ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦାବୀରେ ମିଳିତ ଛାତ୍ର ସଂସଦ ବିକ୍ଷୋଭ ପ୍ରଦର୍ଶନ କରିଥିଲା । ଶତାଧିକ ଛାତ୍ରଛାତ୍ରୀ ପ୍ଲାଟିନମ ଜୁବୁଲି ଗେଟ ସମ୍ମୁଖରେ ଏକତ୍ରିତ ହୋଇ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ବିଭିନ୍ନ ଦାବୀ କରବା ସହ ୩ ଘଣ୍ଟା କାଳ କଲେଜ ରାସ୍ତା ବନ୍ଦ କରି ଦେଇଥିଲେ । ଖବର ପାଇ, କଲେଜ କର୍ତ୍ତୃପକ୍ଷ ଓ ଆଦର୍ଶ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ତାଙ୍କ ସୁରକ୍ଷା ସମସ୍ୟାର ସମାଧାନ ନେଇ ପ୍ରତିଶ୍ର୍ରୁତି ଦେବା ପରେ ଛାତ୍ରଛାତ୍ରୀ ବିକ୍ଷୋଭରୁ ଓହରି ଥିଲେ ।
ବିଗତ ଦିନରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀ ଓ ବିଶ୍ଵବିଦ୍ୟାଳୟ ସମ୍ପତ୍ତିର ସୁରକ୍ଷା ବଡ଼ ପ୍ରଶ୍ନ ହୋଇ ଉଭା ହୋଇଛି । ବାରମ୍ବାର ବିଭିନ୍ନ ମଞ୍ଚରେ ଛାତ୍ରଛାତ୍ରୀ ଏହାକୁ ଉପସ୍ଥାପିତ କରିବା ସତ୍ୱେ କଲେଜ କର୍ତ୍ତୃପକ୍ଷ ଓ ଜିଲ୍ଲା ପୋଲିସ ପ୍ରଶାସନ ଏହାକୁ ଅଣଦେଖା କରି ଆସୁଥିଲା । ଆଜି ଏହି ପ୍ରସଙ୍ଗକୁ ନେଇ ବିଶ୍ଵ ବିଦ୍ୟାଳୟର ବିଭିନ୍ନ ଛାତ୍ର ସଂସଦ ମିଳିତ ଭାବେ କଲେଜର ପ୍ଲାଟିନମ ଜୁବୁଲି ଗେଟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଶ୍ୱବିଦ୍ୟାଳୟ କୁ ଯିବା ରାସ୍ତା ଅବରୋଧ କରି ଦେଇଥିଲେ । ବିଶ୍ଵବିଦ୍ୟାଳୟରେ ଅଣଛାତ୍ର ପ୍ରବେଶ ବନ୍ଦ, ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ବିଶ୍ଵ ବିଦ୍ୟାଳୟ ପରିସରରେ ସିକ୍ୟୁରିଟି ଗାର୍ଡ ମୁତୟନ, କ୍ଷତିଗ୍ରସ୍ତ ପ୍ଲାଟିନମ୍ ଜୁବୁଲି ଗେଟ୍ର ତୁରନ୍ତ ମରାମତି ଏବଂ ବିଶ୍ୱବିଦ୍ୟାଳୟ ପରିସରରେ ସିସିଟିଭି ଲଗାଇବା ପାଇଁ ଛାତ୍ରଛାତ୍ରୀ ଦାବୀ କରିଥିଲେ । ପ୍ରାୟ ତିନି ଘଣ୍ଟା କାଳ ରାସ୍ତା ବନ୍ଦ ହେବା ପରେ ବିଶ୍ଵବିଦ୍ୟାଳୟ ରେଜିଷ୍ଟାର ଓ ଆଦର୍ଶ ଟାଉନ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ବୁଝା ସୁଝା କରିବା ସହ ତାଙ୍କ ସୁରକ୍ଷାକୁ ନେଇ ପ୍ରତିଶ୍ରୁତି ଦେଇଥିଲେ । ବିଶ୍ଵ ବିଦ୍ୟାଳୟ ରେଜିଷ୍ଟାର ଦୁର୍ଗା ପ୍ରସନ୍ନ ମହାପାତ୍ର ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଆଉଟ ସୋର୍ସିଂ ଜରିଆରେ କଲେଜ ତରଫରୁ ସିକୁରିଟି ଗାର୍ଡ ମୁତୟନ କରାଯିବା ସହ କଲେଜର ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯିବା ପ୍ରତିଶ୍ରୁତି ଦେଇଥିଲେ । ଆଦର୍ଶ ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ, ବିଶ୍ୱବିଦ୍ୟାଳୟ ପରିସରରେ ଆଜି ଠାରୁ ଦୁଇ ଜଣ ହୋମଗାର୍ଡ ସମେତ ଜଣେ କନେଷ୍ଟେବଲ ସକାଳ ୭ରୁ ସନ୍ଧ୍ୟା ୫ ପର୍ୟ୍ୟନ୍ତ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ମୁତୟନ ହେବା ସହ ରାତିରେ ଏହି ଅଞ୍ଚଳରୁ ଅସାମାଜିକ ତତ୍ବଙ୍କୁ ଦୁରେଇ ରଖିବା ପାଇଁ ପୋଲିସ ପେଟ୍ରୋଲିଂ କଡାକଡି କରାଯିବ ବୋଲି ପ୍ରତଶ୍ରୁତି ଦେଇଥିଲେ । ସେହିପରି ପିଡବ୍ଲୁଡି ଅଧିକାରୀମାନେ ଘଟଣା ସ୍ଥଳକୁ ଆସି ଅତିଶୀଘ୍ର କ୍ଷତିଗ୍ରସ୍ତ ଗେଟ୍ ମରାମତି କରାଯିବା ନେଇ କଥା ଦେବା ପରେ ଛାତ୍ରଛାତ୍ରୀ ବିକ୍ଷୋଭରୁ ଓହରି ଥିଲେ । ଆଜିର ଏହି ବିକ୍ଷୋଭରେ ଶତାଧିକ ଛାତ୍ରଛାତ୍ରୀଙ୍କ ସମେତ ଛାତ୍ର ନେତା ଅଙ୍କିତ ସାହୁ ଓ ସୁମନ ନନ୍ଦ ଉପସ୍ଥିତ ଥିଲେ ।