ତିନୋଟି ପୃଥକ୍‌ ପୃଥକ୍‌ ସ୍ଥାନରେ ଦୁର୍ଘଟଣା : ମହୁଲ ଗଛକୁ ପିଟିଲା ଟ୍ରକ୍, ନିମ୍ବ ଗଛରେ ଧକ୍କା ଦେଲା କାର୍, ଲିମ୍ବ ଗଛରେ ପିଟିହେଲା ମାଛ ବୋଝେଇ ପିକଅପ୍‌ ଭ୍ୟାନ

ସଇଁ‌ନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁ‌ନ୍ତଲା ଥାନା ଅଞ୍ଚଳରେ ତିନୋଟି ପୃଥକ ପୃଥକ ସ୍ଥାନରେ ଦୁର୍ଘଟଣା ଘଟିଥିବା ବେଳେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ତେବେ ଆଜି ସଇଁ‌ନ୍ତଲାର ବାଇକ ସୋରୁମ ନିକଟରେ ଏକ କାର ଏକ ନିମ୍ବ ଗଛକୁ ଧକ୍କା ଦେଇଛି । ଫଳରେ କାରଟି ଅଗ ପଟୁ ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି । ଅଳ୍ପକେ ଗାଡି ଡ୍ରାଇଭର ବର୍ତ୍ତି ଯାଇଥିବା ବେଳେ ଜଣେ ମହିଳା ଗୁରୁତର ହୋଇଥିବା ଯୋଗୁଁ ତାଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।

ସେହିପରି ସଇଁ‌ନ୍ତଲା କେରମେଲି ଛକ ଠାରେ ଆଉ ଏକ ଦୁର୍ଘଟଣା ଘଟିଛି । ଏକ ଟ୍ରକ୍ ମହୁଲ ଗଛକୁ ଧକ୍କା ଦେଇଛି । ତେବେ ଏହି ଦୁଇଟି ଦୁର୍ଘଟଣାରେ ଗାଡି ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଗାଡିଟି ଦ୍ରୁତ ଗତିରେ ଆସୁଥିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଥିବା କୁହାଯାଇଛି । ଖବର ପାଇବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଛି ।

ଅନ୍ୟପଟେ ମାଛ ବୋଝେଇ ପିକଅପ୍‌ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇ ଥିବା ବେଳେ ବଲାଙ୍ଗିର ଜିଲ୍ଲା ସଇଁ‌ନ୍ତଲା ଥାନା ମହାଗାଁ ଛକ ନିକଟରେ ମାଛ ବୋଝେଇ ପିକ୍‌ଅପ୍‌ ଗାଡି ଏକ ନିମ୍ବ ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସ୍ଥାନୀୟ ଲୋକମାନେ ଗାଡ଼ିରେ ଥିବା ମାଛ ଗୁଡିକ ନେଇ ଯାଇଥିବା ଜଣାପଡିଛି । ସୂଚନା ମତେ ସକାଳୁ ୫ଟା ସମୟରେ କେସିଙ୍ଗା ଠାରୁ ବଲାଙ୍ଗିର (କୁରୁଲ) ଅଭିମୁଖେ ଯାଉଥିବା ବେଳେ ୨୬ ନଂ ଜାତୀୟ ରାଜପଥ ମହଗାଁ ଛକଠାରେ ଥିବା ଏକ ନିମ୍ବ ଗଛକୁ ଧକା ଦେଇଥିଲା । ଫଳରେ ମାଛ ବୋଝେଇ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଖବର ପାଇବା ପରେ ଘଟଣା ସ୍ଥାନରେ ସଇଁତଳା ପୋଲିସ ପହଂଚି ଆହତ ଡ୍ରାଇଭରଙ୍କୁ ସଇଁ‌ନ୍ତଲା ଡାକ୍ତରଖାନାକୁ ପଠାଇ ଚିକିତ୍ସିତ କରାଇଥିଲେ । ତେବେ ମାଛ ବୋଝେଇ ଗାଡି ଦୁର୍ଘଟଣାଗ୍ରସ୍ତ ହେବାର ସୁଯୋଗ ନେଇ ସ୍ଥାନୀୟ ଲୋକେ ଗାଡିରୁ ମାଛ ନେଇ ଯାଇଥିବା ଜଣାପଡିଛି । ଅନ୍ୟପଟେ ଗତ କିଛି ଦିନ ହେଲାଣି ଜାତୀୟ ରାଜପଥ ୨୬ ର ମରାମତି ହୋଇଥିବା ବେଳେ କିଛି ଦିନ ହେଲା ଏହି ରାସ୍ତାରେ ହମ୍ପ୍‌ସ୍‌ ନ ଥିବା ଯୋଗୁଁ ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଅଞ୍ଚଳ ବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

Leave A Reply

Your email address will not be published.