
ତୁଷୁରା/ଗୁଡଭେଲା, (କେପିଏନ୍ଏସ୍) : ଜନ କଲ୍ୟାଣ ପାଠାଗାର ଧାନଘରା ଆନୁକୂଲ୍ୟରେ ଗୁଡଭେଲା ବ୍ଲକ୍ ଓ ଏନ୍ଏସି ସ୍ତରୀୟ ସମ୍ବିଧାନ ଦିବସ ସମ୍ପାଦକ ପ୍ରଭାସ କୁମାର ହରପାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ନଗରପାଳ ଅଜୟ କୁମାର ଜୟଶ୍ୱାଲ ଯୋଗ ଦେଇ ଏହି ଅବସରରେ ଅନୁଷ୍ଠିତ ବକ୍ତୃତା, ବିତର୍କ, ରଚନା ଓ ଭାଷଣ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ମୋମେଣ୍ଟୋ ଓ ପ୍ରମାଣ ପତ୍ର ଦେଇ ପୁରସ୍କୃତ କରିଥିଲେ । ଏହି ଅବସରରେ ସେ ନିଜ ବକ୍ତବ୍ୟରେ କହିଥିଲେ “ସମ୍ବିଧାନ ଆମକୁ ସାମାଜିକ ସୁରକ୍ଷା ଓ ନ୍ୟାୟ ପ୍ରଦାନ କରିଛି । ବାବା ସାହେବ ଆମ୍ବେଦକରଙ୍କ ଅବଦାନକୁ ମନେ ପକେଇବା ପାଇଁ ଏହା ଏକ ଅବିସ୍ମରଣୀୟ ମୁହୂର୍ତ୍ତ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ଗୁଡଭେଲା ବିଡିଓ ଗୁରେଶ୍ୱର ଭୋଇ, ଓକେସିଏଲ୍ର ଜିଲ୍ଲା ସଂଯୋଜକ ସଞ୍ଜୀବ କୁମାର ପ୍ରଧାନ, ବିଶିଷ୍ଟ ସମାଜସେବୀ ବୁଧରାମ ନାଗ, ବାଳକ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ନିବେଦିତା ଭୋଇ, ପ୍ରଧାନ ଆଚାର୍ଯ୍ୟ ସୁଶୀଳ କୁମାର ଦାସ ପ୍ରମୁଖ ମଞ୍ଚାସୀନ ଥିଲେ । ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ବିଶିଷ୍ଠ ଆଶୁକବି ଡ. ହେମନ୍ତ କୁମାର ଦାଶ ମଞ୍ଚ ସଞ୍ଚାଳନ କରିଥିଲେ । ଏହି ଅବସରରେ ଉଭୟ ଶିକ୍ଷା ଓ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡ. ଦାଶଙ୍କୁ ଜନ କଲ୍ୟାଣ ପାଠାଗାର ତରଫରୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରି ଉଚ୍ଛସିତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ତୁଷୁରାର ଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏଥିରେ ବ୍ଲକ୍ ଓ ତୁଷୁରା ଏନ୍ଏସି ଅନ୍ତର୍ଗତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ପ୍ରତିଭାଗୀ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।