
ଉନ୍ନତ ସ୍ୱାସ୍ଥ୍ୟସେବା ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ଡଃ. ମୁକେଶ ମହାଲିଙ୍ଗଙ୍କୁ ଭେଟି ଆଲୋଚନା କଲେ ବଲାଙ୍ଗିରର ୧୨ଟି ଅଗ୍ରଣୀ ସାମାଜିକ ଅନୁଷ୍ଠାନ
- ସ୍ଥାୟୀ ହୃଦରୋଗ ଓ ସ୍ନାୟୁରୋଗ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ସହ ଅଲଟ୍ରାସାଉଣ୍ଡ, ଏମ୍.ଆର୍.ଆଇ., ଆଇସିୟୁ ଶଯ୍ୟା ବୃଦ୍ଧି ନେଇ ବିସ୍ତୃତ ଆଲୋଚନା
- ଆସନ୍ତା ଜାନୁଆରୀ ସୁଦ୍ଧା ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ସ୍ଥାୟୀ ହୃଦ୍ରୋଗ ବିଶେଷଜ୍ଞ ନିଯୁକ୍ତି ସହ ସମସ୍ତ ସମସ୍ୟାର ସମାଧାନ ଉପରେ ସୁପଦକ୍ଷେପ ନେବେ ବୋଲି ମନ୍ତ୍ରୀଙ୍କ ପ୍ରତିଶ୍ରୁତି ।
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିରବାସୀଙ୍କ ଦୀର୍ଘଦିନର ଦାବି ତଥା ଜିଲ୍ଲାର ସ୍ୱାସ୍ଥ୍ୟସେବାରେ ସୁଧାର ସହ ଆସନ୍ତା ଜାନୁଆରୀ ମାସ ସୁଦ୍ଧା ବଲାଙ୍ଗିର ସ୍ଥିତ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ସ୍ଥାୟୀ ହୃଦ୍ରୋଗ ବିଶେଷଜ୍ଞ (କାର୍ଡିଓଲୋଜିଷ୍ଟ) ଯୋଗଦେବେ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ. ମୁକେଶ ମହାଲିଙ୍ଗ ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି । ବଲାଙ୍ଗିର ସହରର ୧୨ଟି ଅଗ୍ରଣୀ ସାମାଜିକ ଅନୁଷ୍ଠାନର ନେତୃମଣ୍ଡଳୀ ମାନନୀୟ ମନ୍ତ୍ରୀ ଡଃ. ମହାଲିଙ୍ଗଙ୍କୁ ସାକ୍ଷାତ କରି ବିସ୍ତୃତ ଆଲୋଚନା କରିବା ସହ ଜିଲ୍ଲା ମୁଖ୍ୟ ହସ୍ପିଟାଲ ଓ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲର ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ନିମନ୍ତେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଆଲୋଚନା ସମୟରେ ବଲାଙ୍ଗିରବାସୀଙ୍କ ସ୍ୱାସ୍ଥ୍ୟଗତ ଅସୁବିଧାକୁ ଗୁରୁତ୍ୱର ସହ ନେଇ ମନ୍ତ୍ରୀ ସମସ୍ତ ସମସ୍ୟାର ଖୁବଶୀଘ୍ର ସମାଧାନ କରାଯିବ ବୋଲି ଆଶ୍ୱାସନା ଦେଇଛନ୍ତି । ଦାବିପତ୍ରରେ ସାଧାରଣ ଜନତା ପ୍ରତ୍ୟେକ ଦିନ ହସ୍ପିଟାଲରେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଦୃଷ୍ଟିରେ ରଖି ସଂଗଠନ ପକ୍ଷରୁ ମନ୍ତ୍ରୀଙ୍କ ନିକଟରେ ୪ଟି ପ୍ରମୁଖ ଦାବି ଉପସ୍ଥାପନ କରାଯାଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତୁରନ୍ତ ଅଲଟ୍ରାସାଉଣ୍ଡ ବ୍ୟବସ୍ଥା କାର୍ଯ୍ୟକ୍ଷମ କରିବା । ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ସ୍ଥାୟୀ ହୃଦ୍ରୋଗ, ସ୍ନାୟୁ ରୋଗ, ବୃକକ୍ ରୋଗ ଏବଂ କର୍କଟ ରୋଗ ବିଶେଷଜ୍ଞ ଡାକ୍ତରଙ୍କ ନିଯୁକ୍ତି । ଭୀମ ଭୋଇ ମେଡିକାଲ କଲେଜ୍ ହସ୍ପିଟାଲରେ ସ୍ଥାୟୀ ରକ୍ତ କେନ୍ଦ୍ର, ଆଇ.ସି.ୟୁ. ଶଯ୍ୟା ବୃଦ୍ଧି ଏବଂ ଏମ୍.ଆର୍.ଆଇ. ଓ ଏଣ୍ଡୋସ୍କୋପି ଭଳି ଅତ୍ୟାଧୁନିକ ଯନ୍ତ୍ରପାତି ସ୍ଥାପନ । ରୋଗୀଙ୍କ ସମ୍ପର୍କୀୟମାନଙ୍କ ସୁବିଧା ପାଇଁ ଲକର୍ ବ୍ୟବସ୍ଥା ସହ ଏକ ଉତ୍ତମ ବିଶ୍ରାମାଗାର ନିର୍ମାଣ ନେଇ ଅନୁରୋଧ କରାଯାଇଥିଲା । ଏହି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଓ ଦାବିପତ୍ର ପ୍ରଦାନ ସମୟରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ, ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ, ସ୍ମାଇଲ ଫର୍ ଅଲ୍ ଫାଉଣ୍ଡେସନ, ସମଲେଇ ମନ୍ଦିର ଆଳତି କମିଟି, ଫ୍ରେଣ୍ଡସ୍ କ୍ଲବ୍, ମାହେଶ୍ୱରୀ ସେନା, କର୍ତ୍ତବ୍ୟ ଫାଉଣ୍ଡେସନ, ଲିବରେସନ, ନାରୀ ଶକ୍ତି ଫାଉଣ୍ଡେସନ, ନଟରାଜ କଳା ପରିଷଦ, କୋଶଲ ଫୋକ୍ ଏକାଡେମୀ ଏବଂ ପ୍ରୟାସ କ୍ଲବ୍ର ନେତୃମଣ୍ଡଳୀ ସାମିଲ ରହିଥିଲେ ।