ରୋମିଓକୁ ହରାଇ ଦୁଃଖରେ ଭାଙ୍ଗିପଡ଼ିଛି ଜୁଲିଆଟ, ଦୁଇ ପକ୍ଷୀଙ୍କ ନିଆରା ପ୍ରେମ କାହାଣୀକୁ ନେଇ ଜୋର୍‌ ଚର୍ଚ୍ଚା

ବଲା‌ଙ୍ଗିର, (ଅଜିତ କୁମାର ସାହୁ) : ରୋମିଓ ବାଟକୁ ଚାହିିଁ ବସିଛି ଜୁଲିଆଟ୍ । ଏହି କଥାଟି ଭାବିଲେ ଟିକେ ଅଡ଼ୁଆ ଲାଗୁଥିବ । ହେଲେ ଏ କୌଣସି ଫିଲ୍ମ କିମ୍ବା ଲୋକ କଥା କାହାଣୀର ପ୍ରେମ ପାଇଁ ଜଣାଶୁଣା ପ୍ରେମୀ ଯୁଗଳ ନୁହନ୍ତି । ଏ ହେଉଛି ସତସତିଆ ଓ ଆଜିର ବାସ୍ତବ ସତ କାହାଣୀ । ନିଜର ପ୍ରେମିକକୁ ହଜାଇ ପୁରା ଭାଙ୍ଗି ପଡ଼ିଚି ପ୍ରେମିକା ଜୁଲିଆଟ୍ । ଜୁଲିଆଟ ସୁଦୂର ଅଷ୍ଟ୍ରେଲିଆର କୋକଟେଲ ପକ୍ଷୀ ରୋମିଓକୁ ହଜାଇ ଭାଙ୍ଗି ପଡିଛନ୍ତି ବଲାଙ୍ଗିର ପାଲେସ ଲାଇନ୍‌ର ଗୋଟିଏ ପରିବାରରେ । ଏପରିକି ରୋମିଓଙ୍କ ବିଷୟରେ କିଏ ଖବର କିମ୍ବା ତାକୁ ଫେରେଇ ଆଣିଲେ ପୁରସ୍କାର ରାଶି ମଧ୍ୟ ଦେବାକୁ ଘୋଷଣା କରିଛନ୍ତି ପକ୍ଷୀ ପ୍ରେମରେ ପଡ଼ିଥିବା ବଲାଙ୍ଗିରର ଏହି ବାର୍ଡ ଲଭର୍‌ ପରିବାର । ତେବେ ସୁଦୂର ଅଷ୍ଟ୍ରେଲିଆର ଏ ପକ୍ଷୀଟି ଏବେ ପୂରାପୂରି ଭାଙ୍ଗି ପଡ଼ିଛି । ପାଖାପାଖି ୫ ଦିନ ହେଲେ ଠିକରେ ଖାଇବା ପିଇବା ବି କରୁନି । ସବୁବେଳେ ବିଭିନ୍ନ ଶବ୍ଦ କରି ରଡ଼ି ଛାଡୁଛି । କେତେବେଳେ ଛାତ ଉପରକୁ ତ କେତେବେଳେ ମୋବାଇଲ ରିଙ୍ଗ ହେଲେ ସଙ୍ଗେ ସଙ୍ଗେ ଯାଇ ଚାଲି ଯାଉଚି ଦେଖିବାକୁ । ହେଲେ ପୁଣି ଫେରି ଆସୁଛି । ଏପଟେ ଜୁଲିଆଟର ଏଭଳି ଅବସ୍ଥାରେ ସଂପୂଣ୍‌ର୍ଣ୍ଣ ଭାଙ୍ଗି ପଡିଛନ୍ତି ପରିବାର ଲୋକ । କେହିବି ଠିକ୍ ସେ ଖାଇବା ପିଇବା କରୁ ନାହାନ୍ତି । ବଲାଙ୍ଗିର ପେଲେସ୍ ଲାଇନର ପକ୍ଷୀ ପ୍ରେମରେ ପଡ଼ିଥିବା, ସଫ୍ଟ ଇଞ୍ଜିନିୟର ଦମ୍ପତ୍ତି ହାଇଦ୍ରାବାଦର ଏକ ସପ୍ଟୱେର୍‌ କମ୍ପାନୀରେ କାମ କରୁଥିବା ଏହି ଦଂପତି ଗତ କରୋନା ସମୟରେ ନିଜ ଘର ବଲାଙ୍ଗିରକୁ ଚାଲିଆସି ୱର୍କ ଫ୍ରମ ହୋମ୍‌ରେ କାମ କରୁଛନ୍ତି । ଏପରିକି ବିମାନ କିମ୍ବା ଟ୍ରେନରେ ପକ୍ଷୀ ନେବାକୁ ବାରଣ ଥିବାରୁ ନିଜ ଗାଡ଼ିରେ ରୋଡରେ ଆସିଥିଲେ । ପଶୁ ପକ୍ଷୀ ପ୍ରେମୀ ସ୍ଵାତୀ ଗତବର୍ଷ ହାଇଦ୍ରାବାଦର ଏକ ବଜାରରୁ ଅଷ୍ଟ୍ରେଲିଆନ ପକ୍ଷୀ ଦୁଇଟିକୁ ଘରକୁ ଆଣିଥିଲେ । ନାଁ ରଖିଥିଲେ ରୋମିଓ ଓ ଜୁଲିଆଟ୍ । ଏ ଦୁଇ ପକ୍ଷୀଙ୍କୁ ପିଞ୍ଜରାରେ ନରଖି ଖୋଲା ଛାଡି ଦେଇଥିଲେ । ହେଲେ ଗତ ୧୮ ତାରିଖ ଦିନ ରୋମିଓ ହଠାତ କୁଆଡେ ଚାଲିଗଲା । ପରିବାର ସଦସ୍ୟ ବିଭିନ୍ନ ଜାଗାରେ ଖୋଜାଖୋଜି କରୁଛନ୍ତି । ଏପରିକି ସହରର ବିଭିନ୍ନ କାନ୍ଥ ବାଡ଼ରେ ରୋମିଓର ହଜିବା ବିଜ୍ଞାପନ ଦେବା ସହ ପୁରସ୍କାର ରାଶି ମଧ୍ୟ ଘୋଷଣା କରିଛନ୍ତି । ମୋବାଇଲ ନମ୍ବର୍ ୮୮୯୭୦୦୯୪୪ ରେ ରୋମିଓର ଖୋଜ୍‌ ଖବର ବିଷୟରେ ଯୋଗାଯୋଗ କରିବାକୁ କହିଛନ୍ତି ଏହି ପକ୍ଷୀ ପ୍ରେମୀ ପରିବାର । ତେବେ ଏହି ଖବରକୁ ନେଇ ଏବେ ବଲାଙ୍ଗିର ଜିଲ୍ଲାରେ ଚର୍ଚ୍ଚା ଜୋର୍‌ ଧରିଛି ।

Leave A Reply

Your email address will not be published.