ପାଞ୍ଚଟି ରାଜ୍ୟରୁ ଟ୍ରେନ ଯୋଗେ ବଲାଙ୍ଗିର ଜିଲ୍ଳାକୁ ଆସୁଥିବା ଯାତ୍ରୀଙ୍କ ନିମନ୍ତେ ଜିଲ୍ଳାର ବିଭିନ୍ନ ରେଳ ଷ୍ଟେସନ ଗୁଡିକରେ କୋଭିଡ ଯାଞ୍ଚ ବ୍ୟବସ୍ଥା କଡାକଡି
ବଲାଙ୍ଗିର, (କେପିଏନ୍ଏସ୍) : କେତେକ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବାରୁ ରାଜ୍ୟ ସରକାର ସତର୍କ ସୂଚନା ଜାରି କରିଛନ୍ତି । କରୋନା ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ବଲାଙ୍ଗିର ଜିଲ୍ଳା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କ ନିମନ୍ତେ ସତର୍କ ସୂଚନା ଜାରି କରାଯାଇଛି । ବିଶେଷ କରି ମହାରାଷ୍ଟ୍ର , କେରଳ, ପଞ୍ଜାବ , ମଧ୍ୟପ୍ରଦେଶ ଓ ଛତିଶଗଡ଼ ଏହି ପାଞ୍ଚଟି ରାଜ୍ୟକୁ ବିଭିନ୍ନ ଟ୍ରେନ ଯୋଗେ ବଲାଙ୍ଗିର ଜିଲ୍ଳାକୁ ଆସୁଥିବା ଯାତ୍ରୀଙ୍କ ନିମନ୍ତେ ଜିଲ୍ଳାର ରେଳ ଷ୍ଟେସନ ଗୁଡିକରେ କୋଭିଡ ଯାଞ୍ଚ ବ୍ୟବସ୍ଥାକୁ କଡାକଡି କରାଯାଇଛି । ଜିଲ୍ଳାର ବଲାଙ୍ଗିର ଜଙ୍କସନ, ଟିଟିଲାଗଡ ଜଙ୍କସନ, କଣ୍ଟାବାଞ୍ଜି, ସଇଁନ୍ତଲା, ବଡମାଲ, ଲୋଇସିଂହା ଓ ହରିଶଙ୍କର ରୋଡ ରେଳ ଷ୍ଟେସନ ଠାରେ ବିଭିନ୍ନ ଟ୍ରେନ ଯୋଗେ ବଲାଙ୍ଗିର ଜିଲ୍ଳାକୁ ଆସୁଥିବା ଯାତ୍ରୀଙ୍କ ଥର୍ମାଲ ସ୍କାନିଙ୍ଗ ତଥା କୌଣସି ଯାତ୍ରୀଙ୍କ ଠାରେ କରୋନା ଲକ୍ଷଣ ଥିଲେ ରେଳ ଷ୍ଟେସନରେ କୋଭିଡ ଟେଷ୍ଟ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏତଦ୍ ବ୍ୟତୀତ ଯେଉଁ ଯାତ୍ରୀମାନେ ଉପରୋକ୍ତ ପାଞ୍ଚ ଗୋଟି ରାଜ୍ୟରୁ ବଲାଙ୍ଗିର ଜିଲ୍ଳାକୁ ଆସୁଛନ୍ତି ସେମାନେ ସାତଦିନ ବାଧ୍ୟତାମୂଳକ ସଙ୍ଗରୋଧ ବା ଆଇସୋଲେସନରେ ରହିବା ପାଇଁ ସେମାନଙ୍କୁ ସଚେତନ କରାଯାଉଛି । ଯେଉଁ ଯାତ୍ରୀ ବଲାଙ୍ଗିର ଜିଲ୍ଳାରେ ପହଞ୍ଚିବାର ୭୨ ଘଣ୍ଟା ପୂର୍ବରୁ କୋଭିଡ ଆରଟିପିସିଆର୍ ନେଗେଟିଭ ରିପୋର୍ଟ ଦେଖାଇବେ, ସେମାନେ ସଙ୍ଗରୋଧରେ ରହିବା ଆବଶ୍ୟକ ନାହିଁ । ଉପରେକ୍ତ ରେଳ ଷ୍ଟେସନ ଗୁଡିକରେ ରେଳ ଯୋଗେ ଆସୁଥିବା