ବଲାଙ୍ଗିର, (କେପିଏନ୍ଏସ୍) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ଜବାହାରଲାଲ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଜୁନିଅର ରେଡକ୍ରସ ୟୁନିଟ୍ ତରଫରୁ ଦଶମ ଶ୍ରେଣୀରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ଜୁନିଅର ରେଡକ୍ରସ ପରାମର୍ଶଦାତା ରଞ୍ଜିତ ମିଶ୍ରଙ୍କ ଦ୍ୱାରା ପରିଚାଳିତ ଏହି ଶିବିରରେ ଯୋଗ ଗୁରୁ ନରେଶ ପଧାନ ଏବଂ ତାଙ୍କ ସହଯୋଗୀ ମାଧବ ସ୍ୱାଇଁ ଓ ହିମାଂଶୁ ଶେଖର ପଧାନ ଯୋଗ ଦେଇ ମାନସିକ ପ୍ରଫୁଲ୍ଲତା ଓ ଶାରୀରିକ ନୀରୋଗତା ପାଇଁ ଯୋଗ ଅତ୍ୟାବଶ୍ୟକ ଏବଂ ନିଜ ସ୍ୱାସ୍ଥ୍ୟ ପ୍ରତି ଅବହେଳା ପ୍ରଦର୍ଶନ କଲେ ଅସୀମ ଦୁଃଖ ଯନ୍ତ୍ରଣା ଭୋଗିବାକୁ ହୁଏ ବୋଲି ମତ ବ୍ୟକ୍ତ କରିଥିଲେ । ଏହି ଶିବିରରେ ଯୋଗ ପ୍ରାଣାୟମ ସହ ଏକତା, ବିଚାରଶୀଳତା, ନିସ୍ୱାର୍ଥପରତା, ଆତ୍ମନିର୍ଭରଶୀଳତା, ଉଦ୍ୟମଶୀଳତା ପ୍ରଭୃତି ବିଷୟରେ ଶିକ୍ଷା ଦିଆଯାଇଥିଲା । ପୁଇଁନ୍ତଲା ବିଇଓ ନେପାଳ ଚନ୍ଦ୍ର ବାଗ ସ୍ୱାସ୍ଥ୍ୟର ଉପଯୁକ୍ତ ଯତ୍ନ ନେବା ପ୍ରତ୍ୟେକ ଛାତ୍ରଛାତ୍ରୀର ପରମ କର୍ତ୍ତବ୍ୟ ବୋଲି କହିବା ସହ ଶାରୀରିକ ସୁସ୍ଥତାର ସମନ୍ୱୟ ହିଁ ସ୍ୱାସ୍ଥ୍ୟ ବୋଲି କହିଥିଲେ । ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ସୁଧାଂଶୁ ଶେଖର ପଧାନ ସ୍ୱାଗତ ଭାଷଣ ଦେଇଥିବା ବେଳେ କ୍ରୀଡା ଶିକ୍ଷୟିତ୍ରୀ ନିରୋତ୍ତମା ବିଶ୍ୱାଳ ଧନ୍ୟବାଦ ଦେଇଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ପୁରୋହିତଙ୍କ ସମେତ ଶିକ୍ଷକ ପ୍ରମୋଦ ବିଶ୍ୱାଳ, ସୁଦାମ କୁମ୍ଭାର, ତପନ ବୁଡେକ, ଜଗନ୍ନାଥ ଯୋଷୀ, ଅମୁଲ୍ୟ ଦୋରା, ଶିକ୍ଷୟିତ୍ରୀ ସୁଷମା ମେହେର, ସୁବାଷିନୀ ସେଠି, ରଶ୍ମିତା ନନ୍ଦ, ରଶ୍ମିତା ବିଶ୍ୱାଲ ପ୍ରମୁଖ ଉପସ୍ଥିତ ଥିଲେ ।