ଗୀତିକାର ପଦ୍ମନାଭ ଦୁବେ ଜୟନ୍ତୀ ସମାରୋହ ଆୟୋଜିତ

ଭବାନୀପାଟଣା, (ପି.କେ. ସାହୁ) : ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ଗୀତିକାର ୰ପଦ୍ମନାଭ ଦୁବେଙ୍କ ଜୟନ୍ତୀ ସମାରୋହ ସ୍ଥାନୀୟ ଅମଲା ଭବନ ପରିସରରେ ଆୟୋଜିତ ହୋଇଯାଇଛି । ସାହିତ୍ୟ ଘର ପକ୍ଷରୁ ଆୟୋଜିତ ସମାରୋହକୁ ବିଶିଷ୍ଟ ଔପନ୍ୟାସିକ ତଥା ପୂର୍ବତନ ମନ୍ତ୍ରୀ ରାସବିହାରୀ ବେହେରା ଉଦଘାଟନ କରିଥିବା ବେଳେ କବି ଅଶୋକ କୁମାର ଖମାରୀ ସଭାପତିତ୍ୱ କରିଥିଲେ । କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନ ମୁଖ୍ୟ ଅତିଥି, ବିଶିଷ୍ଟ ବାଗ୍ମୀ ସତ୍ୟନାରାୟଣ ମୁଣ୍ଡଛିନା ମୁଖ୍ୟବକ୍ତା, କେବିକେ ଯୁଗ୍ମ ପ୍ରଶାସକ ଡ.ନୃପରାଜ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ସ୍ୱର୍ଗତ ଦୁବେଙ୍କ ଛାତ୍ର କବି ହେମନ୍ତ ସାହୁ, କବି ପଦ୍ମଲୋଚନ ମିଶ୍ର, ନାତୁଣୀ ପର୍ବତାରୋହୀ ଲିପ୍‌ସାମୟୀ ଦୁବେ, ଭାଷାବିତ୍‌ ତଥା ନାଟ୍ୟକାର ପରମେଶ୍ୱର ମୁଣ୍ଡ ପ୍ରମୁଖ ସ୍ମୃତିଚାରଣ କରିଥିବା ବେଳେ କବି ଲଳିତ କାନୁନଗୋ, ଦୀପ୍ତି ମୁଣ୍ଡ, ସ୍ୱର୍ଣ୍ଣକାନ୍ତି ବୈକାର ଓ ସୁଧୀର କୁମାର ଧଙ୍ଗଡ଼ାମାଝୀ ସ୍ୱର୍ଗତ ଦୁବେଙ୍କ ରଚିତ କବିତା ପାଠ କରିଥିଲେ । ମଂଚ ପରିଚାଳନା କରିଥିଲେ କବି ବିରଂଚି ନାରାୟଣ ମୁଣ୍ଡ । ଏହି ଅବସରରେ ଲୋକଗାୟକ ମାର୍କଣ୍ଡ ନାଏକଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ପରେପରେ ଆୟୋଜିତ କବିତା ପାଠୋତ୍ସବକୁ କବି ଡିଲେଶ୍ୱର ରଣା ଓ ସୁମତି ମୁଣ୍ଡ ସଂଯୋଜନା କରିଥିଲେ । ଶେଷରେ ସାହିତ୍ୟ ଘର ଆବାହକ ଦେବେନ୍ଦ୍ର ବିଶି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.