
ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଗ୍ରାମାଞ୍ଚଳର ଚାଷୀଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ସହ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଏକ ଅଭିନବ ପ୍ରୟାସ ହାତକୁ ନିଆଯାଇଛି । କେବଳ ସଭା, ସମିତି କିମ୍ବା ପ୍ରଚାରପତ୍ର ନୁହେଁ, ବରଂ କଳା ଓ ସଂସ୍କୃତିକୁ ଜନସଚେତନତାର ମାଧ୍ୟମ କରି ପଥପ୍ରାନ୍ତ ନାଟକ ଜରିଆରେ ଗାଁ ଗାଁରେ ସରକାରୀ ଯୋଜନାର ବାର୍ତ୍ତା ପହଞ୍ଚାଯାଉଛି । ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ବାଲିଗୁଡ଼ା ବ୍ଲକ୍ର ବଡ଼ଗାଁ, ବାରଖମା ଓ ସିନ୍ଦ୍ରିଗାଁ ଠାରେ ସ୍ୱତନ୍ତ୍ର ଜନସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କନ୍ଧମାଳ କଳା ବିକାଶ କେନ୍ଦ୍ର, ବାଲିଗୁଡ଼ା ପକ୍ଷରୁ ଏହି କାର୍ଯ୍ୟକ୍ରମରେ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା । ଅନୁଷ୍ଠାନର ସମ୍ପାଦକ ତଥା ନାଟ୍ୟକାର ପ୍ରମୋଦ କୁମାର ଦଣ୍ଡସେନାଙ୍କ ରଚନା ଓ ନିର୍ଦ୍ଦେଶନାରେ ପ୍ରସ୍ତୁତ ‘ଗୋଠ ହସିଲେ ହସିବ ସଂସାର’ ନାଟକ ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଇବା ସହ ଚାଷୀଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ସାମାଜିକ ଓ ଆର୍ଥିକ ବାର୍ତ୍ତା ପ୍ରଦାନ କରିଥିଲା । ନାଟକ ମାଧ୍ୟମରେ ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା, ସବ୍ସିଡି ବ୍ୟବସ୍ଥା, ପ୍ରାଣୀଧନ ବୀମା, ପ୍ରାଣୀ ଚିକିତ୍ସା ସୁବିଧା ଓ ଘାସ ଚାଷର ଉପକାରିତା ସମ୍ପର୍କରେ ସରଳ ତଥା ମନୋରଞ୍ଜନଧର୍ମୀ ଢଙ୍ଗରେ ଲୋକଙ୍କୁ ବୁଝାଯାଇଥିଲା । ବିଶେଷକରି ଗୋପାଳନ, କୁକୁଡ଼ା ଚାଷ, ଛେଳି ପାଳନ, ଘୁଷୁରି ପାଳନ ଓ ବତକ ଚାଷ ଭଳି ବିଭିନ୍ନ ପ୍ରାଣୀ ସମ୍ପଦ ଭିତ୍ତିକ ଆୟମୂଳକ କାର୍ଯ୍ୟକୁ ଆପଣାଇ ଗ୍ରାମାଞ୍ଚଳର ଚାଷୀମାନେ କିପରି ଅଧିକ ରୋଜଗାରକ୍ଷମ ହୋଇପାରିବେ, ସେନେଇ ନାଟକରେ ବାସ୍ତବଧର୍ମୀ ଚିତ୍ର ଉପସ୍ଥାପନ କରାଯାଇଥିଲା । ପାରମ୍ପରିକ ଚାଷ ସହ ପ୍ରାଣୀ ସମ୍ପଦକୁ ଯୋଡ଼ି ଜୀବିକାର ବିକଳ୍ପ ଉତ୍ସ ସୃଷ୍ଟି କରିବା ଏବଂ ସରକାରୀ ସହାୟତାର ସୁଯୋଗ ନେଇ ନିଜର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବାକୁ ଚାଷୀଙ୍କୁ ଉତ୍ସାହିତ କରାଯାଇଥିଲା । ନାଟକରେ ରାଜେଶ, ବିଜୟ, ବାବୁଲି, ହ୍ୟାପି, ଦୀପ୍ତି, ସଚ୍ଚି ଓ ବିଷ୍ଣୁ ପ୍ରମୁଖ କଳାକାର ଅଂଶଗ୍ରହଣ କରି ନିଜର ନିଖୁଣ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ମନ ଜିଣିଥିଲେ । କାର୍ଯ୍ୟକ୍ରମରେ ସମ୍ପୃକ୍ତ ଅଞ୍ଚଳରେ କାର୍ଯ୍ୟରତ ପ୍ରାଣୀ ଚିକିତ୍ସକ, ଏଲ୍ଆଇ ଏବଂ ବହୁ ସଂଖ୍ୟାରେ ଗ୍ରାମବାସୀ ଉପସ୍ଥିତ ରହି ନାଟକ ଉପଭୋଗ କରିବା ସହ ବିଭାଗୀୟ ଯୋଜନା ସମ୍ପର୍କରେ ଅବଗତ ହୋଇଥିଲେ । ସାଧାରଣତଃ ଗ୍ରାମାଞ୍ଚଳର ଅନେକ ଚାଷୀ ସରକାରୀ ଯୋଜନା, ସବ୍ସିଡି ଓ ବିଭାଗୀୟ ସୁବିଧା ସମ୍ପର୍କରେ ଆବଶ୍ୟକ ସୂଚନା ପାଇପାରୁ ନଥିବାବେଳେ ଏଭଳି ପଥପ୍ରାନ୍ତ ନାଟକ ସେମାନଙ୍କ ପାଇଁ ଏକ ପ୍ରଭାବଶାଳୀ ମାଧ୍ୟମ ସାଜିଛି । ସରକାରୀ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ଗ୍ରାମାଞ୍ଚଳରେ ଆତ୍ମନିଯୁକ୍ତି ଓ ଆୟବୃଦ୍ଧିର ସମ୍ଭାବନା ସୃଷ୍ଟି କରିବା ଦିଗରେ ବିଭାଗର ଏହି ପ୍ରୟାସକୁ ଅଞ୍ଚଳବାସୀ ସ୍ୱାଗତ କରିଛନ୍ତି । କଳା ଓ ସଂସ୍କୃତି ମାଧ୍ୟମରେ ଚାଷୀଙ୍କୁ ସଚେତନ କରି ସ୍ୱାବଲମ୍ବୀ କରିବାର ଏହି ଉଦ୍ୟମ ଆଗାମୀ ଦିନରେ ଅଧିକ ଗ୍ରାମରେ ପହଞ୍ଚିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି ।