jayashree

ତ୍ରିଶକ୍ତି ଧାମ ଏବଂ ମାରୱାଡି ଯୁବ ମଞ୍ଚ ଜାଗୃତି ଶାଖାର ମିଳିତ ସହଯୋଗରେ ମାଗଣା କୃତ୍ରିମ ଅଙ୍ଗ ପ୍ରତ୍ୟାରୋପଣ ଶିବିରର ଶୁଭାରମ୍ଭ

  • ମାଗଣା କୃତ୍ରିମ ଅଙ୍ଗ ପ୍ରତ୍ୟାରୋପଣ ଶିବିର ନଭେମ୍ବର ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ

ରାଉରକେଲା, (ସସ୍ମିତା ପ୍ରଧାନ) : ତ୍ରିଶକ୍ତି ଧାମ ଏବଂ ମାରୱାଡି ଯୁବ ମଞ୍ଚ, ଜାଗୃତି ଶାଖା, ରାଉରକେଲା (ଡିଭିଜନ-୪) ପକ୍ଷରୁ ମିଳିତ ଭାବରେ ଆୟୋଜିତ ମାଗଣା କୃତ୍ରିମ ଅଙ୍ଗ ପ୍ରତ୍ୟାରୋପଣ ଶିବିରର ଉଦ୍‌ଘାଟନ ଆଜି ତ୍ରିଶକ୍ତି ଧାମ ଠାରେ ପୂର୍ବାହ୍ନ ୧୧ଟା ୩୦ ସମୟରେ ହୋଇଯାଇଛି । ଦରିଦ୍ର ଲୋକଙ୍କୁ କୃତ୍ରିମ ଅଙ୍ଗ ପ୍ରଦାନ ଏବଂ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ଏହି ସେବା ନଭେମ୍ବର ୨୭, ୨୮ ଓ ୨୯ ତାରିଖ ତିନି ଦିନ ଧରି ଚାଲିବ । ଏହି ମାଗଣା କୃତ୍ରିମ ଅଙ୍ଗ ପ୍ରତ୍ୟାରୋପଣ ଶିବିରରେ ଦିବ୍ୟାଙ୍ଗମାନଙ୍କୁ କୃତ୍ରିମ ଗୋଡ଼, ଯାନ୍ତ୍ରିକ ହାତ, ଆଶାବାଡ଼ି, କହୁଣୀ ବାଡ଼ି, ଚାଲିବା ବାଡ଼ି ଏବଂ ଅନ୍ଧ ବାଡ଼ି ମାଗଣାରେ ବଣ୍ଟନ କରାଯିବ । ହିତାଧିକାରୀ ଏବଂ ସେମାନଙ୍କ ପରିଚାରକଙ୍କ ପାଇଁ ରହିବା ଓ ଖାଇବା ସମେତ ସମସ୍ତ ବ୍ୟବସ୍ଥା ସମ୍ପୂର୍ଣ୍ଣ ମାଗଣାରେ ପ୍ରଦାନ କରାଯାଉଛି । ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ସ୍ୱାବଲମ୍ବୀ ଏବଂ ମର୍ଯ୍ୟାଦାଜନକ ଜୀବନଯାପନ କରିବାରେ ସହାୟତା ପ୍ରଦାନ କରିବା ଲକ୍ଷ୍ୟରେ ଆଜି ଠାରୁ ନଭେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ମାରୱାଡି ଯୁବ ମଞ୍ଚ ଜାଗୃତି ଶାଖା ଏବଂ ତ୍ରିଶକ୍ତି ସେବା ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ରାଞ୍ଚିର ଶ୍ରୀ ଭଗବାନ ମହାବୀର ବିକଳାଙ୍ଗ ସହାୟତା ସମିତିର ସହଯୋଗରେ ଏହି ବିଶାଳ ମାଗଣା ଦିବ୍ୟାଙ୍ଗ ସହାୟତା ଶିବିର ଆୟୋଜନ କରାଯାଉଛି । ଶୁଭାରମ୍ଭ ହୋଇଥିବା ଏହି ୩ ଦିନିଆ ଶିବିରର ପ୍ରଥମ ଦିନରେ ହିତାଧିକାରୀମାନଙ୍କ କ୍ଷତିଗ୍ରସ୍ତ ଅଙ୍ଗର ପରୀକ୍ଷା ନିରୀକ୍ଷା ସହ ମାପ ନିଆଯାଇଛି । ଦ୍ୱିତୀୟ ଦିନରେ ମଧ୍ୟ ଏହି କାର୍ଯ୍ୟକ୍ରମ ଜାରି ରହିବ । ତୃତୀୟ ଦିନ ଅର୍ଥାତ୍ ନଭେମ୍ବର ୨୯ ତାରିଖରେ ହିତାଧିକାରୀମାନଙ୍କୁ କୃତ୍ରିମ ଅଙ୍ଗ ଏବଂ ସହାୟକ ଉପକରଣ ପ୍ରଦାନ କରାଯିବ । ଏହି ସେବା ଶିବିରର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ସମାଜରେ ଗରିବ ବିକଳାଙ୍ଗ ବ୍ୟକ୍ତିମାନଙ୍କୁ ଆବଶ୍ୟକୀୟ କୃତ୍ରିମ ଅଙ୍ଗ ଏବଂ ସହାୟକ ଉପକରଣ ପ୍ରଦାନ କରି ସେମାନଙ୍କ ଜୀବନକୁ ଅଧିକ ଆରାମଦାୟକ, ସୁଗମ ଏବଂ ସ୍ୱାବଲମ୍ବୀ କରିବା । ଆର୍ଥିକ ପ୍ରତିବନ୍ଧକ ଯୋଗୁଁ ଅନେକ ଗରିବ ଓ ଦୁର୍ବଳ ଶ୍ରେଣୀର ବ୍ୟକ୍ତି ଏହି ସୁବିଧାରୁ ବଞ୍ଚିତ ହେଉଛନ୍ତି ସେମାନଙ୍କୁ ସହାୟତା ପ୍ରଦାନ କରିବା ଏହି ଶିବିରର ଲକ୍ଷ୍ୟ । ଏହି କାର୍ଯ୍ୟକ୍ରମର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ଏପରି ଲୋକଙ୍କୁ ସେବା ପ୍ରଦାନ କରିବା । ମାରୱାଡି ଯୁବ ମଞ୍ଚ ଜାଗୃତି ଶାଖା ଏବଂ ତ୍ରିଶକ୍ତି ଧାମ ସେବା ଟ୍ରଷ୍ଟର ମିଳିତ ସହଯୋଗରେ ଶୁଭାରମ୍ଭ ହୋଇଥିବା ମାଗଣା ଅଙ୍ଗ ପ୍ରତ୍ୟାରୋପଣ ଶିବିରକୁ ଆଜି ଉଦ୍‌ଘାଟନ କରିଥିଲେ ଜାଗୃତି ଶାଖାର ପୂର୍ବତନ ସଭାନେତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ମାରୋଥିଆ । ସେ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ୨୦୧୪ର ପ୍ରଥମ କରି ଅମର ଭବନ ପରିସରରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ନର ସେବା ହିଁ ନାରାୟଣ ସେବା, ଏହାକୁ ପାଥେୟ କରି ଏହି ସେବା ଆରମ୍ଭ କରାଯାଇଛି । ଶିବିରରେ ମାରୱାଡି ଯୁବ ମଞ୍ଚ ଜାଗୃତି ଶାଖାର ସଭାନେତ୍ରୀ ଶ୍ରୀମତୀ ପ୍ରଭାସ ଅଗ୍ରୱାଲ, ସଚିବ ଶ୍ରୀମତୀ କାଞ୍ଚନ ଅଗ୍ରୱାଲ, କୋଷାଧ୍ୟକ୍ଷା ଶ୍ରୀମତୀ ଜ୍ୟୋତି ଅଗ୍ରୱାଲ, ପ୍ରକଳ୍ପ ନିର୍ଦ୍ଦେଶିକା ଶ୍ରୀମତୀ ଅନାମିକା ମିତ୍ତଲ, ଶ୍ରୀମତୀ ରୁବି ବନଶଲ, ଶ୍ରୀମତୀ ରୂପା ଅଗ୍ରୱାଲ, ଶ୍ରୀମତୀ କୌଶଲ ଅଗ୍ରୱାଲ ପ୍ରମୁଖଙ୍କ ସମେତ ତ୍ରିଶକ୍ତି ଧାମ ସେବା ଟ୍ରଷ୍ଟ ପକ୍ଷରୁ ଶ୍ୟାମ ବିହାରୀ ଗୋୟଲ ପ୍ରମୁଖ ଉପସ୍ଥିତ ରହି ମାଗଣା ଅଙ୍ଗ ପ୍ରତ୍ୟାରୋପଣ ଶିବିରର ପରିଚାଳନା କରୁଛନ୍ତି ।

Leave A Reply

Your email address will not be published.