
କଣ୍ଟାବାଞ୍ଜି, (କେପିଏନ୍ଏସ୍) : ପ୍ରତିବର୍ଷ ପରି ଚଳିତ ବର୍ଷ କଟକ ବାଲିଯାତ୍ରା ବାଲି ପଡିଆରେ ନଭେମ୍ବର୨୪ରୁ ୧ ଡିସେମ୍ବର ପର୍ଯ୍ୟନ୍ତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କରକମଳରେ ଉଦ୍ଘାଟିତ ହୋଇଯାଇଛି । ଏହି ଅବସରରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡିଶା ଓ ଓଡିଶା ସାହିତ୍ୟ ଏକାଡେମୀର ସହଭାଗିତାରେ ୨୮ ଓ ୨୯ ତାରିଖ ଦୁଇଦିନ ଧରି ରାଷ୍ଟ୍ରବୋଧ କବିତା ଆସର ଓ ରାଷ୍ଟ୍ର ଗଠନରେ ସାହିତ୍ୟିକମାନଙ୍କ ଭୂମିକା ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ରାଜ୍ୟର ତିରିଶ ଜିଲ୍ଲାରୁ କବି କବୟିତ୍ରୀ ଯୋଗ ଦେଇଥିବା ବେଳେ ବଲାଙ୍ଗିର ଜିଲ୍ଲାରୁ ବିରଞ୍ଚି ନାରାୟଣ ଦାଶ, ସଞ୍ଜୁକ୍ତା ପରିଛା ଓ ସବିତା ଭୋଇ ଯୋଗ ଦେଇଥିଲେ । ସାହିତ୍ୟ ହେଉଛି ଜାତିର ଆତ୍ମା, ସଂସ୍କୃତିର ସ୍ୱର ଏବଂ ରାଷ୍ଟ୍ରୀୟ ଚେତନାର ଅମ୍ଳାନ ଆଲୋକବର୍ତ୍ତିକା । ସାହିତ୍ୟ ସାଧନା ମାଧ୍ୟମରେ ମାତୃଭୂମିର ମହିମା, ଜାତୀୟ ଐକ୍ୟ, ସାଂସ୍କୃତିକ ଗୌରବ ଓ ମାନବୀୟ ମୂଲ୍ୟବୋଧର ପ୍ରସାର ହୋଇଥାଏ ତେଣୁ ସେମାନଙ୍କ ଅବଦାନ ପାଇଁ ସଞ୍ଜୟ କୁମାର ଛୁଆଳସିଂହ ଉପସଚୀବ ଓଡିଶା ସାହିତ୍ୟ ଏକାଡେମୀ, ଡ. ପ୍ରଫୁଲ୍ଲ କୁମାର ଦାସ, ଜଗବନ୍ଧୁ ମିଶ୍ର, ଡ. ସନ୍ତୋଷ ମହାପାତ୍ର, ନାରାୟଣ ନାୟକ, ଡ. ଅଭୟ ନାୟକ, ପ୍ରସନ୍ନ କୁମାର ସ୍ୱାଇଁ, ରାମକୃଷ୍ଣ ତ୍ରିପାଠୀ, ଡ. ଅନୁପ ମାର୍ଥା, ଡ. ରେଖା ପଣ୍ଡା, ଡ. ନୀରୋଦ ମନ୍ତ୍ରୀ, ଅମୂଲ୍ୟ ରତ୍ନ ମହାନ୍ତିଙ୍କ ଉପସ୍ଥିତିରେ ମଧୁସୂଦନ ମଞ୍ଚରେ ଉପଢୌକନ, ପ୍ରମାଣପତ୍ର ଓ ସ୍ମୃତିଫଳକ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରକାଶ ଥାଉକି ସମସ୍ତେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ବଲାଙ୍ଗିରର ଆଜୀବନ ସଦସ୍ୟ ଅଛନ୍ତି ।