ଟ୍ରକ୍‌ରୁ ଚାଉଳ ଚୋରି କରିଥିବା ଦୁଇ ଯୁବକ ଧରାପଡ଼ିଲେ : ଚୋରି ଚାଉଳ ଓ ବାଇକ୍‌ ଜବତ୍‌ କଲା ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଟ୍ରକ୍‌ରୁ ଚାଉଳ ଚୋରି କରିଥିବା ଦୁଇ ଯୁବକ ପୋଲିସ ହାତରେ ଧରାପଡ଼ିଥିବା ବେଳେ ଅପରାଧରେ ବ୍ୟବହୃତ ବାଇକ୍‌ ଓ ଚୋରି ହୋଇଥିବା ଚାଉଳ ଜବତ୍‌ କରାଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଗତ ୪ ତାରିଖ ଦିନ ବଲାଙ୍ଗିର ଟ୍ରକ୍‌ ଚାଳକ ସଂଘର ସଂପାଦକ ଅଶ୍ୱିନୀ କୁମାର ପଟ୍ଟନାୟକ ୧୫ ଦିନ ପୂର୍ବରୁ ଜିତେନ କୁମାର ମିଶ୍ରଙ୍କ ଟ୍ରକ୍‌ (ନଂ.ଓଆର୍‌୧୫ପି୪୬୫୫) ଦ୍ୱାରା ତୁଷୁରା ସ୍ଥିତ ଗଣେଶ ରାଇସ୍‌ ମିଲ୍‌ରୁ ମାଧିଆପାଲି ସିଡବ୍ଲ୍ୟୁସିକୁ ଚାଉଳ ଲୋଡ଼୍‌ କରି ନେଉଥିବା ସମୟରେ ପଟେଲ ନର୍ସିଂ ହୋମ୍‌ ପାଖରେ ଦୁଇ ଜଣ ଯୁବକ ବଜାଜ୍‌ ପଲ୍‌ସର୍‌ ବାଇକ୍‌ରେ ଆସି ଚାଉଳ ପ୍ୟାକେଟ୍‌ ଚୋରି କରିଥିବା ଆଦର୍ଶ ଟାଉନ୍‌ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି କେସ୍‌ ନଂ.୧୫୬/୦୪.୦୩.୨୦୨୧ ଦଫା ୩୭୯/୩୪ ଆଇପିସି ଆଧାରରେ କେସ୍‌ ରୁଜ୍ଜୁ କରି ଆଦର୍ଶ ଟାଉନ୍‌ ଥାନା ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଥିଲା । ତେବେ ଅନୁସଂଧାନ ବେଳେ ଜଣାପଡ଼ିଲା ଯେ, ଗତ ଫେବୃଆରୀ ୯ ତାରିଖ ଦିନ ୧୨ଟା ସମୟରେ ସଂପୃକ୍ତ ଟ୍ରକ୍‌ରେ ଚାଉଳ ନିଆଯାଉଥିବା ବେଳେ ସାଲେପାଲିର ସିଦ୍ଧାନ୍ତ ସେଠ(୨୦) ଏବଂ ତେଲିଗୋଠପଡ଼ାର ଇଦୁଲ୍‌ ଖାନ(୧୯) ଏକ କଳା ପଲ୍‌ସର୍‌ ବାଇକ୍‌ (ନଂ.ଓଡ଼ି୦୩କ୍ୟୁ୬୮୯୨)ରେ ଆସି ଟ୍ରକ୍‌ରୁ ଗୋଟିଏ ପ୍ୟାକେଟ୍‌ ଚାଉଳ ଚୋରି କରି ନେଇଥିଲେ । ତେବେ ଅଭିଯୁକ୍ତମାନଙ୍କଠାରୁ ଚୋରି ହୋଇଥିବା ଗୋଟିଏ ପ୍ୟାକେଟ୍‌ ଚାଉଳ ଏବଂ ବ୍ୟବହୃତ ବାଇକ୍‌ ପୋଲିସ୍‌ ଜବତ୍‌ କରିଥିବା ବେଳେ ଅଭିଯୁକ୍ତ ଦୁଇ ଜଣଙ୍କୁ ଗିରଫ୍‌ କରିବାରେ ସଫଳ ହୋଇଛି । ଏ ସଂପର୍କରେ ସୂଚନା ପ୍ରଦାନ କରିଛନ୍ତି ଏସ୍‌ଡିପିଓ ଶ୍ରୀମନ୍ତ ବାରିକ । ମାମଲାର ତଦନ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି ଏସ୍‌ଆଇ ଖଗେଶ୍ୱର ଖୋସ୍‌ଲା ।

Leave A Reply

Your email address will not be published.