
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ନିଜର ହକ୍ ଓ ନ୍ୟାର୍ଯ୍ୟ ଅଧିକାର ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଅଙ୍ଗନବାଡ଼ି କର୍ମୀ ଓ ସହାୟିକା । ଅଲ୍ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ୍ ୱାର୍କର୍ସ ଆସୋସିଏସନର ଡାକରାରେ ରାଜ୍ୟବ୍ୟାପୀ ଆନ୍ଦୋଳନ ପରିପ୍ରେକ୍ଷୀରେ ବୁଧବାର ଖପ୍ରାଖୋଲ ବ୍ଲକ ସଂଘ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା । ଏଥିସହ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉଦ୍ଦେଶ୍ୟରେ ବିଡିଓ ବିବେକାନନ୍ଦ ଷଡ଼ଙ୍ଗୀଙ୍କୁ ୭ ଦଫା ଦାବିପତ୍ର ପ୍ରଦାନ କରାଯାଇଥିଲା । କର୍ମୀ ଓ ସହାୟିକାଙ୍କୁ ସରକାରୀ କର୍ମଚାରୀ ମାନ୍ୟତା, ମାସିକ ପାରିଶ୍ରମିକ ଯଥାକ୍ରମେ ୩୦ ହଜାର ଓ ୧୫ ହଜାର ଟଙ୍କାକୁ ବୃଦ୍ଧି, ଗ୍ରାଚ୍ୟୁଇଟି ପ୍ରଦାନ, ସାମାଜିକ ସୁରକ୍ଷା, ଅବସରକାଳୀନ ୧୦ ଲକ୍ଷ ଓ ମୃତ୍ୟୁକାଳୀନ ୫ ଲକ୍ଷ ଟଙ୍କା ସହାୟତା, ନିର୍ବାଚନୀ ଇସ୍ତାହାର ଅନୁଯାୟୀ ଦରମା ବୃଦ୍ଧି, ଅକ୍ଷମତା ପରୀକ୍ଷା ବନ୍ଦ, କର୍ମୀଙ୍କ ନିୟମିତ ପଦୋନ୍ନତି ଓ ସହାୟିକାଙ୍କ ବୟସ ସୀମା ଉଚ୍ଛେଦ ଆଦି ଦାବି ରହିଛି । ଏଥିସହ ମୃତ୍ୟୁ ପରେ ପରିବାରର ଜଣଙ୍କୁ ନିଯୁକ୍ତି ପ୍ରଦାନ ପାଇଁ ମଧ୍ୟ ଦାବି ହୋଇଛି । ଏହି ଧାରଣାରେ ସଂଘର ବ୍ଲକ ସଭାନେତ୍ରୀ ମଞ୍ଜୁଲତା ବେହେରା, ସମ୍ପାଦିକା ସନ୍ଧ୍ୟାରାଣୀ ଗିରିଙ୍କ ସମେତ ରାମାବତୀ ବିଶି, ନିଳାବତୀ ସାହୁ, ସୁନୀତା ବାଗ, ଗୀତାଞ୍ଜଳି ଭୋଇ, ଭୂମିସୂତା ରାଜହଂସ, ସସ୍ମିତା ଗୋଏଲ, ପ୍ରତିମା ବରିହା, ସୁଦେଷ୍ଣା ସାହୁ, ଗୌରୀ ସାହୁଙ୍କ ସମେତ ଶତାଧିକ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ସାମିଲ ହୋଇଥିଲେ ।