ଯାତ୍ରୀଙ୍କ ପଞ୍ଜିକରଣ କରାଯିବା ସହ କୋଭିଡ ଯାଞ୍ଚକରିବା ଓ ଆବଶ୍ୟକ ଅନୁସାରେ କୋଭିଡ ଟେଷ୍ଟ କରିବା ପାଇଁ ପୃଥକ ବ୍ୟବସ୍ଥା କରାଯାଇଛି । ଜିଲ୍ଳାର ଏହି ରେଳ ଷ୍ଟେସନ ଗୁଡିକରେ ଟ୍ରେନ ଆସିବା ସମୟରେ ଯାତ୍ରୀ ମାନଙ୍କ ଏହି କୋଭିଡ ପ୍ରକ୍ରିୟା ନିମନ୍ତେ ବିଭିନ୍ନ କାଉଣ୍ଟର ଖୋଲାଯାଇ ମେଡିକାଲ, ପୋଲିସ, ରେଲ କର୍ମଚାରୀ ତଥା ଅନ୍ୟାନ୍ୟ କର୍ମଚାରୀ ମାନଙ୍କୁ ନିୟୋଜିତ କରାଯାଇଛି । ଏତଦ ବ୍ୟତୀତ ଏହି ସବୁ କାର୍ୟ୍ୟର ତଦାରଖ କରିବା ନିମନ୍ତେ ଉପରୋକ୍ତ ରେଳ ଷ୍ଟେସନ ଗୁଡିକରେ ଜିଲ୍ଳାର ବରିଷ୍ଠ ଅଧିକାରୀ ମାନଙ୍କୁ ନୋଡାଲ ଅଫିସର ଭାବେ ନିୟୋଜିତ କରାଯାଇଛି । ଜିଲ୍ଳାର ସମସ୍ତ ବ୍ଳକ୍, ଏନଏସସି ଓ ମ୍ୟୁନସିପାଲିଟି କାର୍ୟ୍ୟାଳୟରେ ମୋ ସରକାର ସେଲକୁ କ୍ରିୟାଶୀଳ କରାଯାଇ ଏହି ରାଜ୍ୟ ଗୁଡିକରୁ ଆସୁଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସବିଶେଷ ବିବରଣୀ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହିତ କୋଭିଡ ସତର୍କତା ପ୍ରଟୋକଲ୍ର କଡାକଡି ଯାଞ୍ଚ ଏବଂ ଜନସାଧାରଣଙ୍କୁ କୋଭିଡ ସତର୍କତା ଯଥା ବାଧ୍ୟତାମୂଳକ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା, ସାନିଟାଇଜର କିମ୍ବା ସାବୁନରେ ବାରମ୍ବାର ହାତ ଧୋଇବା, କୋଭିଡ ନିର୍ଦ୍ଦେଶାବଳୀ ପାଳନ କରିବା ଇତ୍ୟାଦି ସତର୍କତା ମୂଳକ ପଦକ୍ଷେପ ସମ୍ପର୍କରେ ବ୍ୟାପକ ସଚେତନ କରିବାକୁ ଜିଲ୍ଳାର ବିଡିଓ, ତହସିଲଦାର, ଥାନା ଅଧିକାରୀ, ମ୍ୟୁନିସିପାଲିଟି ଓ ଏନଏସସିର ନିର୍ବାହୀ ଅଧିକାରୀ ମାନଙ୍କୁ ନିର୍ଦେ୍ଦଶ ଦିଆଯାଇଛି । କରୋନା ଲକ୍ଷଣ ଅନୁଭବ କଲେ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ର କିମ୍ବା ମୋବାଇଲ କୋଭିଡ ଟେଷ୍ଟିଙ୍ଗ କେନ୍ଦ୍ରକୁ ଯାଇ ତୁରନ୍ତ କୋଭିଡ ଟେଷ୍ଟ କରାଇନେବାକୁ ଜନସାଧାରଣଙ୍କୁ ଜିଲ୍ଳା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।