
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲ ବଜାର ଅଞ୍ଚଳରୁ ତେଲେଙ୍ଗାନାକୁ ଇଟାଭାଟିରେ କାମ କରିବାକୁ ଯାଉଥିବା ୯ ଜଣ ଆନ୍ତଃରାଜ୍ୟ ଦାଦନ ଶ୍ରମିକଙ୍କୁ ପୁଲିସ ଓ ଶ୍ରମ ବିଭାଗର ମିଳିତ ଉଦ୍ୟମରେ ଅଟକାଯାଇଛି । ସୂଚନା ଅନୁଯାୟୀ, ଶୁକ୍ରବାର ସକାଳ ଭୋର ସମୟରେ ପାଇକମାଲ ପୁଲିସ ଓ ସିଆର୍ପିଏଫ୍ ଯବାନଙ୍କ ସହ ମିଳିତ ନିୟମିତ ପେଟ୍ରୋଲିଂ ସମୟରେ ପାଇକମାଲ ବଜାର ଅଞ୍ଚଳରେ ଏହି ୯ ଜଣ ଶ୍ରମିକଙ୍କୁ ତେଲେଙ୍ଗାନା ଅଭିମୁଖେ ଯିବାକୁ ପ୍ରସ୍ତୁତ ଥିବା ଅବସ୍ଥାରେ ଅଟକାଯାଇଥିଲା । ପରେ ସେମାନଙ୍କୁ ପାଇକମାଲ ଥାନାକୁ ନିଆଯାଇ ପ୍ରାଥମିକ ତଦନ୍ତ ସହ ବ୍ୟକ୍ତିଗତ ବୟାନ ରେକର୍ଡ କରାଯାଇଥିଲା । ତଦନ୍ତ ସମୟରେ ଶ୍ରମିକମାନଙ୍କୁ କାମ ପାଇଁ ନେଉଥିବା ସର୍ଦ୍ଦାରଙ୍କ ପରିଚୟ ଜଣାପଡ଼ିଥିବା ଜଣାଯାଇଛି । ଆବଶ୍ୟକ ପ୍ରାଥମିକ ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ ଶ୍ରମିକମାନଙ୍କୁ ସୁରକ୍ଷିତ ଭାବେ ନିଜ ନିଜ ଗ୍ରାମକୁ ଫେରାଇ ଦିଆଯାଇଛି । ଚିହ୍ନଟ ହୋଇଥିବା ସର୍ଦ୍ଦାରଙ୍କ ବିରୋଧରେ ପ୍ରଚଳିତ ଆଇନ ଅନୁଯାୟୀ ଆଗାମୀ ଦିନରେ ଆବଶ୍ୟକ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପାଇକମାଲ ସହକାରୀ ଶ୍ରମ ଅଧିକାରୀ ଅରବିନ୍ଦ ହାତୀ ସୂଚନା ଦେଇଛନ୍ତି ।