ବଲାଙ୍ଗିର ଟାଉନ୍‌ ପୋଲିସକୁ ମିଳିଲା ବଡ଼ ସଫଳତା : ୨ ଏଟିଏମ୍‌ ଲୁଟେରା ଗିରଫ୍‌ : ୨୦ ଏଟିଏମ୍‌ କାର୍ଡ, ଦେଢ଼ ଲକ୍ଷ ନଗଦ ଟଙ୍କା ଓ ୨ ମୋବାଇଲ ଫୋନ୍ ଜବତ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଆଦର୍ଶ ଟାଉନ୍‌ ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ୨ ଏଟିଏମ୍‌ ଲୁଟେରାଙ୍କୁ ଗିରଫ୍‌ କରାଯାଇଥିବା ବେଳେ ସେମାନଙ୍କଠାରୁ ବିଭିନ୍ନ ବ୍ୟାଙ୍କର ୨୦ଟି ଏଟିଏମ୍‌ କାର୍ଡ, ଦେଢ଼ ଲକ୍ଷ ନଗଦ ଟଙ୍କା, ୨ଟି ମୋବାଇଲ୍‌ ଫୋନ୍‌ ଏବଂ ସେମାନଙ୍କ ପାନ୍‌ ଓ ଆଧାର କାର୍ଡ ଜବତ୍‌ କରିଛି ପୋଲିସ । ଏ ସଂକ୍ରାନ୍ତରେ ବଲାଙ୍ଗିର ଆଦର୍ଶ ଟାଉନ୍‌ ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ ସୂଚନା ପ୍ରଦାନ କରିଛନ୍ତି । ସୂଚନା ଅନୁସାରେ ସ୍ଥାନୀୟ ଠିକାଦାରପଡ଼ା ନିବାସୀ ନିର୍ମଳ କୁମାର ସାମଲ ଭୁବନେଶ୍ୱରର ଟ୍ରାଜେକ୍‌ସନ୍‌ ସୋଲୁସନ୍‌ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଇଣ୍ଡିଆ ପ୍ରା.ଲି. ତରଫରୁ ଟାଉନ୍‌ ଥାନାରେ କରିଥିବା ଅଭିଯୋଗକୁ ଭିତ୍ତି କରି କେସ୍‌ ନଂ.୧୪୫/୨୭.୦୨.୨୦୨୧ ଦଫା ୪୨୦/୪୬୮/୪୭୧ ଆଇପିସି / ୬୬ ଆଇଟି ମାଧ୍ୟମରେ ମାମଲା ରୁଜ୍ଜୁ କରି ଟାଉନ୍‌ ଥାନା ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଥିଲା । ତେବେ ତଦନ୍ତ ପାଇଁ ସ୍ଥାନୀୟ ଠିକାଦାରପଡ଼ା, ଜଗନ୍ନାଥପଡ଼ା, ବରପାଲିପଡ଼ା ଏବଂ ରାଜେନ୍ଦ୍ର କଲେଜ ଅଂଚଳରେ ଥିବା ଏସ୍‌ବିଆଇ ଏଟିଏମ୍‌ କାଉଣ୍ଟର ଗୁଡ଼ିକରେ ପୋଲିସ ପକ୍ଷରୁ ତଦାରଖ କରାଯିବା ସମୟରେ ଦୁଇ ଜଣଙ୍କୁ ସଂଦେହଜନକ ଭାବେ ଠାବ କରାଯାଇ ସେମାନଙ୍କୁ ଠିକାଦାରପଡ଼ା ଏସ୍‌ବିଆଇ ଏଟିଏମ୍‌ କାଉଣ୍ଟର୍‌ରେ ପୋଲିସ କାବୁ କରିଥିଲା । ସଂପକ୍ତ ଦୁଇଜଣ ଅଭିଯୁକ୍ତ ଏଟିଏମ୍‌ ମେସିନ୍‌ରୁ ଭ୍ରମାତ୍ମକ ପନ୍ଥା ଅବଲମ୍ବନ କରି ଟଙ୍କା କାଢ଼ୁଥିବା ବେଳେ ପୋଲିସ ହାତରେ ଧରା ପଡ଼ିଥିଲେ । ଏମାନେ ଟଙ୍କା ହଡ଼ପ୍‌ ଉଦ୍ଦେଶ୍ୟରେ ଏଟିଏମ୍‌ ମେସିନ୍‌ରେ ଟ୍ରାଜେକ୍ସନ କରୁଥିଲେ ମଧ୍ୟ ଜାଣିଶୁଣି ଭୁଲ କରିବା ଫଳରେ ଟ୍ରାଜେକ୍ସନ୍‌ ଫେଲ୍‌ଡ଼ ବୋଲି ମେସିନ୍‌ ଦର୍ଶାଉଥିଲେ ମଧ୍ୟ ଟଙ୍କା ବାହାରି ଆସୁଥିଲା । ଏହି ମାଧ୍ୟମରେ ଏହି ଠକମାନେ ଓଡ଼ିଶାର ବିଭିନ୍ନ ବ୍ୟାଙ୍କରୁ ଗୁଡ଼ାଏ ଟଙ୍କା ହଡପ୍‌ କରିଥିବା ତଦନ୍ତରୁ ଜଣାପଡ଼ିଛି । ତେବେ ଗିରଫ୍‌ ଅଭିଯୁକ୍ତ ମାନେ ହେଲେ ଉତ୍ତର ପ୍ରଦେଶର କାନପୁର ଜିଲ୍ଲାର ଚକେରୀ ଥାନା ଅନ୍ତର୍ଗତ ଗିରିଜାନଗର ବାସିନ୍ଦା ସତ୍ୟମ ସିଂ ପରିହାର(୨୬) ଏବଂ ତ୍ତର ପ୍ରଦେଶ କାନପୁର ଜିଲ୍ଲାର ଚକେରୀ ଥାନା ଅନ୍ତର୍ଗତ କାନପୁରନଗର ବାସିନ୍ଦା ଅଜୟ କୁମାର(୨୬) ।

Leave A Reply

Your email address will not be published.