଆଲୋଚନା କରୁଛନ୍‌ନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ଏହି ପଞ୍ଚାୟତରେ ଜଣେ ସରକାରୀ ଶିକ୍ଷକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ହାତେଇଥିଲେ ଯାହାକି ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା ଓ ବେଶ୍‌ ଚ‌ର୍ଚ୍ଚାରେ ଏହି ଘଟଣା ରହିଥିଲା । ଅନ୍ୟପଟେ ରାଜସ୍ୱ ଏବଂ ବିପର୍ୟ୍ୟୟ ପରିଚାଳନା ବିଭାଗ ତଥା ସ୍ୱତନ୍ତ୍ର ରିଲିଫ କମିଶନଙ୍କ ସ୍ପଷ୍ଟ ନିର୍ଦ୍ଦେଶ ରହିଛି ଯେ, ବର୍ଷାରେ କ୍ଷତିଗ୍ରସ୍ତ ଲୋକଙ୍କୁ ତୁରନ୍ତ ସହାୟତା ପ୍ରଦାନ କରାଯାଏ, କିନ୍ତୁ ଏହା ବିଜେପୁର ବ୍ଲକରେ ଦେଖାଯାଏ ନାହିଁ । ବିଜେପୁର ବ୍ଲକକୁ ଛାଡିଦେଲେ ଅନ୍ୟ ବ୍ଲକ ମାନଙ୍କରେ ଗରିବ ଲୋକଙ୍କ ପାଇଁ ଘର ସଂପୂର୍ଣ୍ଣ ଭାଙ୍ଗି ଗଲେ ମିଳିଥାଏ ଅନେକ ଆର୍ଥିକ ସହାୟତା ଏବଂ ଆବାସ ଗୃହ ।
ବିଜେପୁର ବ୍ଲକ ଦୁର୍ନୀତିରେ ଉବୁଟୁବୁ ହେଉଥିବା ଅନେକ ଲୋକ ସାମାଜିକ ଗଣମାଧ୍ୟମ ଜରିଆରେ ଅଭିଯୋଗ କରୁଥିଲେ ହେଁ ସ୍ଥାନୀୟ ବିଡିଓ ଶାସକ ଦଳର କୌଣସି ବଡ଼ ନେତାଙ୍କ ଛତ୍ରଛାୟା ଯୋଗୁଁ ବଦଳି ହେଲେ ବି ବିଜେପୁର ଛାଡ଼ି ଯାଉନାହାନ୍ତି ବୋଲି ଲୋକେ ଆଲୋଚନା କରୁଛ‌ନ୍ତି । ଅଯୋଗ୍ୟ ଲୋକଙ୍କୁ ଯେହେତୁ ଆବାସ ଯୋଜନାରେ ଘର ଦିଆଯାଉଛି, ବୃନ୍ଦାବନଙ୍କୁ ଅବିଳମ୍ବେ ଘର ପ୍ରଦାନ କରିବାକୁ ରାଜ୍ୟ ସରକାର ତଥା ବରଗଡ଼ ଜିଲ୍ଲା ପ୍ରଶାସନଙ୍କ ଠାରେ ସ୍ଥାନୀୟ ସଚେତନ ନାଗରିକ ତଥା ବୁଦ୍ଧିଜୀବୀ ମାନେ ଦାବୀ କରିଛନ୍ତି ।

Leave A Reply

Your email address will not be published.