jayashree

‘କୋଶଳ ପ୍ରବାହ’ର ୨୬ତମ ବାର୍ଷିକୋତ୍ସବ ଅନୁଷ୍ଠିତ : ଜନ ଓ ଜନମତ ସ୍ୱଚ୍ଛ ରହିଲେ ଗଣତନ୍ତ୍ର ସୁରକ୍ଷିତ ରହିବ, ଏଭଳି ମତ ରଖିଲେ ଅତିଥି ବୃନ୍ଦ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜନ ଓ ଜନମତ ସ୍ୱଚ୍ଛ ରହିଲେ ଗଣତନ୍ତ୍ର ସୁରକ୍ଷିତ ରହିବ ବୋଲି ‘କୋଶଳ ପ୍ରବାହ’ର ୨୬ତମ ବାର୍ଷିକୋତ୍ସବରେ ମତ ରଖିଛନ୍ତି ଅତିଥିମାନେ । ଆଜି ବଲାଙ୍ଗିର ସାମ୍ବାଦିକ ଭବନରେ ବଲାଙ୍ଗିର ମାଟିର ସମ୍ବାଦପତ୍ର ‘କୋଶଳ ପ୍ରବାହ’ର ବାର୍ଷିକୋତ୍ସବ ଅବସରରେ ସଂପାଦକ ଆନଂଦ ଚଂଦ୍ର ସାହୁ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଏବଂ ମୁଖ୍ୟବକ୍ତା ଭାବରେ ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡା ଯୋଗଦାନ କରିଥିଲେ । ତୁଷୁରା ଏନ୍‌ଏସି ଅଧ୍ୟକ୍ଷ ଅଜୟ ଜୟସ୍ୱାଲ, ବିଜେପି ନେତା ଗୋପାଳଜୀ ପାଣିଗ୍ରାହୀ ଏବଂ ଜିଲ୍ଲା କୃଷକ କଂଗ୍ରେସ ସଭାପତି ସାନନ୍ଦ କୁମାର ମିଶ୍ର ବରେଣ୍ୟ ଅତିଥି ଭାବେ ମଂଚ ମଣ୍ଡନ କରିଥିଲେ । ସଭା ପ୍ରାରମ୍ଭରେ ପୂର୍ବରୁ ଆୟୋଜିତ ପ୍ରତିଯୋଗିତାରେ କନିଷ୍ଠ ଓ ବରିଷ୍ଠ ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଦମୟନ୍ତୀ ଖୁଆସ ଏବଂ ବିନ୍ଦିଆ ବେହେରା ଆଲୋଚ୍ୟ ବିଷୟ ‘ଜନ ଓ ଜନମତ’ ସଂପର୍କରେ ବକ୍ତବ୍ୟ ରଖିଥିଲେ । ସମାଜ ସଂସ୍କାର କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ୨୬ତମ ବାର୍ଷିକୋତ୍ସବ ମଂଚରେ ବଲାଙ୍ଗିର ସାଗରପଡ଼ା ସୋସିଓ କଲ୍‌ଚରାଲ୍‌ ଏସୋସିଏସନ୍‌କୁ ‘କୋଶଳ ପ୍ରବାହ ସମ୍ମାନ-୨୦୨୬’ ପ୍ରଦାନ କରାଯାଇଥିଲା । ସେହିପରି ପଶୁପକ୍ଷୀଙ୍କ ସୁରକ୍ଷା ଦିଗରେ ନିଷ୍ଠାପର କାର୍ଯ୍ୟ କରୁଥିବା କର୍ତ୍ତବ୍ୟ ଫାଉଣ୍ଡେସନ୍‌କୁ ‘କୋଶଳ ପ୍ରବାହ ସେବା ସମ୍ମାନ-୨୦୨୬’ ପ୍ରଦାନ କରାଯାଇଥିଲା । କେନ୍ଦୁଝର ମାଟିର କବି ପିନାକୀ ମିଶ୍ରଙ୍କୁ ‘ଛନ୍ଦାଚରଣ ସ୍ମୃତି ସମ୍ମାନ’, କୋଶଲୀ ସାହିତ୍ୟ ସାଧିକା ମାନିନୀ ମେହେରଙ୍କୁ ‘ଚତୁର୍ଭୁଜ ସାଆନ୍ତ ସ୍ମୃତି ସମ୍ମାନ’, ରେନ୍‌ବୋ ମେରେଜ ପେଲେସର ସତ୍ତ୍ୱାଧିକାରୀ ବିପ୍ଲବ କୁମାର ମଲ୍ଲିକଙ୍କୁ ‘ସଫଳ ଉଦ୍ୟୋଗୀ ସମ୍ମାନ’, କାଉନ୍‌ସିଲର ଶତୃଘ୍ନ ବାଗ ଏବଂ ଅରବିନ୍ଦ ବାଗଙ୍କୁ ‘ସେବା ସମ୍ମାନ’ ପ୍ରଦାନ କରାଯାଇଥିଲା । ପୂର୍ବରୁ ଆୟୋଜିତ ବକ୍ତୃତା, ଚିତ୍ରାଙ୍କନ, ପ୍ରବନ୍ଧ ଲିଖନ ଓ କୁଇଜ୍‌ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ମଂଚାସୀନ ଅତିଥିମାନେ ପୁରସ୍କୃତ କରିଥିଲେ । ଅତିଥିମାନଙ୍କୁ ମଂଚକୁ ଆମନ୍ତ୍ରଣ କରିଥିଲେ ସାମ୍ବାଦିକ ଦେବାଶିଷ ମିଶ୍ର । ସାମ୍ବାଦିକ ରାଜେଶ ଦଣ୍ଡସେନା ସମ୍ବର୍ଦ୍ଧନା ପର୍ବ ପରିଚାଳନା କରିଥିବା ବେଳେ ସଭା କାର୍ଯ୍ୟରେ ସହଯୋଗ କରିଥିଲେ ଶମ୍ଭୁନାଥ ସାହୁ, ଧନମତ ପାଣିଗ୍ରାହୀ, ଝରଣା ଝାଙ୍କର, ସୁଜାତା ସିଂହ, ମନ୍ମୟ କୁମାର ସାହୁ, ରଂଜିତ ମିଶ୍ରଙ୍କ ସହ ଅନ୍ୟ ବନ୍ଧୁବର୍ଗ । ସହରର ଶତାଧିକ ବୁଦ୍ଧିଜୀବୀ ଏହି ବାର୍ଷିକୋତ୍ସବରେ ଯୋଗଦାନ କରିଥିଲେ । ସଭା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ‘କୋଶଳ ପ୍ରବାହ’ର ପ୍ରଶାସନିକ ଅଧିକାରୀ ଶ୍ୟାମପ୍ରସାଦ ଗୁରୁ ।

Leave A Reply

Your email address will not be published.