
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ସହରର ଅଗ୍ରଣୀ ଦୟାନନ୍ଦ ପ୍ଲେ/ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡ଼ା ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି । ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସ୍କୁଲର ଡାଇରେକ୍ଟର ଶିବ ପ୍ରସାଦ ପାତ୍ର ଦୀପ ପ୍ରଜ୍ୱଳନ ପୂର୍ବକ କ୍ରୀଡ଼ା ପତାକା ଉତ୍ତୋଳନ କରି ଛାତ୍ରଛାତ୍ରୀ ମାନଙ୍କୁ ଶପଥପାଠ କରାଇ ଶୁଭାରମ୍ଭ କରିଥିଲେ । ଏତଦ୍ ପୂର୍ବରୁ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ହବନ କରାଯାଇଥିବା ବେଳେ ଯଜ୍ଞାଗ୍ନିରୁ କ୍ରୀଡ଼ା ମଶାଲରେ ଅଗ୍ନି ସଂଯୋଗ କରି ପ୍ରମୁଖ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ମଶାଲ ଯାତ୍ରାରେ ଆଣି ମୁଖ୍ୟ ଅତିଥି ମଶାଲ ସ୍ଥାନୀତ କରିଥିଲେ । ଏହା ଏକ ନୂତନ ପ୍ରକାରର ଉପଲବ୍ଧି ଥିଲା । ପ୍ରିନ୍ସିପାଲ କେ.କୁମାରୀ ସ୍ୱାଗତ ଭାଷଣ ଦେବା ସହ ମୁଖ୍ୟ ଅତିଥି ଶିବ ପ୍ରସାଦ ପାତ୍ର କ୍ରୀଡ଼ାର ମହତ୍ତ୍ୱ ଉପରେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରିଥିଲେ । ଆରମ୍ଭରେ ଛାତ୍ର-ଛାତ୍ରୀମାନେ ସୁସଜ୍ଜିତ ପଡିଆରେ ମାର୍ଚ୍ଚ ପାଷ୍ଟ କରିଥିଲେ । ଏହାପରେ ୧୪ଟି ଇଭେଣ୍ଟରେ ନର୍ସରୀରୁ ୫ମ ଶ୍ରେଣୀର ୨୩୦ ଜଣ ଛାତ୍ରଛାତ୍ରୀମାନେ ଶୃଙ୍ଖଳିତ ଭାବରେ ଖେଳାଳି ମନୋଭାବ ନେଇ ଉତ୍ସାହର ସହ ଖେଳିଥିଲେ । ବିଭିନ୍ନ ଖେଳରେ ଛାତ୍ର-ଛାତ୍ରୀମାନେ ପ୍ରଥମ, ଦ୍ୱିତୀୟ, ତୃତୀୟ ପୁରସ୍କାରରେ ପୁରସ୍କୃତ ହୋଇଥିଲେ । ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ସେନା କର୍ମଚାରୀ ସଞ୍ଜୟ କୁମାର ଷଡଙ୍ଗୀ ଯୋଗଦାନ କରି କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ । କ୍ରୀଡ଼ା ପତାକା ମୁଖ୍ୟ ଅତିଥିଙ୍କ ଦ୍ୱାରା ଅନାବୃତ କରାଇ କ୍ରୀଡ଼ା ଉତ୍ସବର ସମାପନ ଘୋଷଣା କରିଥିଲେ । ପୁରସ୍କାର ଘୋଷଣା ସୁଶ୍ରୀ ଅଙ୍କିତା ଶତପଥି କରିଥିବା ବେଳେ, ସଭା ସଞ୍ଚାଳନ ଜିଜ୍ଞାସା ପାଣିଗ୍ରାହୀ କରିଥିଲେ । ଯଜ୍ଞ-ହବନ ସୁଶ୍ରୀ ଶୁଭଶ୍ରୀ ପର୍ଡିଆ ପରିଚାଳନା କରିଥିଲେ । ନିହାରୀକା ମହାନ୍ତି, ଟିକିନା ପାଣିଗ୍ରାହୀ, ଏମ୍. ଶ୍ରୀଦେବୀ, ଅନିତା ମହାକୁଡ ପ୍ରମୁଖ ଖେଳ ପରିଚାଳନା କରିଥିଲେ । କ୍ରୀଡ଼ା ଉତ୍ସବ ନିଷ୍ପକ୍ଷ, ଉଦ୍ଦାତ୍ତ, ସରସ-ସୁନ୍ଦର ଓ ଛୋଟ ଛୋଟ ଶିଶୁମାନଙ୍କୁ ଉତ୍ସାହିତ କରିବା ନେଇ ଇନଫିନିଟି, ସୋନପୁରର କ୍ରୀଡାବିତ ଭାଇ ଓ ଭଉଣୀ ମାନଙ୍କ ସମେତ ଅନୁଷ୍ଠାନର ମୁଖ୍ୟ କଲିମ୍ ଭାଇ ଅଶେଷ ସହଯୋଗ କରିଥିଲେ । ସ୍କୁଲର କ୍ରୀଡା ଶିକ୍ଷକ ନନ୍ଦନ ବାରିକଙ୍କ ସମେତ ଇତିଶ୍ରୀ ଦାସ, ସୁବାସିନୀ ଷଡଙ୍ଗୀ, ପ୍ରତିମା କୁଜୁର, ପୁଷ୍ପଲତା ଭୋସାଗର, ରେଶ୍ମା ତିର୍କୀ, ଜୟକୁମାରୀ ସାହୁ, କଲ୍ୟାଣୀ ଜାନି, ଅର୍ପିତା ପଟ୍ଟନାୟକ, ତୃପ୍ତିମୟୀ ସାହୁ, ସ୍ନିଗ୍ଧା ମେହେରଙ୍କ ସମେତ ସ୍କୁଲର ଅନ୍ୟାନ୍ୟ ଷ୍ଟାଫ୍ ସହଯୋଗ କରିଥିଲେ । ଶେଷରେ ରାଷ୍ଟ୍ରଗାନ କରାଯାଇ କ୍ରୀଡ଼ା ଉତ୍ସବର ସମାପନ କରାଯାଇଥିଲା ।