ମହା ଶିବରାତ୍ରିରେ ଶ୍ରଦ୍ଧାଳୁଙ୍କୁ ଜାଗର ମନା : କଟକଣା ଜାରିକଲେ ଜି‌ଲ୍ଲାପାଳ

ସୁବର୍ଣ୍ଣପୁର, (ପ୍ରଭୁଦ‌ତ୍ତ ରଥ) : ଆସନ୍ତା ଫେବ୍ରୁଆରୀ ୧୧ ତାରିଖରେ ହେବାକୁ ଥିବା ମହା ଶିବରାତ୍ରୀ ପାଇଁ ଜିଲ୍ଲାପ୍ରଶାସନ ସୁବର୍ଣ୍ଣପୁର ତରଫରୁ ମାର୍ଗଦର୍ଶିକା ଜାରି କରାଯାଇଛି କ୍ଷ ମହାରାଷ୍ଟ୍ର ତଥା ବିଭିନ୍ନ ରାଜ୍ୟରେ ପୁଣି କରୋନା ବ୍ୟାପୁଥିବାରୁ କୋଭିତ୍ ୧୯ ସଂକ୍ରମଣ ସମ୍ଭାବନାକୁ ଦୃଷ୍ଟିରେ ରଖି କଟକଣା ଜାରିକରାଯାଇଛି । ଏ ବର୍ଷ ଜିଲ୍ଲାର କୌଣସି ଶିବ ମନ୍ଦିର ପରିସରରେ ମହା ଶିବରାତ୍ରୀ ଅବସରରେ ଜାଗର କରି ପାରିବେ ନାହିଁ ଶ୍ରଦ୍ଧାଳୁ । ମନ୍ଦିର ପରିସର ଭିତରେ କିମ୍ବା ବାହାରେ ଭକ୍ତଙ୍କ ସମାବେଶକୁ ବାରଣ କରାଯାଇଥିବା ବେଳେ ନାମସଂକୀର୍ତ୍ତନ ପ୍ରଭୁତି ପରିବେଷଣ କାର୍ୟ୍ୟକ୍ରମକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଭକ୍ତ ତଥା ଶ୍ରଦ୍ଧାଳୁ ମାନେ ସାମାଜିକ ଦୂରତା ରକ୍ଷା କରି, ମାସ୍କ ଓ ସାନିଟାଇଜର ବ୍ୟବହାର ପୂର୍ବକ ଠାକୁରଙ୍କର ସାଧାରଣ ଦର୍ଶନ କରି ପାରିବେ । ମହା ଶିବରାତ୍ରୀର ପାରମ୍ପରିକ ପୁଜା ନୀତିକାନ୍ତି ବିନା ଭକ୍ତରେ ସେବାୟତ ମାନେ ମନ୍ଦିରରେ କୋଭିଡ ନିୟମ ପାଳନ ପୂର୍ବକ ୬ଫୁଟର ସାମାଜିକ ଦୂରତ୍ୱ ପାଳନ, ମାସ୍କ ଓ ସାନିଟାଇଜର ବ୍ୟବହାର ସହ ପରିଚାଳନା କରିବେ । ନିୟମ ଉଲଙ୍ଘନ କଲେ ସମ୍ପୃକ୍ତ ମନ୍ଦିର ଓ ଧର୍ମାନୁଷ୍ଠାନର ଆୟୋଜକ, ପରିଚାଳନା କମିଟିର କର୍ମକର୍ତ୍ତା ସଭାପତି /ସମ୍ପାଦକ ଦାୟୀ ରହିବେ ଓ ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯିବ । ସହ କୋଭିଡସ୍ଥିତି ନିୟନ୍ତ୍ରଣକୁ ଆସିବାଯାଏଁ ଉକ୍ତ ମନ୍ଦିରକୁ ବନ୍ଦ କରିଦିଆଯିବ । ନିଜ ନିଜ ଅଂଚଳରେ ଗାଇଡ୍ ଲାଇନ ଠିକ୍ ଭାବେ କାର୍ୟ୍ୟକାରୀ ହେଉଛି ନା ନାହିଁ ସମ୍ପୃକ୍ତ ତହସିଲର ତହସିଲଦାର ଓ ଥାନାଧିକାରୀ, ତଥା ଦାୟି‌ତ୍ୱରେ ଥିବା ଅଧିକାରୀ ମାନେ କୋଭିଡ ମାର୍ଗଦର୍ଶିକା ପାଳନର ତଦାରଖ ନିମନ୍ତେ ସ୍ୱତନ୍ତ୍ର ଚଢ଼ାଉଦଳ ଗଠନକରି ସମ୍ପୃକ୍ତ ସ୍ଥଳି ତଦାରଖ କରି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ସୁବର୍ଣ୍ଣପୁର ମୋନିଷା ବାନାର୍ଜୀ ନିର୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.