୩ ଲକ୍ଷ ଟଙ୍କାର ଖଇର କାଠ ଜବତ : ୩ ଗିରଫ

ବଲାଙ୍ଗିର, (ଦେବାଶିଷ ମିଶ୍ର ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ରେଞ୍ଜ ଅନ୍ତର୍ଗତ କରକଚିଆ – ଦୁମଦୁମି ରାସ୍ତାରୁ ଖଇରକାଠ ବୋଝେଇ ଦଶ ଚକିଆ ଟ୍ରକ୍ ଜବତ କରିଛି ବନବିଭାଗ । ଜବତ କାଠ ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା କୁହାଯାଉଥିବା ବେଳେ ୩ ଜଣଙ୍କୁ ଗିରଫ କରାଯାଇଥିବା ବନ ବିଭାଗ ସୂଚନା ଦେଇଛି । ସୂଚନାରୁ ପ୍ରକାଶ ଯେ, ଖଇର କାଠ ଚୋରାଚାଲାଣ ନେଇ ବନବିଭାଗକୁ ଖବର ମିଳିଥିଲା । ବଲାଙ୍ଗିର ଡିଏଫଓଙ୍କ ନେତୃ‌ତ୍ୱରେ ବନବିଭାଗ ପକ୍ଷରୁ ଗତକାଲି ରାତି ୧୧ ଟାରୁ ସଂପୃକ୍ତ ଅଞ୍ଚଳରେ ପେଟ୍ରୋଲିଂ ଓ ଚଢାଉ ଜାରି ରହିଥିଲା । ଆଜି ଭୋର ସକାଳେ ବହୁମାତ୍ରାର ଖଇର କାଠ ଗଣ୍ଡି ଟ୍ରକରେ ଲୋଡ୍ ଚାଲିଥିବା ବେଳେ ହଠାତ ବନବିଭାଗ ଘଟଣା ସ୍ଥଳକୁ ପହଂଚି କାଠ ସମେତ ଦଶ ଚକିଆ ଟ୍ରକ ଟିକୁ ଜବତ କରିଥିଲା । ତେବେ ଜବତ ହୋଇଥିବା ଖଇର କାଠ ପ୍ରାୟ ୧୫ ଟନ୍ ଓଜନର ଓ ଏହାର ମୂଲ୍ୟ ୩ ଲକ୍ଷ ଟଙ୍କା ।

ଏହା ସହ ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ବନବିଭାଗ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ସମ୍ବଲପୁରର ଟ୍ରକ୍ ମାଲିକ ସୁରଜିତ୍ ସିଂ, କାଠ ମାଫିଆ ସାଜନ୍ ଖାନ୍ ଓ ମେକାନିକ୍ ମୁନ୍ନା ଖାନ୍ ବୋଲି ବଲାଙ୍ଗିର ଡିଏଫଓ ସମୀର କୁମାର ଶତପଥି ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.