
କେସିଙ୍ଗା, (ପ୍ରୀତେଶ ପଟେଲ) : କ୍ରୀଡ଼ାରେ ଦେଖିବାକୁ ମିଳିଲା କୁନି କୁନି ପ୍ରତିଭାଙ୍କ ଉତ୍ସାହ । ୯୦୪ ଛାତ୍ରଛାତ୍ରୀଙ୍କୁ ନେଇ ଆରମ୍ଭ ହେଲା ୪୪ତମ ବାର୍ଷିକ କ୍ରୀଡ଼ା ମହୋତ୍ସବ । କଳାହାଣ୍ଡି ଜିଲ୍ଲା କେସିଙ୍ଗାସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଖେଳ ପଡ଼ିଆରେ ଉତ୍ସାହ ଓ ଉଦ୍ଦୀପନାର ସହ ଉଦ୍ଘାଟିତ ହୋଇଛି ଏହି କ୍ରୀଡ଼ା ଉତ୍ସବ । ଶିଶୁମାନଙ୍କ ଶାରୀରିକ ଓ ମାନସିକ ବିକାଶ ସହ ଶୃଙ୍ଖଳା, ସହଯୋଗ ଏବଂ କ୍ରୀଡ଼ା ମନୋଭାବ ବୃଦ୍ଧି କରିବା ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ । ଉଦ୍ଘାଟନୀ ସମାରୋହରେ କେସିଙ୍ଗା ବିଡିଓ ଜନ୍ମେଜୟ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ବିଦ୍ୟାଳୟ ପରିଚାଳନା ସମିତିର ସମ୍ପାଦକ ଅଭୟ କୁମାର ଦେବତା ଓ ଉପସଭାପତି ଘାସିରାମ ମହଲା ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ । ପ୍ରଧାନ ଆଚାର୍ଯ୍ୟ ପ୍ରବୀଣ କୁମାର ବେହେରା ମଧ୍ୟ ଉତ୍ସବର ସଫଳତା କାମନା କରିଥିଲେ । ଏହି କ୍ରୀଡ଼ା ମହୋତ୍ସବରେ ମୋଟ ୮୦ଟି ବିଭିନ୍ନ ପ୍ରତିଯୋଗିତାରେ ୯୦୪ ଜଣ ଶିଶୁ ଭାଗ ନେଉଛନ୍ତି । ଏହାର ସୁପରିଚାଳନା ପାଇଁ ୩୯ ଜଣ ଗୁରୁଜୀ ଓ ଗୁରୁମାଙ୍କ ସହ ୧୦ ଜଣ ସହାୟକ ନିୟୋଜିତ ହୋଇଛନ୍ତି । କାର୍ଯ୍ୟକ୍ରମକୁ ସନ୍ତୋଷ କୁମାର ମିଶ୍ର ପରିଚାଳନା କରିଥିବାବେଳେ ଗୁରୁଜୀ ସୁରେଶ ଚନ୍ଦ୍ର ସୁନା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । କୁନି କୁନି ପ୍ରତିଭାଙ୍କ ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣରେ କ୍ରୀଡ଼ା ମହୋତ୍ସବ ପରିସର ହୋଇଉଠିଛି ଉତ୍ସବମୁଖର ।